ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ଶକ୍ତି ବଢ଼ାଇବ ରାଫେଲ୍‌, ସର୍ଜିକାଲ ଷ୍ଟ୍ରାଇକ୍‌ ନୂଆ ନୀତିର ପରିଚୟ ଦେଇଛି

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି ଏବଂ ଆସନ୍ତାକାଲି ମୋଦୀ ସରକାରଙ୍କ ଶେଷ ବଜେଟ୍‌ ଉପସ୍ଥାପନ ହେବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇଛନ୍ତି। ରାଷ୍ଟ୍ରପତି ବିମୁଦ୍ରୀକରଣ, ଜିଏସ୍‌ଟି, ସର୍ଜିକାଲ ଷ୍ଟ୍ରାଇକ୍‌, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାଫେଲ ଚୁକ୍ତି ସମେତ ଅନ୍ୟ ଯୋଜନାଗୁଡ଼ିକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି କହିଥିଲେ ସରକାର ସର୍ଜିକାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ନୂଆ ନୀତିର ପରିଚୟ ଦେଇଛନ୍ତି। ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସାମିଲ ହେବାକୁ ଯାଉଥିବାରୁ ଏହା ଦେଶର ଶକ୍ତି ବୃଦ୍ଧି କରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ସୁରକ୍ଷା ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି। ବିଗତ ସାଢ଼େ ୪ ବର୍ଷରେ ସରକାର ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ବିଦେଶରେ ଜମା କଳାଧନ ଆଣିବା ଦିଗରେ କେତେକ ବୁଝାମଣା ହୋଇଛି। ବିଭିନ୍ନ ରାଷ୍ଟ୍ର ସହ ରହିଥିବା ପୁରୁଣା ଚୁକ୍ତିରେ ପରିବର୍ତ୍ତନ ଆଣି ସରକାର ଏ ଦିଗରେ ଆଗକୁ ବଢ଼ୁଛନ୍ତି। ବିମୁଦ୍ରୀକରଣ ଯୋଗୁଁ କଳାଧନ କାରବାରରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରୁଛି। ୩ ଲକ୍ଷରୁ ଅଧିକ ନକଲି କମ୍ପାନିକୁ ବନ୍ଦ କରାଯାଇଛି। ୮ କୋଟି ନକଲି ହିତାଧିକାରୀଙ୍କ ନାମ ହଟାଇ ଦିଆଯାଇଛି । ଜିଏସ୍‌ଟି ଯୋଗୁଁ ‘ଗୋଟିଏ ଦେଶ ଗୋଟିଏ ଟିକସ’ ବ୍ୟବସ୍ଥା ସାକାର ହୋଇଛି। ସରକାର ଜିଏସ୍‌ଟିରେ ସଂସ୍କାର ମଧ୍ୟ ଆଣିଛନ୍ତି। କୋଇଲା ଖଣି ଆବଣ୍ଟନରେ ସର୍ବାଧିକ ସ୍ବଚ୍ଛ ନୀତି ଅବଲମ୍ବନ କରାଯାଇଛି । ସରକାର ବିକାଶକୁ ପ୍ରାଥମିକତା ଦେଇ ବ୍ୟାପକ ସଫଳତା ହାସଲ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସମୃଦ୍ଧି ଆଣିବା ସରକାରଙ୍କ ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାର ନୂଆ ଭାରତର ନିର୍ମାଣ ଦିଗରେ ଅଗ୍ରସର ହେଉଛନ୍ତି। ଦେଶର ୫୦ କୋଟି ଗରିବଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବାକୁ ବ୍ୟବସ୍ଥା କରିଛନ୍ତି। ବିଗତ ସାଢ଼େ ୪ ବର୍ଷରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୧ କୋଟି ୩୦ ଲକ୍ଷ ଗୃହ ନିର୍ମାଣ କରିବାରେ ସରକାର ସକ୍ଷମ ହୋଇଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

ସମ୍ବନ୍ଧିତ ଖବର