ରାଫେଲ୍‌ ମାମଲା: ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ, ଅଫ୍‌ସେଟ୍‌ ନିର୍ଦେଶାବଳି ବଦଳିଲା କାହିଁକି?

୫ ଘଣ୍ଟା ଶୁଣାଣି, ରାୟ ସଂରକ୍ଷିତ, ମୂଲ୍ୟ ଜଣାଇବା ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ବିବାଦୀୟ ରାଫେଲ୍‌ ଚୁକ୍ତି ଉପରେ ତଦନ୍ତ ହେବ କି ନାହିଁ, ସେ ବାବଦରେ ଆଜି ସୁପ୍ରିମ୍‌ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ବିଚାରପତି ଏସ୍ କେ କୌଲ ଏବଂ ବିଚାରପତି କେ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ ରାଫେଲ୍‌ ମାମଲାରେ ସମସ୍ତ ଆବେଦନକାରୀ, କେନ୍ଦ୍ର ସରକାର ଏବଂ ବାୟୁସେନା ଅଧିକାରୀଙ୍କ ଠାରୁ ‌ସେମାନଙ୍କ ପକ୍ଷ ଶୁଣିଥିଲେ। ଶେଷରେ ର‌ାଫେଲ୍‌ ଚୁକ୍ତି ଉପରେ ତଦନ୍ତ ପାଇଁ ଆବେଦନକାରୀ କରିଥିବା ଅନୁରୋଧକୁ ଆଧାର କରି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିମାନର ମୂଲ୍ୟ ସାର୍ବଜନୀନ କରିବା ପାଇଁ ଆବେଦନକାରୀ କରିଥିବା ଅନୁରୋଧକୁ ସର୍ବୋଚ୍ଚ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି, ବିମାନ ମୂଲ୍ୟ ଏବେ ଜଣାଇବା ଆବଶ୍ୟକ ନାହିଁ। ସୁପ୍ରିମ‌୍‌ କୋର୍ଟ ଯେ ପର୍ଯ୍ୟନ୍ତ ନକହିଛନ୍ତି, ସେ ଯାଏ ମୂଲ୍ୟ ବାବଦରେ ସୂଚନା ଦେବା ଦରକାର ନାହିଁ। ତେବେ ରାଫେଲ୍‌ ଚୁକ୍ତିର ଅଫ୍‌ସେଟ୍‌ ନିର୍ଦ୍ଦେଶାବଳିକୁ ବଦଳାଯିବା ଉପରେ ସୁପ୍ରିମ୍‌ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେଉଁ ଭିତ୍ତିରେ ଏହାକୁ ବଦଳାଇବାକୁ ପଡ଼ିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାନୁସାରେ ରାଫେଲ୍‌ ଚୁକ୍ତି ବାବଦରେ କେନ୍ଦ୍ର ଦେଇଥିବା ସମସ୍ତ ବିବରଣୀକୁ ଆଧାର କରି ଆବେଦନକାରୀ ଆଜି ନିଜ ନିଜ ଦସ୍ତାବିଜ ଦାଖଲ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ନିଜ ପକ୍ଷ ରଖିଥିଲେ। ଏମିତି କି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ବାୟୁସେନାର ଦୁଇଜଣ ବରିଷ୍ଠ ଅଧିକାରୀ ଶୁଣାଣି ବେଳେ ହାଜର ହୋଇ ବିମାନର ଆବଶ୍ୟକତା ଉପରେ ଯୁକ୍ତି ରଖିଥି‌ଲେ। କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ୍‌ କେ ‌କେ ବେଣୁଗୋପାଳ ବାୟୁସେନା ପାଇଁ ରାଫେଲ୍‌ ବିମାନ ଜରୁରୀ ଥିଲା ବୋଲି ଜଣାଇଥିଲେ।‌ ବେଣୁଗୋପାଳ କାର୍‌ଗିଲ୍‌ ଯୁଦ୍ଧ କଥା ମଧ୍ୟ ଉଠାଇଥିଲେ। ସେ କହିଥିଲେ କାର୍‌ଗିଲ୍‌ ଯୁଦ୍ଧ ବେଳେ ଯଦି ରାଫେଲ୍‌ ବିମାନ ଥାଆନ୍ତା, ତେବେ ଭାରତର କମ୍‌ ଯବାନ ସହିଦ ହୋଇଥାନ୍ତେ। ଏ ବାବଦରେ ବାୟୁସେନା ଅଧିକାରୀ ମଧ୍ୟ ବେଣୁଗୋପାଳଙ୍କ ଯୁକ୍ତିକୁ ସମର୍ଥନ ଜଣାଇଥିଲେ। ବେଣୁଗୋପାଳ କହିଥି‌ଲେ, ବିମାନର ମୂଲ୍ୟ ବାବଦରେ କୌଣସି ପ୍ରକାର ଗୋପନୀୟତା ପାଇଁ ସରକାର ଚିନ୍ତିତ ନୁହନ୍ତି। ବରଂ ଏଥିରେ ଖଞ୍ଜାହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିମାନ ଗଠନ ପ୍ରଣାଳୀର ସମ୍ବେଦନଶୀଳ ତଥ୍ୟ ପ୍ରଘଟକୁ ନେଇ ସରକାର ଚିନ୍ତିତ।

ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନିଜ ଯୁକ୍ତିରେ କହିଥିଲେ, ସଂସଦରେ ଦୁଇଟି ଅବସରରେ ସରକାର ଏହାର ମୂଲ୍ୟ ଜଣାଇଛନ୍ତି। ଯଦି ମୂଲ୍ୟ ଜଣାଇବା ଦ୍ବାରା ନିରାପତ୍ତା କ୍ଷୁଣ୍ଣ ହେବ ବୋଲି ସରକାର କହୁଛନ୍ତି, ତେବେ ସଂସଦରେ ଦୁଇଥର କୁହାଗଲା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିମ୍‌ କୋର୍ଟ ସମସ୍ତ ପକ୍ଷ ଶୁଣିବା ପରେ କେନ୍ଦ୍ର ସରକାରଙ୍କୁ ଅଫ୍‌ସେଟ୍‌ ନିର୍ଦ୍ଦେଶାବଳି ପରିବର୍ତ୍ତନ ଉପରେ ପ୍ରଶ୍ନ କରିଥିଲେ। ୨୦୧୫ରେ କେଉଁ ଭିତ୍ତିରେ ଏହାକୁ ବଦଳାଗଲା ବୋଲି ପଚାରିଥିଲେ। ଜବାବରେ ଆଟର୍ଣ୍ଣି ଜେନେରାଲ୍‌ କହିଛନ୍ତି, ଅଫ୍‌ସେଟ୍‌ ଚୁକ୍ତି ମୁଖ୍ୟ ରାଜିନାମା ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରୁଛି। ଡାସଲ୍ଟ ଏ ପର୍ଯ୍ୟନ୍ତ ଅଫ୍‌ସେଟ୍‌ ସହଯୋଗୀ ସଂସ୍ଥାର ବିବରଣୀ ପ୍ରଦାନ କରିନାହିଁ। ତେବେ ଅଫ୍‌ସେଟ୍‌ ସହଯୋଗୀ ଚୟନରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ପୂର୍ବରୁ ଅନେକ ବାର କୁହାଯାଇଛି ବୋଲି ବେଣୁଗୋପାଳ ଦର୍ଶାଇଛନ୍ତି।

ବାୟୁସେନାକୁ ପ୍ରଧାନ ବିଚାରପତି ପ୍ରଶ୍ନ
ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାୟୁସେନାର ଦୁଇଜଣ ବରିଷ୍ଠ ଅଧିକାରୀ ଆଜି ହାଜର ହୋଇଥିଲେ। ଏୟାର ମାର୍ସଲ୍‌ ବି.ଆର. ଚୌଧରି, କମାଣ୍ଡର ଇନ୍‌ ଚିଫ୍‌ (ଇଷ୍ଟର୍ଣ୍ଣ କମାଣ୍ଡ) ଆଲୋକ ଖୋସ୍‌ଲା ହାଜର ହୋଇ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।
ପ୍ରଶ୍ନ: ବାୟୁସେନାରେ ସବୁଠାରୁ ନୂଆ ବିମାନ କ’ଣ?
ଜବାବ: ସୁଖୋଇ ୩୦।
ପ୍ରଶ୍ନ: ଏହି ବିମାନ କ’ଣ ଚତୁର୍ଥ ପିଢ଼ିର?
ଜବାବ: ନା। ଏହା ୩.୫ ପିଢ଼ିର ବିମାନ।
ପ୍ରଶ୍ନ: ବାୟୁସେନାକୁ ମିରେଜ୍ କେବେ ଆସିଥିଲା?
ଜବାବ: ୧୯୮୫ରେ।
ପ୍ରଶ୍ନ: ଏବେ ଆସିବାକୁ ଥିବା ନୂଆ ବିମାନ କେଉଁ ପିଢ଼ିର?
ଜବାବ: ପଞ୍ଚମ।

ସରକାରଙ୍କୁ ଘେରିଲେ ଅରୁଣ ସୌରି
ସୁପ୍ରିମ୍‌ କୋର୍ଟରେ ଅରୁଣ ସୌରି ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ ଅଫ୍‌ସେଟ୍‌ ବାବଦ ପ୍ରସଙ୍ଗକୁ ପରମୁହୂର୍ତ୍ତରେ ବଦଳାଯାଇଛି। ରିଲାଏନ୍ସକୁ ଡାସଲ୍ଟ ହିଁ ଚୟନ କରିଛି। ଚୁକ୍ତି ସମୟରେ ଡାସଲ୍ଟ ଆର୍ଥିକ ସଂକଟ ଦେଇ ଗତି କରୁଥିଲା। ଏହି କାରଣରୁ କମ୍ପାନିକୁ ସରକାରଙ୍କ ସବୁ ସର୍ତ୍ତରେ ରାଜି ହେବାକୁ ପଡ଼ିଥିଲା। ତେଣୁ ରିଲାଏନ୍ସ ସହିତ ଏହା ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ଚୁକ୍ତି ଦ୍ବାରା ଡାସଲ୍ଟ ମଧ୍ୟ ଫାଇଦା ପାଇଥିଲା। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ ସହ କୌଣସି ବିଚାରବିମର୍ଶ ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଫ୍‌ସେଟ୍‌ ଚୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ।

ବିମାନ ଉପରେ ଗ୍ୟାରେଣ୍ଟି ଦେଇନି ଫ୍ରାନ୍ସ
ନୂଆଦିଲ୍ଲୀ: ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ ନିକଟରୁ ୩୬ ଯୁଦ୍ଧ ବିମାନ ଆଣିବା ପାଇଁ ଭାରତ ଚୁକ୍ତି କରିଥିବା ବେଳେ ଫ୍ରାନ୍ସ ସରକାର କିନ୍ତୁ ଏହି ବିମାନ ଉପରେ କୌଣସି ଗ୍ୟାରେଣ୍ଟି ଦେଇନାହାନ୍ତି। ସୁପ୍ରିମ୍‌ କୋର୍ଟରେ ରାଫେଲ୍‌ ବିମାନ ଚୁକ୍ତି ଉପରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେ‌ନେରାଲ୍‌ କେ କେ ବେଣୁଗୋପାଳ ଖଣ୍ଡପୀଠଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦିଓ ଫ୍ରାନ୍ସ ସରକାର କୌଣସି ଗ୍ୟାରେଣ୍ଟି ଦେଇନାହାନ୍ତି, ବିମାନ ନିମନ୍ତେ ଏକ ‌‘ଲେଟର୍‌ ଅଫ୍‌ କମ୍ଫର୍ଟ’ ବା ଆଶ୍ବାସନା ପତ୍ର ଜାରି କରାଯାଇଛି।

୩୩ ବର୍ଷ ‌ହେଲା ଯୁଦ୍ଧବିମାନ ଆଣିନି ଭାରତ
ନୂଆଦିଲ୍ଲୀ: ରାଫେଲ୍‌ ବିମାନ ଚୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମ୍‌ କୋର୍ଟରେ ମାରାଥନ୍‌ ଶୁଣାଣିରେ ବ‌ାୟୁସେନା ମଧ୍ୟ ଭାଗନେଇଥିଲା। ବାୟୁସେନାର ଦୁଇଜଣ ବରିଷ୍ଠ ଅଧିକାରୀ ପଞ୍ଚମ ପିଢ଼ି ରାଫେଲ୍‌ର ଆବଶ୍ୟକତା ଉପରେ ଯୁକ୍ତି ବାଢ଼ିଥିଲେ। ବାୟୁସେନାର ଏୟାର ମାର୍ସଲ୍ କହିଥିଲେ ଯେ ୩୩ ବର୍ଷ ହେଲା ଭାରତ କୌଣସି ଯୁଦ୍ଧ ବିମାନ ଆଣିନାହିଁ। ତେଣୁ ବାୟୁସେନା ପାଇଁ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌ର ଅତ୍ୟନ୍ତ ଆବଶ୍ୟକ ଥିଲା। ତାଙ୍କ କହିବାନୁଯାୟୀ ଶେଷଥର ପାଇଁ ବାୟୁସେନାରେ ସୁଖୋଇ ୩୦ ବିମାନ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର