ରାଫେଲ୍‌ ରାୟ: ଜେପିସି ତଦନ୍ତ ଦାବି ତେଜିଲା

ସଂସଦରେ ନେତାଙ୍କ ହଙ୍ଗାମା, କଂଗ୍ରେସକୁ ଧକ୍କା ନୁହେଁ: ରାହୁଲ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ ଏବଂ ଏ ବାବଦରେ କୌଣସି ତଦନ୍ତ ଆବଶ୍ୟକ ନାହିଁ ବୋଲି ରାୟ ଦେଇ ସୁପ୍ରିମ୍‌ କୋର୍ଟ ମୋଦୀ ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। କିନ୍ତୁ ରାଫେଲ୍‌ ଚୁକ୍ତିକୁ ନେଇ ସବୁବେଳେ ସରକାରଙ୍କୁ ଘେରିଆସୁଥିବା କଂଗ୍ରେସ ଏତିକି‌ରେ ଶାନ୍ତ ପଡ଼ିନାହିଁ। ରାଫେଲ୍‌ ଚୁକ୍ତିର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ହେବା ଆବଶ୍ୟକ ବୋଲି ଦଳ ଦାବି କରିଛି। ଏଥିପାଇଁ ଶୁକ୍ରବାର ସଂସଦରେ କଂଗ୍ରେସ ନେତାମାନେ ମିଳିତ ସ୍ବରରେ ଜେପିସି ତଦନ୍ତ ପାଇଁ ଦାବି କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁର୍ଯେୱାଲା କହିଛନ୍ତି, ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ସୁପ୍ରିମ୍‌ କୋର୍ଟ ଉପଯୁକ୍ତ ଫୋରମ୍‌ ନୁହନ୍ତି। ପୂର୍ବରୁ ଆମେ ମଧ୍ୟ ଏ ବାବଦରେ କହିଥିଲୁ। ଆଜି ମଧ୍ୟ କହୁଛୁ ଯେ କେବଳ ଜେପିସି ଫୋରମ୍‌ରେ ହିଁ ରାଫେଲ୍‌ ଚୁକ୍ତିର ସମ୍ଭାବ୍ୟ ଅନିୟମିତତା ନେଇ ଯାଞ୍ଚ କରାଯାଇ ପାରିବ। ଯଦି ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ମୋଦୀ ସରକାର ଦାବି କରୁଛନ୍ତି, ତେବେ ଜେପିସି ତଦନ୍ତ ପାଇଁ ଇଚ୍ଛା ପ୍ରକାଶ କରନ୍ତୁ। ଏହାଦ୍ବାରା ପ୍ରକୃତ ଘଟଣା ଜଣାପଡ଼ିଯିବ। ରାଫେଲ୍‌ ଚୁକ୍ତିରେ କେଉଁମାନେ ଅଭିଯୁକ୍ତ, ତାହାର ମଞ୍ଜି ବାହାର କରିବାକୁ ହେଲେ ଜେପିସି ହିଁ ଏକମାତ୍ର ବାଟ ବୋଲି ସେ କହିଛନ୍ତି। ସୁର୍ଯେୱାଲା ଆହୁରି କହିଛନ୍ତି ‌ଯେ ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର ଯେଉଁ ଦସ୍ତାବିଜ ଉପସ୍ଥାପନ କରିଛନ୍ତି, ତାହା ଏକପାଖିଆ। ଅଧାଗଢ଼ା ସୂଚନାକୁ ଆଧାର କରି ଏକ ସ୍ବାକ୍ଷରବିହୀନ ସତ୍ୟପାଠ ଦାଖଲ କରାଯାଇଛି। ସରକାରଙ୍କ ଏହି ଦସ୍ତାବିଜକୁ ଅନୁଧ୍ୟାନ ବି କରାଯାଇ ନାହିଁ। ଏହାକୁ ଆଧାର କରି ସୁପ୍ରିମ୍‌ କୋର୍ଟ ଆଜି ରାୟ ଦେଇଛନ୍ତି। ଯଦି ପ୍ରକୃତରେ ସରକାର କିଛି ବି ଲୁଚାଇବାକୁ ଚାହୁନାହାନ୍ତି, ତେବେ ଜେପିସି ତଦନ୍ତ ପାଇଁ ଆଗେଇ ଆସନ୍ତୁ। ବରିଷ୍ଠ କ‌ଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ କହିଛନ୍ତି, ର‌ାଫେଲ୍‌ ଚୁକ୍ତିରେ କେବଳ ମୂଲ୍ୟକୁ ନେଇ ସମସ୍ତ ଖିଅ ରହିଛି। ତେଣୁ ତାହାର ତଦନ୍ତ ହେବା ଦରକାର। ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ସଂସଦରେ ହଟ୍ଟଗୋଳ ପରିସ୍ଥିତି ଉପୁଜିଥିଲା। ଲୋକସଭାକୁ ଚତୁର୍ଥ ଦିନ ପାଇଁ ମୁଲତବୀ ରଖାଯାଇଥିଲା। ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟଙ୍କ ରାୟ କଂଗ୍ରେସ ପାଇଁ ଧକ୍କା ସଦୃଶ ହୋଇନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି।

