ଦୀପାବଳି ପରେ ରାହୁଳ ଗାନ୍ଧୀ ହେବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ଦଳର ନେତୃତ୍ୱ ନେବେ। ଏ ନେଇ ରାହୁଲଙ୍କ ମାଆ ତଥା କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧି ସୂଚନା ଦେଇଛନ୍ତି। ଆଗାମୀ ଦୀପାବଳି ପରେ ପରେ ହିଁ କଂଗ୍ରେସ ଦଳର ଏପରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ଓ ରାହୁଲ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବେ ବୋଲି ସୋନିଆ ଗାନ୍ଧୀ ସୂଚନା ଦେଇଛନ୍ତି। ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ସୋନିଆ ଗାନ୍ଧୀ ଯୋଗଦେବା ଅବସରରେ ପୁଅ ରାହଲଙ୍କର ସମ୍ପର୍କରେ ଲାଗି ରହିଥିବା ସସ୍‌ପେନ୍ସ ଉପରୁ ପରଦା ହଟାଇଛନ୍ତି।କହିଛନ୍ତି ଖୁବ୍‌ ଶୀଘ୍ର ରାହୁଳ ତାଙ୍କ ଠାରୁ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଛନ୍ତି।

କଂଗ୍ରେସ ଦଳର ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ଦୀପାବଳୀ ପରେ କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ। ସେ ତାଙ୍କ ମାଙ୍କ ଠାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। କଂଗ୍ରେସ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ କରି ଓ ରାହୁଳଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରି ୨୦୧୯ ସାଧାରଣ ନିର୍ବଚନକୁ ସାମନା କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାହୁଲ୍‌ଙ୍କ ନେତୃତ୍ୱରେ ହିଁ ଦଳ ଆଶାନୁରୂପ ସଫଳତା ଲାଭ କରିବ ବୋଲି ଅନେକ କଂଗ୍ରେସ ନେତୃମଣ୍ଡଳି ଚିନ୍ତା କରୁଛନ୍ତି। ଏପରିକି ଅନେକ ବରିଷ୍ଠ ନେତା ମଧ୍ୟ ଏହି ସମ୍ଭାବନାକୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ଆପଣମାନେ ମଧ୍ୟ ଏ ନେଇ ବାରମ୍ବାର ପ୍ରଶ୍ନ ପଚାରି ଆସିଛନ୍ତ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିବା ସହିତ ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାହାର ଯଥେଷ୍ଟ ପୂର୍ବରୁ ରାହୁଲ୍‌ଙ୍କୁ ଦଳର ମଙ୍ଗ ସମ୍ଭାଳିବା ଦାୟିତ୍ୱ ଅର୍ପଣ କରିବା ସମୟୋଚିତ ପଦକ୍ଷେପ ହେବ ବୋଲି ସୋନିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲଙ୍କୁ ସର୍ବସମ୍ମତି କ୍ରମେ ଦଳର ଅଧ୍ୟକ୍ଷ କରିବା ଲାଗି ଗତ ମଙ୍ଗଳବାର କଂଗ୍ରେସର ଏକ ଆଭ୍ୟନ୍ତରୀଣ ବୈଠକରେ ପୂର୍ବତନ ସାଂସଦ ତଥା ଯୁବନେତା ସଚିନ ପାଇଲଟ ଏକ ପ୍ରସ୍ତାବ ଆଣିଥିଲେ। ବର୍ତ୍ତମାନ ହିଁ ରାହୁଲ ଦଳ ସମ୍ଭାଳିବାର ପ୍ରକୃଷ୍ଟ ସମୟ ବୋଲି ସଚିନ ଜୋର୍‌ ଦେଇଥିଲେ।


ଏ ନେଇ ସୋନିଆ ଗାନ୍ଧୀ କହିଛନ୍ତି ଯେ କେଂଗ୍ରସ ଓ୍ଵାର୍କିଂ କମିଟିର ବୈଠକ ଆସନ୍ତା ଦୀପାବଳି ପରେ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସର ସଭାପତି ପଦବିରେ ରାହୁଲଙ୍କୁ ନିଯୁକ୍ତି ନେଇ ମଞ୍ଜୁରି ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ଦେଶର ଅଧିକାଂଶ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସହିତ ଯୁବ କଂଗ୍ରେସ ଶାଖାଗୁଡ଼ିକ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପାଇଁ ସଙ୍କଳ୍ପ ପାସ୍‌ କରି ଅଲ ଇଣ୍ଡିଆ କଂଗ୍ରେସ କମିଟି ପାଖକୁ ପଠାଇ ଦେଇଛନ୍ତି। ତେଣୁ ରାହୁଳ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଗଲେ ପାର୍ଟି ମଧ୍ୟରୁ କୌଣସି ବିବାଦ ଉପୁଜିବାର ସମ୍ଭାବନା ହିଁ ନାର୍ହି ବୋଲି ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ ହେଉଛି , ରାହୁଲଙ୍କ ପରିବାର ର କେହି ପୂର୍ବରୁ ସଭାପତି ହେବା ବେଳେ ଦଳରେ କିଛିଟା ପ୍ରତିବାଦର ସ୍ୱର ଉଠୁଥିଲା। ଏପରିକି ସୋନିଆ ଗାନ୍ଧୀ ୨୦୦ ମସିହାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ବେଳେ ତାଙ୍କୁ ଜିତେନ୍ଦ୍ର ପ୍ରସାଦଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା। ମାତ୍ର ରାହୁଳଙ୍କୁ ନିଦ୍ୱନ୍ଦ୍ୱରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାମାନେ ଚାହୁଛନ୍ତି। ତେବେ ଆଗାମୀ ୨୫ ତାରିଖ ସୁଦ୍ଧା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବିରେ ରାହୁଲ ଗାନ୍ଦୀଙ୍କୁ ବସାଇବା ପାଇଁ ଆପତତଃ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର