ରାଫେଲ୍‌ ଲିକ୍‌ ପାଇଁ ସୁରକ୍ଷା ବିପନ୍ନ, ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ

ଦସ୍ତାବିଜ୍‌ ଲିକ୍‌ ହେବାରୁ ସାମରିକ ତଥ୍ୟ ପ୍ରଘଟ ହେଲା ସୌରୀ, ସିହ୍ନା ଓ ପ୍ରଶାନ୍ତ ଭୂଷଣ ଦାୟୀ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟଚୁକ୍ତି ସଂକ୍ରାନ୍ତ କେତେକ ଫାଇଲ୍‌ ପ୍ରତିରକ୍ଷା ମନ୍ତ୍ରାଳୟରୁ ଲିକ୍‌ ହୋଇଥିବା ମାମଲାରେ ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସରକାରଙ୍କ ବିନା ଅନୁମତିରେ ଏହି ସମ୍ବେଦନଶୀଳ ଦସ୍ତାବିଜର ଫଟୋ କପି ଗଣମାଧ୍ୟମରେ ପ୍ରକାଶ କରାଯାଇଛି। କାର୍ଯ୍ୟାଳୟରୁ ବେଆଇନ ଭାବେ ଫଟୋ କପି ନେଇ ଏହାକୁ ପ୍ରକାଶ କରାଯିବା ଚୋରି ସଂଗେ ସମାନ ଏବଂ ଏଭଳି କାର୍ଯ୍ୟ ଦ୍ବାରା ଦେଶର ନିରାପତ୍ତା ବିପନ୍ନ ହୋଇଛି ବୋଲି ସରକାର କହିଛନ୍ତି। ସରକାର ଏହି ତଥ୍ୟ ପ୍ରଘଟ ମାମଲାର ତଦନ୍ତ ଜାରି ରଖିଛନ୍ତି ଏବଂ ଏହି ସମ୍ବେଦନଶୀଳ ତଥ୍ୟ ପ୍ରଘଟ ପାଇଁ ରାଫେଲ ରାୟର ପୁନଃ ସମୀକ୍ଷା ପାଇଁ ଆବେଦନ କରିଥିବା ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣ ଦାୟୀ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଆବେଦନକାରୀମାନେ ବେଆଇନ ଭାବେ ନିଆଯାଇଥିବା ଫଟୋ କପିକୁ ସେମାନଙ୍କ ଆବେଦନ ସହ ଯୋଡ଼ିଥିଲେ ଏବଂ ଏହି ଯୁଦ୍ଧ ବିମାନର ରଣ କୌଶଳ ସଂପର୍କରେ ମଧ୍ୟ ତଥ୍ୟ ସାର୍ବଜନୀନ କରିଦେଇଥିଲେ। ଦେଶର ଯୁଦ୍ଧ ବିମାନର ମାରକ କ୍ଷମତା ଏବଂ ଉଡ଼ାଣ କୌଶଳ ସଂକ୍ରାନ୍ତ ତଥ୍ୟ ଅତ୍ୟନ୍ତ ଗୋପନୀୟ ରଖାଯାଉଥିବା ବେଳେ ଦେଶର ନିରାପତ୍ତାକୁ ସଙ୍କଟରେ ପକାଇ ସେମାନେ ଏଭଳି କାର୍ଯ୍ୟ କରିଥିବା ସରକାର ସତ୍ୟପାଠରେ କହିଛନ୍ତି। କେବଳ ସରକାରଙ୍କୁ ବଦନାମ କରିବା ଏବଂ ବିଭ୍ରାନ୍ତି ସୃଷ୍ଟି ପାଇଁ ଫାଇଲ୍‌ର କିଛି ଅଂଶକୁ ସେମାନେ ପ୍ରଘଟ କରିଛନ୍ତି ଏବଂ ଅଦାଲତକୁ ମଧ୍ୟ ଭୁଲ୍‌ ରାସ୍ତାରେ ନେବାପାଇଁ ପ୍ରୟାସ କରିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ସତ୍ୟପାଠରେ କୁହାଯାଇଛି। ରାଫେଲ ଚୁକ୍ତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବାକୁ ଦାବି କରି ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିନଥିଲେ ଏବଂ ଡିସେମ୍ବର ୧୪ ରାୟରେ ତଦନ୍ତ ଅନାବଶ୍ୟକ ବୋଲି କହିଥିଲେ। ଏହାର ପୁନଃ ସମୀକ୍ଷା କରିବାକୁ ପୁଣି ଆବେଦନକାରୀମାନେ ଦାବି କରି କେତେକ ନୂତନ ଦସ୍ତାବିଜ ଏଥିରେ ଯୋଡ଼ିଥିଲେ। ତେବେ କୋର୍ଟ ନୂତନ ଦସ୍ତାବିଜକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିବା ସହ ଆସନ୍ତାକାଲି ଏ ବାବଦରେ ଶୁଣାଣି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର