ୱାୟନାଡ଼ରୁ ବି ଲଢ଼ିବେ ରାହୁଲ, କେତେ ସୁରକ୍ଷିତ ୱାୟନାଡ଼

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ୨ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବେ। ରାହୁଲ ଏଥର ଆମେଥି ସହିତ କେରଳର ୱାୟନାଡ଼ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଆଜି କଂଗ୍ରେସ ଘୋଷଣା କରିଛି। ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନି ସାମ୍ବାଦିକ ସମ୍ମିଳନୀରେ ଏ ବାବଦ ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଆମେଥି ବ୍ୟତୀତ ଦକ୍ଷିଣ ଭାରତର କୌଣସି ଆସନରୁ ନିର୍ବାଚନ ଲଢ଼ିବାକୁ ଦାବି ହେଉଥିଲା ଏବଂ ଏହାକୁ ଦୃଷ୍ଟିରେ ରଖି କେରଳର ୱାୟନାଡ଼ ଆସନକୁ ଚୟନ କରାଯାଇଛି ବୋଲି ଏଣ୍ଟୋନି କହିଛନ୍ତି। କର୍ଣ୍ଣାଟନ, ତାମିଲନାଡ଼ୁ ଏବଂ କେରଳରେ ହେଉଥିବା ଦାବିକୁ ଦୃଷ୍ଟି ‌ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ୱାୟନାଡ଼ ଆସନ ସାଂସ୍କୃତିକ ଏବଂ ଭୌଗଳିକ ଦୃଷ୍ଟିରୁ ବେଶ୍‌ ମହତ୍ତ୍ବପୂର୍ଣ୍ଣ ବୋଲି ଏଣ୍ଟୋନି କହିଛନ୍ତି। ଏହି ଆସନ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁକୁ ଯୋଡ଼ୁଥିବାରୁ କଂଗ୍ରେସ ଅଧ୍ୟକ୍ଷ ଏଠାରୁ ନିର୍ବାଚନ ଲଢ଼ିଲେ ଏହା ଦକ୍ଷିଣ ଭାରତରୁ ପ୍ରତିନିଧିତ୍ବ ହୋଇପାରିବ ବୋଲି ସେ କହିଛନ୍ତି। ଦଳର ଜାତୀୟ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କର୍ମଭୂମି ସର୍ବଦା ଆମେଥି ରହିବ ଏବଂ ୱାୟନାଡ଼ ଆସନରେ ନିର୍ବାଚନ ଲଢ଼ି ସେ ଦକ୍ଷିଣ ଭାରତରୁ ପ୍ରତିନିଧିତ୍ବ କରିବେ।

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ କେରଳର ୱାୟନାଡ଼ ଆସନକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପାଇଁ ସବୁଠାରୁ ସୁରକ୍ଷିତ ଆସନ ବୋଲି କେରଳ କଂଗ୍ରେସରେ ସର୍ବସମ୍ମତି ମତ ପ୍ରକାଶ ପାଇବା ପରେ ଆଜି ଦଳ ରାହୁଲଙ୍କ ପ୍ରାର୍ଥୀତ୍ବକୁ ନେଇ ବେଶ୍‌ ଉତ୍ସାହିତ ହୋଇଉଠିଛି। ଉତ୍ତର କେରଳରେ ଅବସ୍ଥିତ ଏହି ଆସନ କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ସୀମାରେ ଅବସ୍ଥିତ। ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଏମ୍‌ ଆଇ ଶାନାବାସ ୧.୫୩ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟ ହାସଲ କରିଥିଲେ। ୨୦୧୪ରେ ସେ ଏହି ଆସନରୁ ଦ୍ବିତୀୟ ବାର ବିଜୟ ହାସଲ କରିଥିଲେ। କିନ୍ତୁ ଭୋଟ୍‌ ବ୍ୟବଧାନ ମାତ୍ର ୨୦ ହଜାର ରହିଥିଲା। ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ ଏଲ୍‌ଡିଏଫ୍‌ ନେତା ପି.ପି. ସୁନିର୍। ସିପିଆଇର ଏହି ଯୁବ ନେତା ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଏବଂ ବିଗତ ୫ ବର୍ଷ ମଧ୍ୟରେ ସେ ଏହି ଆସନରେ ତାଙ୍କ ସ୍ଥିତି ସୁଦୃଢ଼ କରିବାରେ ସକ୍ଷମ ହୋଇଛନ୍ତି। ଏବେ ରାହୁଲ ୱାୟନାଡ଼ ଆସନରୁ ଲଢ଼ୁଥିବାରୁ ବିଜେପି ମଧ୍ୟ ଏଠାରେ ପ୍ରାର୍ଥୀ ଦେବା ପାଇଁ ଯୋଜନା କରୁଛି। ପୂର୍ବରୁ ବିଜେପି ଏହି ଆସନ ସହଯୋଗୀ ବିଡିଜେଏସ୍‌କୁ ଛାଡ଼ିଥିଲା। ୱାୟନାଡ଼ ସଂସଦୀୟ କ୍ଷେତ୍ରରେ ରହିଛି ମଲପ୍ପୁରମ୍‌ ଏବଂ ୱାୟନାଡ ଜିଲ୍ଲା। ଉଭୟ ଜିଲ୍ଲାରେ ୩ଟି ଲେଖାଏଁ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ୟୁଡିଏଫ୍‌ର ଅଂଶଦାର ଦଳ ଇଣ୍ଡିଆନ୍‌ ମୁସ୍‌ଲିମ୍‌ ଲିଗ୍‌ର ଏହି ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ରହିଛି। ୱାୟନାଡ଼ ଜିଲ୍ଲାରେ ହିନ୍ଦୁ ଜନସଂଖ୍ୟା ୪୯.୭ ପ୍ରତିଶତ ଥିବା ବେଳେ ଖ୍ରୀଷ୍ଟିଆନ ୨୦୧୫ ଏବଂ ମୁସ୍‌ଲିମ ୨୮.୮ ପ୍ରତିଶତ ରହିଛି। ତେବେ ମଲପ୍ପୁରମ୍‌ ଜିଲ୍ଲାରେ ୭୦.୪ ପ୍ରତିଶତ ମୁସ୍‌ଲିମ ରହିଛନ୍ତି। ରାହୁଲ ଗାନ୍ଧୀ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ମୁସ୍‌ଲିମ୍‌ ଭୋଟ୍‌ ଏକତରଫା ଭାବେ କଂଗ୍ରେସକୁ ମିଳିବ ବୋଲି ଦଳ ଆଶା ରଖିଛି ଏବଂ ରାହୁଲ ଏଠାରୁ ବିପୁଳ ବିଜୟ ହାସଲ କରିବେ ବୋଲି ଦଳୀୟ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର