ତୀବ୍ର ହେଲା ରାଫେଲ୍‌ ବିବାଦ

ସିଭିସିଙ୍କୁ କଂଗ୍ରେସର ଫେରାଦ:ଏତଲା ଦାଏର ପାଇଁ ଦାବି କଲା

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ପ୍ରସଙ୍ଗରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦଙ୍କ ପକ୍ଷରୁ ବିବୃତି ପ୍ରକାଶ ପାଇବା ପରେ ଏହି ବିବାଦ କ୍ରମେ ତୀବ୍ର ହେବାରେ ଲାଗିଛି। ମୋଦୀ ସରକାର ଏବଂ କଂଗ୍ରେସ ମଧ୍ୟରେ ଏହାକୁ ନେଇ ପ୍ରତ୍ୟେକ ଦିନ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। କଂଗ୍ରେସ ଆଜି ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ କେନ୍ଦ୍ରୀୟ ଭିଜିଲାନ୍ସ କମିସନର୍‌ (ସିଭିସି) କେ ଭି ଚୌଧରୀଙ୍କ ନିକଟରେ ଫେରାଦ ହୋଇଛି। ରାଫେଲ୍‌ ବିମାନ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏ ନେଇ ମୋଦୀ ସରକାରଙ୍କ ବିରୋଧରେ ଏକ ଏତଲା ଦାଏର ନିମନ୍ତେ ଏହା ଦାବି କରିଛି। କଂଗ୍ରେସର ବରିଷ୍ଠ ନେତାମାନେ ଆଜି ସିଭିସିଙ୍କୁ ଭେଟି ରାଫେଲ୍‌ ବାବଦରେ ଆଲୋଚନା କରିବା ସହିତ ଏଫ୍‌ଆଇଆର୍‌ ଦାଏର ପାଇଁ କହିଛନ୍ତି।
ସିଭିସିଙ୍କୁ ସାକ୍ଷାତ କରି ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି, ରାଫେଲ୍‌ ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଛି। ୨୦୧୫ ଏପ୍ରିଲ୍‌ ୧୦ରେ ମୋଦୀ ଏବଂ ଓଲାନ୍ଦଙ୍କ ଦ୍ୱାରା ଯେଉଁ ବିବୃତି ପ୍ରକାଶ ପାଇଥିଲା, ସେଥିରେ ଭାରତୀୟ ବାୟୁସେନା ଦାବି କରୁଥିବା ବିମାନ କଥା ହିଁ ଉଠିଥିଲା। ତେଣୁ ଆମେ ଚାହୁଛୁ ଚୁକ୍ତି ସଂକ୍ରାନ୍ତ ସମସ୍ତ ଦସ୍ତାବିଜକୁ ଜବତ କରାଯାଉ ଏବଂ ସିଭିସିଙ୍କ ଦ୍ୱାରା ମାମଲା ଦାଏର କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଏହାଦ୍ୱାରା ପ୍ରକୃତ ଘଟଣା ପଦାକୁ ଆସିଯିବ। ସେ କହିଛନ୍ତି, ରାଫେଲ୍‌ ଚୁକ୍ତି ଦେଶର ଏକ ବଡ଼ ଦୁର୍ନୀତି। ମୋଦୀ ସରକାର ନିଜ ଦୋଷ ଲୁଚାଇବା ପାଇଁ ଦସ୍ତାବିଜକୁ ବି ଏପଟସେପଟ କରିପାରନ୍ତି। ତେଣୁ ସିଭିସି ତୁରନ୍ତ ହସ୍ତକ୍ଷେପ କରି ଚୁକ୍ତି ସଂପର୍କିତ ସବୁ ଦସ୍ତାବିଜକୁ ଜବତ କରନ୍ତୁ।
ସିଭିସିଙ୍କୁ ସାକ୍ଷାତ କରି କଂଗ୍ରେସ ପକ୍ଷରୁ ବିସ୍ତତ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି। ଚୁକ୍ତି ଯୋଗୁ କେନ୍ଦ୍ର ସରକାରଙ୍କ ରାଜକୋଷକୁ ୪୧ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ଏହା ଦର୍ଶାଇଛି। ତେଣୁ ମାମଲାରେ ଶୀଘ୍ର ତଦନ୍ତ ହେବା ଜରୁରୀ ବୋଲି ଦଳ ଦାବି କରିଛି। କଂଗ୍ରେସ ଆହୁରି ଦର୍ଶାଇଛି ଯେ ୟୁପିଏ ଅମଳରେ ୧୨୬ ରାଫେଲ୍‌ ବିମାନ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ମୋଦୀ ସରକାର ୨୦୧୫ରେ ଏହି ଚୁକ୍ତି ବାତିଲ କରି ୩୬ଟି ବିମାନ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ୟୁପିଏ ବେଳେ ବିମାନର ମୂଲ୍ୟ ଯାହା ଥିଲା ତା’ଠାରୁ ୩ ଗୁଣ ଅଧିକ ମୂଲ୍ୟରେ ବିମାନ କିଣିବା ଲାଗି ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି।
ସିଭିସିଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିବା କଂଗ୍ରେସର ପ୍ରତିନିଧି ଦଳ ମଧ୍ୟରେ ଆନନ୍ଦ ଶର୍ମା, ଗୁଲାମନବୀ ଆଜାଦ, ଅହମ୍ମଦ ପଟେଲ୍‌, ରଣଦୀପ ସୁର୍ଯେଓ୍ଵାଲା, କପିଲ ସିବଲ୍‌, ଜୟରାମ ରମେଶ, ଅଭିଷେକ ମନୁ ସିଙ୍ଘଭି, ମନୀଷ ତିଓ୍ଵାରୀ, ବିବେକ ତନ୍‌ଖା, ପ୍ରମୋଦ ତିଓ୍ଵାରୀ ଏବଂ ପ୍ରଣବ ଝା ପ୍ରମୁଖ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖରେ ଫ୍ରାନ୍ସ ପୂର୍ବ ରାଷ୍ଟ୍ରପତି ଓଲାନ୍ଦ କହିଥିଲେ, ମୋଦୀ ସରକାରଙ୍କ ପକ୍ଷରୁ ସୁପାରିସ ହେବା ପରେ ରାଫେଲ୍‌ ବିମାନ ନିର୍ମାତା ଡାସଲ୍ଟ ଏଭିଏସନ୍‌ ଏହାର ଅଫ୍‌ସେଟ୍‌ ସହଯୋଗୀ ଭାବେ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ବାଛିଥିଲା। ଏଥିରେ ଫ୍ରାନ୍ସ ସରକାର ହସ୍ତକ୍ଷେପ କରିନଥିଲେ।
ଓଲାନ୍ଦଙ୍କ ଏଭଳି ଟିପ୍ପଣୀ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ଵିଟ୍‌ କରି ମୋଦୀ ସରକାରଙ୍କୁ ଏହାର ଜବାବ ମାଗିଥିଲେ। ଏହାକୁ ନେଇ ଉଭୟ ପକ୍ଷ ପରସ୍ପରକୁ ଦୋଷାରୋପ କରିଥିଲେ। ତେବେ ରିଲାଏନ୍ସକୁ ଚୁକ୍ତିରେ ସାମିଲ କରିବା ପାଇଁ ମୋଦୀ ସରକାର ସୁପାରିସ କରିନଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାକୁ ନେଇ ମାମଲା ଅଧିକ ସଂଗିନ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର