ରବର୍ଟ ଭଦ୍ରା, କାର୍ତ୍ତିଙ୍କୁ ଜେରା: ରବର୍ଟଙ୍କୁ ୯ ଘଣ୍ଟା ଘେରିଲେ ଇଡି ଅଧିକାରୀ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି କଂଗ୍ରେସ ଦଳର ଦୁଇ ହାଇ ପ୍ରୋଫାଇଲ ନେତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ଜେରା କରିଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଓ ଅନ୍ୟ ଜଣେ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍। ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏମାନଙ୍କୁ ଜେରା କରାଯାଇଛି। ଲଣ୍ଡନରେ ଏକାଧିକ ସମ୍ପତ୍ତି କ୍ରୟ କରିଥିବା ଅଭିଯୋଗରେ ରବର୍ଟଙ୍କୁ ଗତକାଲିଠାରୁ ଇଡି ଜେରା କରୁଛି। ଗତକାଲି ଇଡି ପ୍ରାୟ ୬ ଘଣ୍ଟା ପାଖାପାଖି ଜେରା କରିଥିବାବେଳେ ଆଜି ପ୍ରାୟ ୯ ଘଣ୍ଟା ଜେରା କରିଛି। ଆଜି ରବର୍ଟ ଇଡି କାର୍ଯ୍ୟାଳୟକୁ ସକାଳେ ଏକା ଯାଇଥିଲେ ମଧ୍ୟ ଜେରା ପରେ ତାଙ୍କୁ ପତ୍ନୀ ପ୍ରିୟଙ୍କା ନିଜ ଗାଡ଼ିରେ ଆଣିଥିଲେ। କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଇଡିର ଜାମନଗର ହାଉସ କାର୍ଯ୍ୟାଳୟରେ ପ୍ରଥମେ ପୂର୍ବାହ୍ନ ୧୧ଟାରେ କାର୍ତ୍ତି ପହଞ୍ଚିଥିଲେ। କାର୍ତ୍ତି ଆସିବାର ପ୍ରାୟ ୨୫ ମିନିଟ ପରେ ରବର୍ଟ ଇଡି କାର୍ଯ୍ୟାଳୟରେ ଜେରା ପାଇଁ ପହଞ୍ଚିଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ କାର୍ତ୍ତିଙ୍କୁ ଇଡିର ଅଧିକାରୀମାନେ ଆଜି ଜେରା କରିଛନ୍ତି। ଆଜି ଇଡି କାର୍ଯ୍ୟାଳୟ ସମ୍ମୁଖରେ ଦିଲ୍ଲୀ ପୁଲିସ ଓ ଆଇଟିବିପି ‌ପୁଲିସ ମୁତୟନ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିୟନ୍ତ୍ରଣ କରିବା ଲାଗି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ ନିର୍ମାଣ କରାଯାଇଥିଲା। ଶନିବାର ଇଡି ପକ୍ଷରୁ ରବର୍ଟ ଭଦ୍ରାଙ୍କୁ ପୁଣି ଜେରା କରାଯିବା ସମ୍ଭାବନା ରହିଛି। ଜେରା ପରେ ରବର୍ଟ ଭଦ୍ରାଙ୍କ ଓକିଲ କେ. ଟି. ଏସ. ତୁଲସୀ କହିଥିଲେ, ତାଙ୍କ ମହକିଲ କୌଣସି ଭୁଲ କରିନାହାନ୍ତି। ତଦନ୍ତକାରୀ ଅଧିକାରୀଙ୍କ ସହିତ ଇଡିର ୩ ଜଣିଆ ଟିମ୍ ଭଦ୍ରାଙ୍କୁ ପ୍ରାୟ ଦୁଇ ଡଜନରୁ ଅଧିକ ପ୍ରଶ୍ନ ପଚାରିଛନ୍ତି।

ସମ୍ବନ୍ଧିତ ଖବର