ରାଫେଲ୍‌ ମାମଲା: ପୁନଃ ସମୀକ୍ଷା ଆବେଦନକୁ ଖାରଜ କରାଯାଉ: ସରକାର

ନୁଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବାର ଗୋଟିଏ ଦିନ ପରେ, କେନ୍ଦ୍ର ସରକାର ରାଫେଲ୍‌ ମାମଲାର ପୁନଃ ସମୀକ୍ଷା ଆବେଦନଗୁଡିକୁ ଖାରଜ କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ଯୁକ୍ତି କରି କହିଛନ୍ତି, ରାଫେଲ୍‌ ଲଢୁଆ ବିମାନ କ୍ରୟରେ ଦୁର୍ନୀତି ହୋଇଥିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ମାମଲାରେ ସୁପ୍ରିମ କୋର୍ଟ ଡିସେମ୍ବର ୧୪ରେ ନିଷ୍ପତ୍ତି ନେଇସାରିଛନ୍ତି। ରାଫେଲ୍‌ ବିମାନଗୁଡିକର ମୂଲ୍ୟ ଧାର୍ଯ୍ୟ କରାଯିବା ସମ୍ପର୍କରେ ଯୁକ୍ତି କରି ସେ କହିଛନ୍ତି, ଦୁଇ-ସରକାର ମଧ୍ୟରେ ହୋଇଥିବା ଚୁକ୍ତିର ଧାରା ୧୦ ଅନୁଯାୟୀ ଏହି ଚୁକ୍ତି ବିଷୟରେ ସାର୍ବଜନୀନରେ ଆଲୋଚନା କରାଯାଇ ପାରିବନାହିଁ।

ବେଣୁଗୋପାଳ କହିଛନ୍ତି, କୋର୍ଟ ରାଫେଲ୍‌ ବିମାନର ମୂଲ୍ୟ ବିଷୟରେ ସର୍ବସାଧାରଣରେ ତଥ୍ୟ ପ୍ରକଟ କରିବାକୁ ଚାହିନଥିଲେ। ବରଂ ଚୁକ୍ତିବେଳର ପ୍ରକ୍ରିୟା ବିଷୟରେ କୋର୍ଟ ପ୍ରଶ୍ନ କରିଥିଲେ। ସରକାରଙ୍କ ପକ୍ଷରୁ ଚୁକ୍ତିର ସମସ୍ତ ପ୍ରକ୍ରିୟା ବିଷୟରେ ଦସ୍ତାବିଜ ଦାଖଲ କରାଯାଇସାରିଛି। ଏଥିରେ କିଛି ତ୍ରୁଟି ରହିଥିଲେ ମଧ୍ୟ ଏହି ତ୍ରୁଟିକୁ ସମୀକ୍ଷା ପାଇଁ ଆଧାର କରାଯାଇପାରିବ ନାହିଁ। ଏହି ତ୍ରୁଟିକୁ ଆଧାର କରି କୋର୍ଟର ସମ୍ପୂର୍ଣ୍ଣ ରାୟକୁ ଅଣଦେଖା କରାଯାଇ ପାରିବନାହିଁ ବୋଲି ଏଜି ବେଣୁଗୋପାଳ ଯୁକ୍ତି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାଇଲଟ୍‌ଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଏହି ସବୁ ଦିଗକୁ ବିଚାର କରି ସରକାର ରାଫେଲ ଲଢୁଆ ବିମାନ କ୍ରୟ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସୁପ୍ରିମ କୋର୍ଟର ଖଣ୍ଡପୀଠ ତିନି ଜଣ ବିଶେଷଜ୍ଞଙ୍କ ମତାମତ ଉପରେ ପ୍ରଶ୍ନ କରିବାରୁ ବେଣୁଗୋପାଳ କହିଥିଲେ, ଏହି ଅଧିକାରୀମାନେ ପରବର୍ତ୍ତୀ ସମୟରେ ଚୁକ୍ତିରେ ସାମିଲ କରାଯାଇଥିବା ସମସ୍ତ ପ୍ରକାର ଧାରାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲେ। ରାଫେଲ୍‌ ମାମଲାରେ ସୁପ୍ରିମ କୋର୍ଟ ଡିସେମ୍ବର ୧୪ ରାୟରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେବାପରେ ଯଶବନ୍ତ ସିହ୍ନା, ପ୍ରଶାନ୍ତ ଭୂଷଣ ଏବଂ ଅନ୍ୟମାନେ ଏହାର ସମୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶାନ୍ତ ଭୂଷଣ ଯୁକ୍ତି କରିଥିଲେ, ଏହାର ତଦନ୍ତ ପାଇଁ ଏବଂ ମାମଲା ରୁଜୁ କରିବା ସମ୍ପର୍କିତ ଆବେଦନକୁ କୋର୍ଟ ଡିସେମ୍ବର ୧୪ ରାୟ ବେଳେ ସାମିଲ କରିନଥିଲେ। ସେ ଆହୁରି ମଧ୍ୟ ଯୁକ୍ତି କରିଥିଲେ, ଆଗରୁ କେବେ ମଧ୍ୟ ନିର୍ଧାରିତ ମୂଲ୍ୟର ସଂଶୋଧନ କରିବାର ନଜିର ନାହିଁ। ତେବେ ରାଫେଲ୍‌ ଚୁକ୍ତିରେ ନିର୍ଧାରିତ ମୂଲ୍ୟକୁ ସିଏଜିଙ୍କ ଦ୍ୱାରା ସଂଶୋଧିତ କରାଯାଇଛି।

ସମ୍ବନ୍ଧିତ ଖବର