ଚୁକ୍ତି କ’ଣ ହୋଇଥିଲା

ଫ୍ରାନ୍ସଠାରୁ ୩୬ ଶକ୍ତିଶାଳୀ ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସରକାର ୨୦୧୬ ସେପ୍ଟେମ୍ବର ୨୩ରେ ୫୯,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଦୁଇଦେଶର ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବା ସକାଶେ ମୋଦୀ ସରକାର ଏହି ଚୁକ୍ତି କରିଥିଲେ। ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ ଏହି ବିମାନ ତିଆରି କରି ଭାରତକୁ ପ୍ରଦାନ କରିବ ବୋଲି ଚୁକ୍ତିରେ ଦର୍ଶାଯାଇଛି। ୨୦୧୯ ସେପ୍ଟେମ୍ବରରୁ ଏହି ବିମାନର ଯୋଗାଣ ଆରମ୍ଭ ହେବା ନେଇ ଧାର୍ଯ୍ୟ ହୋଇଛି।

ବିବାଦ କେବେଠୁ?
ରାଫେଲ୍‌ ଚୁକ୍ତିକୁ ନେଇ ଔପଚାରିକ ଭାବେ ଦୁଇଦେଶ ମଧ୍ୟରେ ବୁଝାମଣା ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଥିଲା। ୨୦୧୬ ସେପ୍ଟେମ୍ବର ୨୩ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ଏହାର ଦେଢ଼ବର୍ଷ ପୂର୍ବରୁ ବିବାଦ ଉପୁଜିଥିଲା। ୨୦୧୫ ଏପ୍ରିଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ କରିଥିଲେ। ଏହି ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ୩୬ ଯୁଦ୍ଧ ବିମାନ ଯୋଗାଣ ଲାଗି ସହମତି ହୋଇଥିଲା। ୨୦୧୫ ଏପ୍ରିଲ୍‌ ୧୦ରେ ଚୁକ୍ତି ବାବଦରେ ଘୋଷଣା କରାଯାଇଥିଲା। ତତ୍‌କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଁସୁଆ ଓଲାନ୍ଦ ଓ ମୋଦୀ ଏକ ମିଳିତ ବିବୃତି ରଖି ଘୋଷଣା କରିଥିଲେ। ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଦେଶକୁ ୧୨୬ ଯୁଦ୍ଧ ବିମାନ ଦରକାର ଥିବା ବେଳେ ମାତ୍ର ୩୬ ବିମାନ ପାଇଁ ମୋଦୀ ସରକାର ଚୁକ୍ତି କରିଛନ୍ତି। ନିରାପତ୍ତା ମାମଲାରେ ସଂସଦୀୟ କମିଟିର ମଞ୍ଜୁରି ବିନା ମୋଦୀ ରାଫେଲ୍‌ ଚୁକ୍ତି ଘୋଷଣା କରିଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ‌ସେ ଅଭିଯୋଗ କରିଥିଲେ।
ଚୁକ୍ତି ସ୍ବାକ୍ଷର ପରେ ବିବାଦ ବଢ଼ିଥିଲା ୨୦୧୬ ସେପ୍ଟେମ୍ବରରେ ଚୁକ୍ତି ସ୍ବାକ୍ଷର ପରେ ବିବାଦ ଘନୀଭୂତ ହୋଇଥିଲା। କଂ‌ଗ୍ରେସ ପକ୍ଷରୁ ବାରମ୍ବାର ଏ ନେଇ ବିଭିନ୍ନ ଅଭିଯୋଗ ଅଣାଯାଇଥିଲା। ଏହାଦ୍ବାରା ରାଜକୋଷକୁ ୩୦,୦୦୦ କୋଟି ଟଙ୍କା କ୍ଷତି ଘଟିଥିବା ମଧ୍ୟ ଦଳ କହିଥିଲା। ଖାଲି ସେତିକି ନୁହେଁ, ରାଷ୍ଟ୍ରାୟତ୍ତ ହାଲ୍‌ ପରିବର୍ତ୍ତେ ରିଲାଏନ୍ସ ଡିଫେନ୍ସକୁ ଡାସଲ୍ଟ ଏଭିଏସନ୍‌ର ଅଫ୍‌ସେଟ୍‌ ପାର୍ଟନର୍‌ ଭାବେ ଚୟନ କରାଯିବା ଉପରେ ରାହୁଲ ପ୍ରଶ୍ନ ଉଠାଇଥିଲେ। ଅନୀଲ ଅମ୍ବାନିଙ୍କୁ ୩୦,୦୦୦ କୋଟି ଟଙ୍କାର ଫାଇଦା ପହଞ୍ଚାଇବା ପାଇଁ ଏଭଳି କରାଯାଇଥିବା ସେ କହିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ନିକଟରେ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନରେ କଂଗ୍ରେସ ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ରାଫେଲ୍‌ ଚୁକ୍ତିକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିଲେ। ସେମାନେ ଚୁକ୍ତିର ଜେପିସି ତଦନ୍ତ ଲାଗି ଦାବି କରିଛନ୍ତି।

