‘ରାହୁଲ ଗାନ୍ଧି ଦଳିତ କନ୍ୟାଙ୍କୁ ବିବାହ କଲେ ବାପୁଙ୍କ ସ୍ୱପ୍ନ ସାକାର ହେବ’

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବିବାହ କେବେ କରିବେ ବୋଲି ପ୍ରଶ୍ନ ଏଇ କିଛିଦିନ ହେଲା ଚର୍ଚ୍ଚାରେ ରହିଛି। ତେବେ ଶନିବାର ରିପବ୍ଲିକ୍‌ ପାର୍ଟି ଅଫ ଇଣ୍ଡିଆର ନେତା ରାମଦାସ ଅଠାବଲେ ରାହୁଲ ଗାନ୍ଧି ଜଣେ ଦଳିତ କନ୍ୟାଙ୍କୁ ବିବାହ କରନ୍ତୁ ବୋଲି ଆବେଦନ କରିଛନ୍ତି। ରାହୁଲ ଯଦି ଦଳିତ କନ୍ୟାଙ୍କୁ ବିବାହ କରିବେ ତେବେ ମହାତ୍ମାଗାନ୍ଧିଙ୍କ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ରାମଦାସ ।

ରାମଦାସ ଅଠାବଲେ ଅନ୍ୟ ପକ୍ଷରେ କହିଛନ୍ତି, ରାହୁଲ ଗାନ୍ଧି ନିର୍ବାଚନକୁ ନେଇ ଜୋରସୋର ପ୍ରସ୍ତୁତି କରି ଚାଲିଛନ୍ତି । ଏଥିସହିତ ତାଙ୍କ ବିଶ୍ୱାସ ବି ବୃଦ୍ଧି ପାଉଛି ତାହା ଠିକ୍‌ କଥା। ମୋର ଇଚ୍ଛା କଂଗ୍ରେସର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧି ଜଣେ ଭଲ ନେତା ବନନ୍ତୁ। ରାହୁଲ କେବେ କେବେ ଦଳିତଙ୍କ ଘରେ ବିଶ୍ରାମ ନିଅନ୍ତି ଓ ଭୋଜନ ମଧ୍ୟ କରି ଥାଆନ୍ତି, ତାଙ୍କୁ ମୋର ଏତିକି ପରାମର୍ଶ ସେ ଜଣେ ଦଳିତ କନ୍ୟାଙ୍କୁ ହିଁ ବିବାହ କରି ନିଅନ୍ତୁ। ଆମ ସମାଜରେ ତାଙ୍କ ଭଳି ପଢ଼ାଲେଖା ଯୋଗ୍ୟ କନ୍ୟା ମଧ୍ୟ ରହିଛନ୍ତି। ରାହୁଲ କେବଳ ରାଜି ହୋଇଗଲେ ହେଲା। ଏପରି କରିବା ଦ୍ୱାରା ଜାତିଗତ ଭେଦଭାବ ବି ଉଠିଯିବ। ମୁଁ ଯେମିତି ଏକ ବ୍ରାହ୍ମଣ କନ୍ୟାଙ୍କୁ ବିବାହ କରିଛି। ରାହୁଲଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ କରି ସାମଜ ପାଇଁ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିବା ଦରକାର।

ନିକଟରେ ପିଏଚଡି ଚାମ୍ବର ଅଫ କମର୍ସର ୧୧୨ତମ ବାର୍ଷିକ ଉତ୍ସବରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଚର୍ଚ୍ଚିତ ଅଲମ୍ପିକ ମେଡାଲିଷ୍ଟ ବକ୍ସର ବିଜେନ୍ଦ୍ର ସିଂହ ଏହି କାର୍ଯ୍ୟକ୍ରମ ଅବସରରେ ରାହୁଲ ଗାନ୍ଧିଙ୍କୁ ନିଜ ବିବାହ ସମ୍ପର୍କରେ କେତେଟି ପ୍ରଶ୍ନ କରିଥିଲେ।

ରାହୁଲ ବିଜେନ୍ଦ୍ରଙ୍କ ଏହି ପ୍ରଶ୍ନକୁ କିନ୍ତୁ ପ୍ରଥମେ ହସିହସି ଏଡାଇ ଯାଇଥିଲେ। ବିଜେନ୍ଦ୍ର କିନ୍ତୁ ଛାଡ଼ି ନ ଥିଲେ। ସେ ବୁଲାଇ ବଙ୍କାଇ ପୁଣିଥରେ ରାହୁଲଙ୍କୁ ଏ ପ୍ରଶ୍ନ କରିଥିଲେ। ପଚାରି ଥିଲେ-କ’ଣ ଆପଣ ପ୍ରଧାନମନ୍ତ୍ରୀ ହେଲା ପରେ ବିବାହ କରିବେ? କଂଗ୍ରେସର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧି ବିବାହକୁ ଭାଗ୍ୟର ଖେଳ ବୋଲି କହିଥିଲେ। ଏତଦ୍‌ବ୍ୟତୀତ ରାହୁଲ କହିଥିଲେ, ସେ ନିଜ ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତି। ଭାଗ୍ୟରେ ଯେଉଁଦିନ ବିବାହ ଲେଖା ଥିବ ସେବେ ହେବ।’

 

 

ସମ୍ବନ୍ଧିତ ଖବର