ପାଟନା ରୢାଲିରେ ରାହୁଲଙ୍କ ଘୋଷଣା, କ୍ଷମତାକୁ ଆସିଲେ ସବୁ କୃଷକଙ୍କୁ ଋଣଛାଡ଼

ପାଟନା: କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଦେଶର ସମସ୍ତ କୃଷକଙ୍କ ଋଣ ଛାଡ଼ କରିବ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାଟନା ଗାନ୍ଧୀ ମଇଦାନରେ ଅନୁଷ୍ଠିତ ରୢାଲିରେ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ମିଳିବ ବୋଲି ମଧ୍ୟ ରାହୁଲ ତାଙ୍କର ପୂର୍ବ ଘୋଷଣାକୁ ଦୋହରାଇଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଯେଭଳି ଋଣ ଛାଡ଼ କରିଛି ସେହି ଆଧାରରେ ଦେଶର ସମସ୍ତ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ରାହୁଲ କହିଛନ୍ତି। କୃଷକଙ୍କ ସମସ୍ୟା ସମାଧାନ ପାଇଁ କଂଗ୍ରେସ ବଦ୍ଧପରିକର ଏବଂ ଏହାକୁ ଆମେ ପ୍ରମାଣିତ କରିବୁ ବୋଲି ସେ କହିଛନ୍ତି। ରାହୁଲ ଏହି ରୢାଲିରେ ରାଫେଲ ପ୍ରସଙ୍ଗ ଉଠାଇ ପୁଣି ‘ଚୌକିଦାର ଚୋର ହୈ’ ବୋଲି କହିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ବେଳେ ଚୋରି କରିଛନ୍ତି। ସେ ଆମେରିକା ଏବଂ ଫ୍ରାନ୍‌ସ ଯାଇ ଚୋରି କରିଥିବା ନଜିର ରହିଛି ଏବଂ ସର୍ବଦା ଚୋରିକୁ ଘୋଡ଼ାଇବା ପାଇଁ ମଉକା ଖୋଜୁଛନ୍ତି। ମୋଦୀ ସୁଟ୍‌ ପିନ୍ଧି ବିଦେଶରେ ବୁଲନ୍ତି ଏବଂ ବିଦେଶୀ ନେତାଙ୍କୁ ଆଲିଙ୍ଗନ କରନ୍ତି ବୋଲି ରାହୁଲ କହିଥିଲେ। ମୋଦୀ ଗରିବଙ୍କ ଟଙ୍କାକୁ ଅମ୍ବାନି, ନିରବ ମୋଦୀ ଏବଂ ମେହୁଲ ଚୌକସି ଭଳି ଉଦ୍ୟୋଗପତିଙ୍କ ପକେଟ୍‌ରେ ଭର୍ତ୍ତି କରିଛନ୍ତି ବୋଲି ରାହୁଲ କହିଥିଲେ। ଏହି ରୢାଲିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଆରଜେଡି ନେତା ତେଜସ୍ବୀ ଯାଦବ, ଶରଦ ଯାଦବ ଏବଂ ଜିତନ ରାମ ମାଝି ସାମିଲ ହୋଇଥିଲେ। ବିହାରରେ ମହାମେଣ୍ଟ କ୍ଷମତାକୁ ଫେରିବ ବୋଲି ଏହି ନେତାମାନେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର