ଫ୍ରାନ୍ସରେ ରାଫେଲ୍‌ ଝଡ଼

ରିଲାଏନ୍ସ ସହ ଚୁକ୍ତି ପାଇଁ ଡାସଲ୍ଟ ବାଧ୍ୟ ହୋଇଥିଲା: ଗଣମାଧ୍ୟମ, ସ୍ବାଧୀନ ଭାବେ ସହଯୋଗୀ ବାଛିଛୁ: ଡାସଲ୍ଟ

ନୂଆଦିଲ୍ଲୀ: ଭାରତର ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଫ୍ରାନ୍ସରେ ଆଜି ଝଡ଼ ଉଠିଛି। ଫ୍ରାନ୍ସର ଗଣମାଧ୍ୟମ ସଂସ୍ଥା ମିଡିଆପାର୍ଟ ଏବଂ ରାଫେଲ୍‌ ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନି ଡାସଲ୍ଟ ଏଭିଏସନ୍ ମଧ୍ୟରେ ଚୁକ୍ତିକୁ ନେଇ ଭିନ୍ନ ମତପ୍ରକାଶ ପାଇଛି। ରିଲାଏନ୍ସ ଡିଫେନ୍ସ ସହ ଚୁକ୍ତି ପାଇଁ ଡାସଲ୍‌ଟକୁ ବାଧ୍ୟ କରାଯାଇଥିବା ମିଡିଆପାର୍ଟ କହୁଥିବା ବେ‌େଳ କମ୍ପାନି ସ୍ବାଧୀନ ଭାବେ ନିଜ ଅଫ୍‌ସେଟ୍‌ ପାର୍ଟନର ଭାବେ ରିଲାଏନ୍ସକୁ ଚୟନ କରିଥିଲା ବୋଲି ଦାବି କରିଛି। ଫ୍ରାନ୍ସର ଗଣମାଧ୍ୟମ ସଂସ୍ଥା ମିଡିଆପାର୍ଟ ଏହାର ଏକ ରିପୋର୍ଟରେ ଦର୍ଶାଇଛି ଯେ ଭାରତୀୟ ଶିଳ୍ପପତି ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଅଫ୍‌ସେଟ୍ ପାର୍ଟନର୍ ଭାବେ ବାଛିବା ପାଇଁ ଡାସଲ୍‌ଟ ନିକଟରେ ଅନ୍ୟ କୌଣସି ଚାରା ନଥିଲା। ରିଲାଏନ୍ସକୁ ଚୟନ ନକଲେ ଚୁକ୍ତି ହାତଛଡ଼ା ହୋଇଯିବ ବୋଲି କୁହାଯାଇଥିଲା। ତେଣୁ କୌଣସି ଦୃଷ୍ଟିରୁ ଉପଯୁକ୍ତ ନଥିବା ରିଲାଏନ୍ସ ଡିଫେନ୍ସକୁ ଡାସଲ୍‌ଟ ନିଜ ସହଯୋଗୀ ସଂସ୍ଥା ଭାବେ ଚୟନ କରିଥିଲା ଏବଂ ‘ଡାସଲ୍ଟ ରିଲାଏନ୍ସ ଏରୋସ୍ପେସ୍‌ ଲିମିଟେଡ୍‌’ ନାମରେ ଯୌଥ ଉଦ୍ୟୋଗ ସ୍ଥାପନ ‌େହାଇଥିଲା। ୨୦୧୭‌ ମେ ମାସରେ ନାଗପୁରରେ କର୍ମଚାରୀ ପ୍ରତିନିଧିମାନଙ୍କୁ ଡାସଲ୍‌ଟ ଡେପୁଟି ସିଇଓ ଲୋଇକ୍ ସେଗାଲେନ୍ ଯୌଥ ଉଦ୍ୟୋଗ ବାବଦରେ ‌େଯଉଁ ଉପସ୍ଥାପନ ଦେଇଥିଲେ, ତାହା ଉପରେ ଡାସଲ୍ଟ ଏଭିଏସନ୍‌ର ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା। ଚୁକ୍ତି ହାସଲ କରିବାକୁ ହେଲେ ରିଲାଏନ୍ସ ଡିଫେନ୍ସ ସହିତ ହାତ ମିଳାଇବାକୁ ପଡ଼ିବ ବୋଲି କମ୍ପାନି ଉପରେ ଚାପ ପକାଯାଇଥିଲା। ଶେଷରେ ଡାସଲ୍ଟ ଏହାକୁ ମାନିନେଇଥିଲା ବୋଲି ଫ୍ରାନ୍ସର ଏହି ପୋର୍ଟାଲ୍‌ଭିତ୍ତିକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

 

ଡାସଲ୍ଟ ଏଭିଏସନ୍ ନିଜ ପକ୍ଷ ରଖିବାକୁ ଯାଇ କହିଛି ଯେ ଫ୍ରାନ୍ସ କିମ୍ବା ଭାରତ ସରକାରଙ୍କ ପକ୍ଷରୁ କୌଣସି ଚାପର ବଶବର୍ତ୍ତୀ ହୋଇ ନୁହେଁ, ବରଂ ଏହା ନିଜ ଇଚ୍ଛାରେ ସ୍ବାଧୀନ ଭାବେ ରିଲାଏନ୍ସ ଡିଫେନ୍ସକୁ ନିଜ ଅଫ୍‌ସେଟ୍‌ ସହଯୋଗୀ ଭାବେ ଚୟନ କରିଥିଲା। ଡାସଲ୍‌ଟ ରିଲାଏନ୍ସ ଏରେ‌ାସ୍ପେସ୍ ଲିମିଟେଡ୍‌ (ଡିଆର୍‌ଏଏଲ୍‌) ଯୌଥ ଉଦ୍ୟୋଗ ସ୍ଥାପନ ପାଇଁ ଏହା ନିଜ ମ୍ୟାନେଜ୍‌ମେଣ୍ଟ ସ୍ତରରେ ନିଷ୍ପତ୍ତି ନେଇଥିଲା। ଏଥିପାଇଁ କାହାର ଚାପ ପଡ଼ିନଥିଲା ବୋଲି ଡାସଲ୍‌ଟ ସ୍ପଷ୍ଟ କରିଦେଇଛି। ଯୌଥ ଉଦ୍ୟୋଗ ଜରିଆରେ ରାଫେଲ୍‌ ବିମାନ ନିର୍ମାଣ ସାଙ୍ଗକୁ ଫାଲ୍‌କନ୍ ୨୦୦୦ ବ୍ୟବସାୟିକ ବିମାନ ନିର୍ମାଣ କରାଯିବା ନେଇ ସହମତି ହୋଇଥିଲା। ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ହୋଇଥିବା ଆନ୍ତଃସରକାର ଚୁକ୍ତି ଅନୁସାରେ ଏହା ଭାରତକୁ ୩୬ ରାଫେଲ୍‌ ବିମାନ ବିକ୍ରି କରିଛି ବୋଲି ଡାସଲ୍ଟ ସ୍ପଷ୍ଟ କରିଛି। ଭାରତ ସହ ହୋଇଥିବା ରାଜିନାମା ଚୁକ୍ତି ମୂଲ୍ୟର ୫୦ ପ୍ରତିଶତ ଭାରତୀୟ କମ୍ପାନିରେ ନିବେଶ କରିବାକୁ ପଡ଼ିବ। ଏହାକୁ ପାଳନ କରିବାକୁ ଡାସଲ୍ଟ ପ୍ରତିଶ୍ରୁତିବଦ୍ଧ ବୋଲି ଦର୍ଶାଇଛି।

ସମ୍ବନ୍ଧିତ ଖବର