ରାଫେଲ କ୍ରୟ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ: କଂଗ୍ରେସର ଅଭିଯୋଗ ଲଜ୍ଜାଜନକ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରିଲାଏନ୍‌୍‌ସ ଡିଫେନ୍‌୍‌ସ କମ୍ପାନିକୁ କଂଗ୍ରେସ ଦଳ କଡ଼ା ସମାଲୋଚନା କରିବା ପରେ ଆଜି ଏହାର ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ୩୬ଟି ରାଫେଲ ଜେଟ୍‌ କ୍ରୟ ପାଇଁ ଫ୍ରାନ୍‌ସ କମ୍ପାନି ସହ ହୋଇଥିବା ଚୁକ୍ତି ସର୍ବାଧିକ ସ୍ୱଚ୍ଛତାରେ ସଂପନ୍ନ ହୋଇଛି ଏବଂ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟିର ମଂଜୁରି ପରେ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷର ହୋଇଥିଲା ବୋଲି ସୀତାରମଣ କହିଛନ୍ତି। କଂଗ୍ରେସ ଦଳ ଅତ୍ୟନ୍ତ ଲଜ୍ଜାହୀନ ଭାବେ ଦେଶର ପ୍ରତିରକ୍ଷା ପ୍ରସଙ୍ଗରେ ଅଭିଯୋଗ କରୁଛି ଏବଂ ଏହି ଅଭିଯୋଗର କିଛି ଭିତ୍ତି ନାହିଁ ବୋଲି ସେ କହିଛନ୍ତି। ଗତକାଲି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ ଯେ କେବଳ ଜଣେ ବ୍ୟବସାୟୀ (ରିଲାଏନ୍‌୍‌ସ ଡିଫେନ୍‌୍‌ସ ମାଲିକ ଅନୀଲ ଅମ୍ବାନି)ଙ୍କୁ ଫାଇଦା ଦେବାପାଇଁ ଫ୍ରାନ୍ସରୁ କିଣାଯିବାକୁ ଥିବା ୩୬ଟି ରାଫେଲ ଲଢୁଆ ବିମାନ ଚୁକ୍ତିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏ ବାବଦରେ ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ରାହୁଲ କହିଥିଲେ। ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅତ୍ୟନ୍ତ ସ୍ୱଚ୍ଛ ପ୍ରକ୍ରିୟାରେ ଏବଂ କ୍ୟାବିନେଟ୍‌ ସୁରକ୍ଷା କମିଟିର ଅନୁମୋଦନକ୍ରମେ ହୋଇଥିବା ଚୁକ୍ତିକୁ ସମାଲୋଚନା କରି କଂଗ୍ରେସ ନିଜର ଅପାରଗ ଚରିତ୍ରକୁ ପୁଣି ପଦାରେ ପକାଇ ଦେଇଛି। କଂଗ୍ରେସ ସରକାର ଅମଳରେ ନିଷ୍ପତ୍ତି ନେବାରେ ସ୍ଥାଣୁତା ଏବଂ ଦେଶର ପ୍ରତିରକ୍ଷା ଦିଗକୁ ଘୋର ଅଣଦେଖା ଯୋଗୁଁ ବାୟୁସେନାର ସାମରିକ ପ୍ରସ୍ତୁତିରେ ଆମେ ୧୦ ବର୍ଷ ପଛେଇ ଯାଇଛୁ ବୋଲି ସୀତାରମଣ କହିଛନ୍ତି।

ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନି ସହ ସଲାସୁତୁରାରେ ବିଜେପି ଫ୍ରାନ୍ସ ସହ ଅଧିକ ମୂଲ୍ୟରେ ରାଫେଲ ଚୁକ୍ତି କରିଛି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ଏହାକୁ ସମ୍ପୂର୍ଣ୍ଣ ମନଗଢା ଓ ଭିତ୍ତିହୀନ ବୋଲି ଫ୍ରାନ୍ସ ତୁରନ୍ତ ପ୍ରତିକ୍ରିୟାରେ କହିଥିଲା। ଅନ୍ୟପକ୍ଷରେ କଂଗ୍ରେସ ତା’ର ଆପତ୍ତିଜନକ ମନ୍ତବ୍ୟରୁ ନ ଓହରିଲେ ଅଦାଲତଙ୍କ ଦ୍ୱାରସ୍ଥ ହେବାଲାଗି ରିଲାଏନ୍ସ କମ୍ପାନି ମଧ୍ୟ ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର