ଯେଉଁ ମନ୍ଦିରରେ ପୂଜା କରିବା ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେଠାରେ ଅଧଘଣ୍ଟା ପୂଜାର୍ଚ୍ଚନା କଲେ ରାହୁଲ

ଦାତିଆ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ପ୍ରସିଦ୍ଧ ମନ୍ଦିର ମାଆ ପିତାମ୍ବର ପୀଠରେ ପୂଜାର୍ଚ୍ଚନା ସାରି ଆଗକୁ ନିର୍ବାଚନ ସାମ୍ନା କରିବାକୁ ଥିବା ମଧ୍ୟପ୍ରଦେଶକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ଗାନ୍ଧୀ ଗୋଆଲିୟର୍‌ଠାରୁ ହେଲିକପ୍ଟର ଯୋଗେ ଯାଇ ସକାଳୁ ଦାତିଆ ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ମନ୍ଦିର ପରିସରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ପୂଜା କରିବା ସହ ଉକ୍ତ ଶକ୍ତିପୀଠରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ରହିଥିବା ସୂଚନା ରହିଛି।

ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କମଲ ନାଥ ଏବଂ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଅା ତାଙ୍କ ସହ ପୂଜାର୍ଚ୍ଚନା ସମୟରେ ଉପସ୍ଥିତ ଥିଲେ। ସିନ୍ଧିଅା ମନ୍ଦିର ପୂଜାରୀ ଓ ଅନ୍ୟ ସଦସ୍ୟମାନଙ୍କ ସହିତ ରାହୁଲ ଗାନ୍ଧୀଙ୍କର ପରିଚୟ କରାଇଥିଲେ। ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସଂବର୍ଧନା  ଦିଅାଯାଇଥିଲା।

ମଧ୍ୟପ୍ରଦେଶରେ ନଭେମ୍ବର ୨୮ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ରହିଛି। ଗାନ୍ଧୀ ଏହାପରେ ଦାତିଅାରେ  ଏକ ସାଧାରଣ ସଭାରେ ଅଂଶଗ୍ରହଣ କରିଥିଲେ।

ରାହୁଲ ଗାନ୍ଧୀଙ୍କ ମନ୍ଦିର ଗସ୍ତ ନେଇ ରାଜ୍ୟ କଂଗ୍ରେସ ମୁଖପାତ୍ର ପଙ୍କଜ ଚତୁର୍ବେଦୀ କହିଛନ୍ତି କି ପୂର୍ବରୁ ଏହି ମନ୍ଦିରକୁ ବହୁ ରାଜନେତା ଆସି ସାରିଛନ୍ତି। ୧୯୭୯ ମସିହାରେ ରାହୁଲଙ୍କ ଜେଜେମାଆ ଇନ୍ଦିରା ଗାନ୍ଧୀ ମଧ୍ୟ ଆସି ପୂଜା କରିଥିଲେ। ୧୯୮୦ ମସିହାରେ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର