ମୋଦିଙ୍କ ୪ ବର୍ଷ : ଶାହା କହିଲେ ସବୁଠୁ ପରିଶ୍ରମୀ ପ୍ରଧାନମନ୍ତ୍ରୀ, ରାହୁଲ୍‌ ଦେଲେ ଏଫ୍‌ ଗ୍ରେଡ଼୍‍

ନୂଆଦିଲ୍ଲୀ: ଆଜି କେନ୍ଦ୍ରର ମୋଦି ସରକାର ୪ ବର୍ଷ ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାରର ପ୍ରଦର୍ଶନ କିଭଳି ରହିଛି, ତାହାର ଆକଳନ ହୋଇଛି। ଚିରାଚରିତ ଭାବେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରାଯାଇଥିବାବେଳେ ବିରୋଧୀ କଂଗ୍ରେସ ତାଙ୍କ ସରକାରର ଦୋଷତୃଟି ଦର୍ଶାଇଛି।

ଏହି ଅବସରରେ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଅମିତ ଶାହ କହିଛନ୍ତି ମୋଦିଙ୍କ ନେତୃତ୍ୱରେ ସରକାର ଯେଉଁ ସାମାଜିକ ଓ ଅର୍ଥନୈତିକ ପଦକ୍ଷେପ ନେଇଛନ୍ତି  ତାହା ଦ୍ୱାରା ଦେଶବାସୀଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିଛି। ବିଜେପି ଦେଶକୁ ସବୁଠାରୁ ଅଧିକ ପରିଶ୍ରମୀ ଏବଂ ବିଶ୍ୱର ଜଣେ ଲୋକପ୍ରିୟ ନେତା ଉପହାର ଦେଇଛି। ନରେନ୍ଦ୍ର ମୋଦି ହେଉଛନ୍ତି ସେହିଭଳି ଜଣେ ପ୍ରଧାନମନ୍ତ୍ରୀ ଯିଏ କି ଦେଶବାସୀଙ୍କ ଲାଗି ଦୈନିକ ୧୫ରୁ ୧୮ ଘଣ୍ଟା କାମ କରୁଛନ୍ତି। ଶାହା ଅନ୍ୟପକ୍ଷରେ ବିରୋଧିଙ୍କୁ କଟାକ୍ଷ କରି କହିଛନ୍ତି, ସେମାନଙ୍କ ଏଜେଣ୍ଡା ମୋଦି ଏବଂ ବିଜେପିକୁ ହଟାଇବା,ଆମର ଏଜେଣ୍ଡା ଦେଶରୁ ଦୁର୍ନୀତି ଓ ଦାରିଦ୍ର୍ୟ ଦୂର କରିବା।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରର ଦୋଷ ଦୁର୍ବଳତା ଦେଖାଇବାକୁ ଏହି ଅବସରକୁ ଉପଯୋଗ କରିଛନ୍ତି। ରାହୁଲ ୪ ବର୍ଷର ମୋଦି ସରକାରର ପ୍ରଦର୍ଶନକୁ ଏହି ରିପୋର୍ଟରେ ‘ଏଫ୍‌’ ଗ୍ରେଡ଼୍‍ ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି , କୃଷି,ବିଦେଶନୀତି ,ତୈଳ ଦର, ଚାକିରି ଯୋଗାଣ ଆଦି କ୍ଷେତ୍ରରେ ମୋଦି ସରକାର ‘ଏଫ୍‌ ’ଗ୍ରେଡ଼୍‍ ପାଇବା ଯୋଗ୍ୟ। ତେବେ ସ୍ଲୋଗାନ୍‌ ଦେବା ଏବଂ ବ୍ୟକ୍ତିଗତ ପ୍ରଚାରରେ ମୋଦିଙ୍କୁ ‘ଏ ପ୍ଲସ୍‌’ଗ୍ରେଡ଼୍‍ ଦେଇଛି ରାହୁଲ୍‌ଙ୍କ ରିପୋର୍ଟ କାର୍ଡ଼। ନିଜ ଟ୍ଵିଟର ହାଣ୍ଡେଲ୍‌ରୁ ଉପରୋକ୍ତ ତଥ୍ୟ ରାହୁଲ ପ୍ରକାଶ କରିଛନ୍ତି।

ଆଜିର ଦିନକୁ କଂଗ୍ରେସ ଦଳ ବିଶ୍ୱାସଘାତ ଦିବସ ଭାବେ ସମଗ୍ର ଦେଶରେ ପାଳନ କରୁଛି। କଂଗ୍ରେସ କହିଛି କି ଦେଶବାସୀଙ୍କୁ ମୋଦି ଯେଉଁ ଆଚ୍ଛେଦିନର ସ୍ୱପ୍ନ ଦେଖାଇ ଶାସନକୁ ଆସିଥିଲେ ତାହା ସେ ପୂରଣ କରିନାହାନ୍ତି। ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି।

ସମ୍ବନ୍ଧିତ ଖବର