ମୋ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି

ରାଫେଲ୍‌ ଚୁକ୍ତି ନେଇ ସୁପ୍ରିମ୍‌ କୋର୍ଟ ରାୟକୁ ସ୍ବାଗତ କରି ଶିଳ୍ପପତି ଅନୀଲ ଅମ୍ବାନି କହିଛନ୍ତି ଯେ ରିଲାଏନ୍ସ ଡିଫେନ୍ସ ଏବଂ ତାଙ୍କୁ ବ୍ୟକ୍ତିଗତ ଭାବେ ବଦନାମ କରିବା ପାଇଁ ମିଥ୍ୟା ଅଭିଯୋଗ ଅଣାଯାଇଥିଲା। ଏହି ଅଭିଯୋଗ ମନଗଢ଼ା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ସୁପ୍ରିମ୍‌ କୋର୍ଟରେ ରିଲାଏନ୍ସ ଡିଫେନ୍ସକୁ ନେଇ ଦାଏର ହୋଇଥିବା ସବୁ ଅଭିଯୋଗ ଏବେ ଖାରଜ ହୋଇଥିବାରୁ ସତ୍ୟ କ’ଣ ତାହା ଦେଶବାସୀ ଜାଣିସାରିଛନ୍ତି ବୋଲି ସେ କହିଛନ୍ତି। ଡାସଲ୍ଟ ଏଭିଏସନ୍‌ ସହ ଅଂଶୀଦାର ହେବା ନେଇ ସମସ୍ତ ଚୁକ୍ତି ଆଇନସଂଗତ, ସ୍ବଚ୍ଛ ଏବଂ ପାରଦର୍ଶୀ ଥିଲା ବୋଲି ଅମ୍ବାନି କହିଛନ୍ତି।

କିଏ କ’ଣ କହିଲେ

କଂଗ୍ରେସ ମିଛର ଆୟୁ ପୂରିଲା: ଜେଟ୍‌ଲି
ରାଫେଲ୍‌ ବିମାନ ଚୁକ୍ତିରେ କୌଣସି ଅନିୟମିତତା ଦୃଷ୍ଟିକୁ ଆସିନଥିବାରୁ ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ଦେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ କଂଗ୍ରେସ ରାଫେଲ୍‌ ବାବଦରେ କାଳ୍ପନିକ କାହାଣୀ ଶୁଣାଇ ଲୋକଙ୍କୁ ବିଭ୍ରାନ୍ତ କରିଥିଲା। କଂଗ୍ରେସ ମିଛର ଆୟୁ ଏବେ ପୂରିଯାଇଛି ଏବଂ ସତ୍ୟ ସାମ୍ନାକୁ ଆସିଛି। ରାହୁଲଙ୍କୁ ଟାର୍ଗେଟ୍‌ କରି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶର ନିରାପତ୍ତାକୁ ବିପନ୍ନ କରି କେବଳ ରାଜନୈତିକ ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ଏହି ଅଭିଯୋଗ ଅଣାଯାଇଥିଲା।

ସଂସଦରେ ରାହୁଲ କ୍ଷମା ମାଗନ୍ତୁ: ରାଜନାଥ
ରାଫେଲ୍‌ ଚୁକ୍ତି ବାବଦ‌ରେ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରାଫେଲ୍‌ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ଲଗାତର ମିଛ ଏବଂ ସଂସଦରେ ମିଥ୍ୟା ତଥ୍ୟ ପ୍ରଦାନ ଯୋଗୁ ଅଯଥା ସମସ୍ୟା ଉପୁଜିଥିଲା। ଏବେ ସତ୍ୟ ସାମ୍ନାକୁ ଆସିଥିବାରୁ ରାହୁଲ କ୍ଷମା ପ୍ରାର୍ଥନା କରିବା ଜରୁରୀ ବୋଲି ସେ କହିଛନ୍ତି।

