ପୁଣି ଫେରିଲା ରାଫେଲ ବିବାଦ

ମୋଦୀ ସରକାରଙ୍କ ଯୁକ୍ତି ଅଗ୍ରାହ୍ୟ, ଲିକ୍‌ ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ କରିବେ ସୁପ୍ରିମ୍‌ କୋର୍ଟ, ଗୋପନୀୟ ଦସ୍ତାବିଜର ତର୍ଜମା ସହ ପୁଣି ଶୁଣାଣି ହେବ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମ୍‌ କୋର୍ଟରୁ ବଡ଼ ଧରଣର ଝଟ୍‌କା ମିଳିଛି। ଏହି ମାମଲାରେ ପ୍ରଘଟ ହୋଇଥିବା ଦସ୍ତାବିଜକୁ ପ୍ରମାଣ ଭାବେ ଗ୍ରହଣ ନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ର ସରକାର ସଂପୃକ୍ତ ଦସ୍ତାବିଜ ଉପରେ ବିଶେଷ ଅଧିକାର ଥିବା ଯୁକ୍ତି ଦର୍ଶାଇ ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ସୁପ୍ରିମ୍‌ କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି।

ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏ ବାବଦରେ ସରକାରଙ୍କ ସମସ୍ତ ପ୍ରାରମ୍ଭିକ ଆପତ୍ତିକୁ ଖାରଜ କରିଦେଇଥିବାରୁ ଏବେ ରାଫେଲ ମାମଲାରେ ପୁନଃ ଶୁଣାଣି ହେବ। ପ୍ରତିରକ୍ଷା ମନ୍ତ୍ରାଳୟରୁ ଫଟୋକପି କରାଯାଇଥିବା ଗୋପନୀୟ ଦସ୍ତାବିଜ ଉପରେ ଭରସା ନ କରିବାକୁ ସରକାରଙ୍କ ଆବେଦନ ଖାରଜ ହେବା ଆବେଦନକାରୀଙ୍କ ପାଇଁ ଏକ ବଡ଼ ବିଜୟ ସାବ୍ୟସ୍ତ ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ପରେ ଆବେଦନକାରୀ ଅରୁଣ ସୌରି ଖୁସି ଜାହିର କରି କହିଛନ୍ତି ଯେ ଲିକ୍‌ ଦସ୍ତାବିଜର ତର୍ଜମା ହେବା ଜରୁରୀ ଥିଲା ଏବଂ ସେମାନଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିବା ଦ୍ବାରା ଏହି ମାମଲା ଏବେ ନୂଆ ରୂପରେ ଶୁଣାଣି ପାଇଁ ଆସିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଆଜି ତାଙ୍କ ଯୁକ୍ତିରେ କହିଥିଲେ ଯେ ଯେଉଁ ଚୋରି ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରାଯାଇଛି ତାହା ବିଶେଷ ଅଧିକାରପ୍ରାପ୍ତ ଦସ୍ତାବିଜ, ଯାହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଗୋପନୀୟତା ଅଧିନିୟମ ଆଧାରରେ ଏଭଳି ଦସ୍ତାବିଜ ସଂରକ୍ଷିତ ରଖାଯାଇଥାଏ ଏବଂ ସୂଚନା ଅଧିକାର ଅଧିନିମୟର ଧାରା ୮-୧ ଏ ଅନୁଯାୟୀ ଏହା ସୁରକ୍ଷିତ ରହିଆସିଛି। ଅନ୍ୟତମ ଆବେଦନକାରୀ ପ୍ରଶାନ୍ତ ଭୂଷଣ ଏଜିଙ୍କ ଦାବିକୁ ବିରୋଧ କରି କହିଥିଲେ ଯେ ଯେଉଁ ଦସ୍ତାବିଜ ପୂର୍ବରୁ ସାର୍ବଜନୀନ ସ୍ତରରେ ରହିଛି ତାହା ଉପରେ ସରକାର ବିଶେଷ ଅଧିକାର ଦାବି କରିପାରିବେ ନାହିଁ।

ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରିବା ସହ ପ୍ରଘଟ ହୋଇଥିବା ଦସ୍ତାବିଜର ତର୍ଜମା ହେବ ବୋଲି କହିଥିଲେ। ଏ ବାବଦରେ ସୁପ୍ରିମ୍‌ କୋର୍ଟ ରାୟର ପୁନଃ ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ପାଇଁ ତାରିଖ ପରବର୍ତ୍ତୀ ସମୟରେ ଧାର୍ଯ୍ୟ ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର