ବିବାହକୁ ନେଇ ମୁହଁ ଖୋଲିଲେ ରାହୁଲ : ଭାଗ୍ୟରେ ଯେବେ ବିବାହ ଯୋଗ ଥିବ ସେବେ ହେବ

ନୂଆଦିଲ୍ଲୀ: ପିଏଚଡି ଚାମ୍ବର ଅଫ କମର୍ସର ୧୧୨ତମ ବାର୍ଷିକ ଉତ୍ସବରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହିତ ଏଭଳି ଏକ କଥା କହିଥିଲେ ଯାହାକି ଚର୍ଚ୍ଚାର ପରିସରରେ ରହିଛି। କଂଗ୍ରେସର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧି ବିବାହକୁ ଭାଗ୍ୟର ଖେଳ ବୋଲି କହିଥିଲେ। ଏତଦ୍‌ବ୍ୟତୀତ ରାହୁଲ କହିଥିଲେ, ସେ ନିଜ ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତି।

ଚର୍ଚ୍ଚିତ ଅଲମ୍ପିକ ମେଡାଲିଷ୍ଟ ବକ୍ସର ବିଜେନ୍ଦ୍ର ସିଂହ ଏହି କାର୍ଯ୍ୟକ୍ରମ ଅବସରରେ ରାହୁଲ ଗାନ୍ଧିଙ୍କୁ ନିଜ ବିବାହ ସମ୍ପର୍କରେ କେତେଟି ପ୍ରଶ୍ନ କରିଥିଲେ। ରାହୁଲ ବିଜେନ୍ଦ୍ରଙ୍କ ଏହି ପ୍ରଶ୍ନକୁ କିନ୍ତୁ ପ୍ରଥମେ ହସିହସି ଏଡାଇ ଯାଇଥିଲେ। ବିଜେନ୍ଦ୍ର କିନ୍ତୁ ଛାଡ଼ି ନ ଥିଲେ। ସେ ବୁଲାଇ ବଙ୍କାଇ ପୁଣିଥରେ ରାହୁଲଙ୍କୁ ଏ ପ୍ରଶ୍ନ କରିଥିଲେ। ପଚାରି ଥିଲେ-କ’ଣ ଆପଣ ପ୍ରଧାନମନ୍ତ୍ରୀ ହେଲା ପରେ ବିବାହ କରିବେ?

ତେବେ ଏହି ପ୍ରଶ୍ନକୁ ରାହୁଲ ଏଡାଇ ନ ପାରି କହିଥିଲେ, ‘ମୁଁ ଭାଗ୍ୟ ଉପରେ ବିଶ୍ୱାସ ରଖେ, ଭାଗ୍ୟରେ ଯେଉଁଦିନ ବିବାହ ଲେଖା ଥିବ ସେବେ ହେବ।’ ବିଜେନ୍ଦ୍ର ଓ ରାହୁଲଙ୍କ ମଧ୍ୟରେ ଏହି ପ୍ରଶ୍ନ ଉତ୍ତର ଚାଲିଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଭରପୂର ଉପଭୋଗ କରିଥିଲେ। ରାହୁଲଙ୍କ ଠାରୁ ବିବାହ ସମ୍ଭନ୍ଧୀୟ ଉତ୍ତର ପାଇବା ପରେ ଖୁସିରେ ତାଳି ମାରିଥିଲେ।

ଏତଦ୍‌ବ୍ୟତ୍‌ୀତ ବିଜେନ୍ଦ୍ର ସିଂହ ରାହୁଲଙ୍କୁ ଖେଳ ସମ୍ଭନ୍ଧୀୟ କେତେଟି ପ୍ରଶ୍ନ କରିଥିଲେ। ରାହୁଲଙ୍କ ଖେଳ ପ୍ରତି ବହୁ ଦୁର୍ବଳତା ରହିଛି। ସେ ପ୍ରତିଦିନ ଏଥିପାଇଁ ଏକ ଘଣ୍ଟାର ସମୟ ଦେଇଥାଆନ୍ତି। ସେ ବ୍ଲାକ୍‌ବେଲ୍‌ଟ ହାସଲ ମଧ୍ୟ କରିଛନ୍ତି। ରାଜନୈତିକ ବ୍ୟାପାରରେ ବ୍ୟସ୍ତତା ପାଇଁ ରାହୁଲ ତିନି-ଚାରିମାସ ହେବ ନିଜ ଖେଳ ପାଇଁ ସମୟ ବାହାର କରି ପାରୁ ନାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର