ରାହୁଲଙ୍କୁ ଚିଡ଼େଇବା ଲାଗି ଫେବ୍ରୁଆରୀ ୨୦ରେ ରାଫେଲ ଉଡାଇବେ ମୋଦି ସରକାର !

ନୂଆଦିଲ୍ଲୀ : ରାଫେଲ ବିମାନ କିଣାକୁ ନେଇ ମୋଦି ସରକାରଙ୍କୁ ସବୁବେଳେ ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିକଟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିବାପରେ ମଧ୍ୟ ରାହୁଲ ରାଫେଲ କଥା ଉଠାଇଥିଲେ । ଏହାର ଦୃଢ ଜବାବ ମଧ୍ୟ ଦେଇଥିଲେ ପାରିକର ।
ରାହୁଲ ସବୁବେଳେ ରାଫେଲ ରାଫେଲ ହେଉଥିବାରୁ ତାଙ୍କୁ ଚିଡେଇବାକୁ ମୋଦି ସରକାର ଏକ ନୂଆ ଯୋଜନା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୨୦-୨୪ ତାରିଖରେ ବାଙ୍ଗାଲୁରୁର ହେଲେହେଙ୍ଗା ବାୟୁସେନା ଘାଟିଠାରେ ହେବାକୁ ଥିବା ବାଙ୍ଗାଲୁରୁ ଏୟାର ଶୋ’ରେ ରାଫେଲର ଉଡାଣ କରାଯିବ । ଏଥିପାଇଁ ରାଫେଲ ନିର୍ମାଣକାରୀ କମ୍ପାନି ଡାସାଲ୍ଟ ଆଭିଏସନ ପକ୍ଷରୁ ୩ଟି ରାଫେଲ ଭାରତକୁ ଆସିବ । ୨ଟି ରାଫେଲ ବିମାନ ଉଡି ନିଜର କଳାକୌଶଳ ଓ କ୍ଷମତାର ପ୍ରଦର୍ଶନ କରିବେ । ୩ୟ ରାଫେଲଟି ଗ୍ରାଉଣ୍ଡରେ ରହି ପ୍ରଦର୍ଶିତ ହେବ ।

ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ନିକଟରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ ।

ସମ୍ବନ୍ଧିତ ଖବର