ସତ୍ୟର ସର୍ବଦା ଜୟ ହୁଏ: ଅମିତ୍‌ ଶାହ
ସୁପ୍ରିମ୍‌ କୋର୍ଟ ରାୟ ପରେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି, ରାଫେଲ୍‌ ଚୁକ୍ତି ନେଇ କଂଗ୍ରେସର ମିଥ୍ୟା ଓ ବିଭ୍ରାନ୍ତି ଧରାପଡ଼ିଯାଇଛି। ସତ୍ୟର ହିଁ ସର୍ବଦା ଜୟ ହୋଇଥାଏ ଏବଂ ରାଫେଲ୍‌ କ୍ଷେତ୍ରରେ ତାହା ପ୍ରମାଣିତ ହୋଇଛି। ରାଫେଲ୍‌ ଚୁକ୍ତିରେ କୌଣସି ଅନିୟମିତତା ନଥିବାରୁ ସୁପ୍ରିମ୍‌ କୋର୍ଟ ମାମଲାରେ ହସ୍ତ‌କ୍ଷେପ କରିବେ ନାହିଁ ବୋଲି କହିଥିବାରୁ ଏବେ କଂଗ୍ରେସକୁ ଦେଶବାସୀଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ଶାହ କହିଛନ୍ତି।

ଅନୀଲ ଅମ୍ବାନିଙ୍କୁ ରାଫେଲ୍‌ ଠିକା ଦିଆଯାଇଛି କାହିଁକି: ରାହୁଲ
ଫ୍ରାନ୍ସ ସହ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ପରେ ବିମାନ ନିର୍ମାଣ ପାଇଁ ଅନୀଲ ଅମ୍ବାନିଙ୍କ ସଂସ୍ଥାକୁ କାହିଁକି ଠିକା ପ୍ରଦାନ କରାଯାଇଥିଲା ଏବଂ ଡାସଲ୍ଟ ଏଭିଏସନ୍‌ ହାଲ୍ ବଦଳରେ ରିଲାଏନ୍ସ ଡିଫେନ୍ସକୁ କାହିଁକି ଚୟନ କରିଥିଲା, ତାହାର ଜବାବ ସରକାରଙ୍କୁ ଦେବାକୁ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟା‌ର୍ଗେଟ୍‌ କରି ରାହୁଲ କହିଥିଲେ, ‘ସମଗ୍ର ଦେଶ ଜାଣିଛି ଚୌକିଦାର ଚୋର।’ ସୁପ୍ରିମ୍‌ କୋର୍ଟ ରାୟରେ ସିଏଜି ରିପୋର୍ଟ ସମ୍ପର୍କରେ କାହିଁକି ଉଲ୍ଲେଖ ନାହିଁ ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ, ରାଫେଲ୍‌ର ମୂଲ୍ୟ ପିଏସିରେ ଆଲୋଚନା ହୋଇଥିଲା‌ ବୋଲି ରାୟରେ ଯାହା ଉଲ୍ଲେଖ ‌ହୋଇଛି, ଏ ସମ୍ପର୍କରେ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ।

ଯୁଦ୍ଧାସ୍ତ୍ର କ୍ରୟରେ ସଂସ୍କାର ଲୋଡ଼ା: ମାୟାବତୀ
ଦେଶର ପ୍ରତିରକ୍ଷା ଚୁକ୍ତିଗୁଡ଼ିକୁ ସ୍ବଚ୍ଛ ରଖିବା ଏବଂ ଯୁଦ୍ଧାସ୍ତ୍ର କ୍ରୟରେ ବ୍ୟାପକ ସଂସ୍କାର ଆଣିବା ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି। ଆଜି ସୁପ୍ରିମ୍‌ କୋର୍ଟରେ ରାଫେଲ୍‌ ରାୟ ପ୍ରକାଶ ପରେ ସେ କହିଛନ୍ତି ଯେ ପ୍ରତିରକ୍ଷା ସଂକ୍ରାନ୍ତ ସମସ୍ତ ଚୁକ୍ତିକୁ ବିବାଦରୁ ଊର୍ଦ୍ଧ୍ବରେ ରଖିବା ପାଇଁ ସଂସ୍କାର ଜରୁରୀ ହୋଇପଡ଼ିଛି।

ଲୋକଙ୍କ ଅଦାଲତରେ ମାମଲା ଜୀବିତ: ସିନ୍ଧିଆ
ର‌ାଫେଲ୍‌ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ମଧ୍ୟ ଏହି ମାମଲା ଲୋକଙ୍କ ଅଦାଲତରେ ଜୀବିତ ଅଛି ବୋଲି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ସଂସଦରେ ଏହି ମାମଲା‌ ନେଇ କଂଗ୍ରେସ ସ୍ବର ଉଠାଇବା ଜାରି ରଖିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର