ରାଫେଲ୍‌ ଝଟ୍‌କାରୁ ଶିକ୍ଷା

ଏକେ-୧୦୩ ପ୍ରକଳ୍ପରେ ଅଂଶୀଦାର ହେବନି ଅଦାନି ଗ୍ରୁପ୍‌, ରୁଷ୍‌ ପ୍ରସ୍ତାବକୁ ସରକାରଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଅଦାନି ଗ୍ରୁପ୍‌ ସହିତ ମିଳିତ ଭାବେ ଏକେ ସିରିଜ୍‌ର ଅତ୍ୟାଧୁନିକ ‘ଆସଲ୍‌୍‌ଟ ରାଇଫଲ’ ତିଆରି କରିବା ପାଇଁ ରୁଷ୍‌ର ପ୍ରସ୍ତାବକୁ ମୋଦୀ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଫ୍ରାନ୍‌୍‌ସ ସହିତ ୫୮ ହଜାର କୋଟି ଟଙ୍କାର ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ବିବାଦ ଲାଗି ରହିଥିବା ଏବଂ କଂଗ୍ରେସ ଏହି ମାମଲାରେ ପ୍ରତିଦିନ ସରକାରଙ୍କୁ ଘେରୁଥିବା ବେଳେ ଏଭଳି ସମୟରେ କୌଣସି ଘରୋଇ କମ୍ପାନିକୁ ସାମରିକ ଚୁକ୍ତିରେ ଅଂଶୀଦାର କରିବାକୁ ସରକାର ଚାହୁନାହାନ୍ତି। ରାଫେଲ ନିର୍ମାଣ ଯୋଜନାରୁ ହିନ୍ଦୁସ୍ତାନ ଏରୋନଟିକ୍‌୍‌ସ ଲିମିଟେଡ (ହାଲ୍‌)କୁ ବାଦ୍‌ ଦିଆଯାଇଥିବାରୁ କଂଗ୍ରେସ ଏହାର ଜୋର୍‌ଦାର ବିରୋଧ କରି ଆନ୍ଦୋଳନ ଧମକ ମଧ୍ୟ ଦେଇଛି। ତେଣୁ ଅଦାନି ଗ୍ରୁପ୍‌କୁ ଏକେ ସିରିଜ୍‌ର ୧୦୩ ବନ୍ଧୁକ ନିର୍ମାଣ ପ୍ରକଳ୍ପରୁ ଦୂରେଇ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ରୁଷ୍‌ ସରକାର ଅଦାନି ଗ୍ରୁପ୍‌ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇବା ସତ୍ତ୍ୱେ ସରକାର ଏହାକୁ ଗ୍ରହଣ କରିନାହାନ୍ତି।

ଏକେ ସିରିଜ୍‌ର ସର୍ବାଧୁନିକ ସଂସ୍କରଣ ଏକେ-୧୦୩ ବନ୍ଧୁକ ଏବେ ଭାରତୀୟ ସେନା ଆବଶ୍ୟକ କରୁଛି ଏବଂ ପ୍ରାୟ ୭ ଲକ୍ଷ ବନ୍ଧୁକ ଭାରତ ହାସଲ କରିବା ପାଇଁ ଯୋଜନା ରହିଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଏପ୍ରିଲ୍‌ରେ ତାଙ୍କର ମସ୍କୋ ଗସ୍ତ ବେଳେ ଭାରତରେ ଏକେ-୧୦୩ ବନ୍ଧୁକ ତିଆରି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏ ବାବଦରେ ଦୁଇ ଦେଶ ବିସ୍ତତ ଆଲୋଚନା କରିଛନ୍ତି। ତେବେ ରୁଷ୍‌ ସରକାର ଏହି ପ୍ରକଳ୍ପରେ ଭାରତର କାହାକୁ ଅଂଶୀଦାର କରିବେ ସେହି ସ୍ୱାଧୀନତା ଭାରତ ଦେଇପାରିବ ନାହିଁ ଏବଂ ଭାରତ ହିଁ ଏ କ୍ଷେତ୍ରରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ରୁଷ୍‌କୁ ଜଣାଇ ଦିଆଯାଇଛି। ସରକାର ଭାରତୀୟ ଗୋଳାବାରୁଦ କାରଖାନା ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ ଚାଲି ଆସିଥିବା ଏକେ-୪୭ ବନ୍ଧୁକର ଅତ୍ୟାଧୁନିକ ସଂସ୍କରଣ ଏକେ-୧୦୩ ବନ୍ଧୁକର ଆବଶ୍ୟକତା ଦୃଷ୍ଟିରୁ ସରକାର ଏ ଦିଗରେ ଖୁବ୍‌୍‌ଶୀଘ୍ର ପଦକ୍ଷେପ ତ୍ୱରାନ୍ଵିତ କରିବେ ବୋଲି ମଧ୍ୟ ଜଣାପଡ଼ିଛି । ଘରୋଇ ଅଂଶୀଦାର ଚୟନ ପାଇଁ ରୁଷ୍‌ ଭାରତକୁ ବାଧ୍ୟ କରିପାରିବ ନାହିଁ ବୋଲି ପୂର୍ବରୁ ଦୁଇ ଦେଶ ମଧ୍ୟରେ ଚୁକ୍ତି ରହିଥିବାରୁ ଏ କ୍ଷେତ୍ରରେ ଭାରତ ପାଇଁ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି କୁହାଯାଇଛି । ମେକ୍‌୍‌ ଇନ୍‌ ଇଣ୍ଡିଆ ଯୋଜନାରେ ସମସ୍ତ ବନ୍ଧୁକ ଭାରତରେ ହିଁ ତିଆରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର