ଦେବେ ଗୌଡ଼ାଙ୍କୁ ଭୁଲ୍‌ ମାଗିଲେ ରାହୁଳ ଗାନ୍ଧୀ

ବେଙ୍ଗାଲୁରୁ: ଜନ୍ମଦିନ ପାଇଁ ଜେଡି (ଏସ୍‌)ର ସୁପ୍ରିମୋ ଏଚ୍‌ଡି ଦେବେ ଗୌଡ଼ାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ରାହୁଳ ଗାନ୍ଧୀ ଦେବେ ଗୌଡ଼ାଙ୍କୁ ଭୁଲ୍‌ ମଧ୍ୟ ମାଗିଛନ୍ତି।

ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଦେବେ ଗୌଡ଼ାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରି କହିଥିବାରୁ ରାହୁଳ ଗାନ୍ଧୀ ତାଙ୍କୁ କ୍ଷମା ଯାଚନା କରିଥିବା କଥା କୁହାଯାଉଛି। ମାଣ୍ଡ୍ୟା ଠାରେ ଏକ ରାଲିରେ ରାହୁଳ ଜେଡି(ଏସ୍‌)କୁ ବିଜେପିର ‘ବି’ ଦଳ ଏବଂ ପରେ ଜନତା ଦଳ (ସଂଘ ପରିବାର) ବୋଲି ଅଭିହିତ କରିଥିଲେ।

ଆଜି ସକାଳେ ମୋଦି ଟୁଇଟ୍‌ କରି କହିଛନ୍ତି: ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।

୧୯୯୬ ମସିହା ଜୁନ୍‌ ୧ ତାରିଖରୁ ୧୯୯୭ ମସିହା ଏପ୍ରିଲ୍‌ ୨୧, ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ଥିବା ଗୌଡ଼ାଙ୍କୁ ଆଜି ୮୫ ବର୍ଷ ହେଲା।
ଦିନକ ପୂର୍ବରୁ ଅର୍ଥାତ୍‌ ଗୁରୁବାର ଦିନ ରାହୁଳ ଗାନ୍ଧୀ ଦେବେ ଗୌଡ଼ାଙ୍କୁ ଫୋନ୍‌ କରି ଜେଡି(ଏସ୍‌) ସହ ସମ୍ପର୍କ ନିବିଡ଼ କରିବାକୁ ଅନୁରୋଧ କରିଥିଲେ।

ଦଳୀୟ ସୂତ୍ରରୁ ପ୍ରକାଶ ଦୁଇ ନେତାଙ୍କ ମଧ୍ୟରେ ଅନ୍ୟୂନ ୧୦ ମିନିଟି କଥାବାର୍ତ୍ତ ହୋଇଥିଲା। ଏଥିରେ ଉଭୟ କର୍ଣ୍ଣାଟକର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହାକୁ ଆଗେଇ ନେବା ପାଇଁ କ’ଣ କରାଯିବା ଉଚିତ ସେ କଥା ମଧ୍ୟ ଆଲୋଚନା କରିଥିଲେ। ଉଭୟ ଏକତ୍ର ହୋଇ କର୍ଣ୍ଣାଟକର ସାମୂହିକ କାରଣ ପାଇଁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ରାହୁଳ ଗୌଡ଼ାଙ୍କୁ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ ଏବଂ ଜନ୍ମଦିନ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଥିଲେ। ଗତକାଲି ଗୌଡ଼ା ତିରୁମାଳା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ।

ସମ୍ବନ୍ଧିତ ଖବର