ମାଲ୍ୟାଙ୍କ ବୟାନ ପରେ ରାଜନୀତି ତେଜିଲା : ରାହୁଲ ପ୍ରଶ୍ନ ଉଠାଇଲେ; ଜେଟଲୀ ନିଜେ ମାଲ୍ୟାଙ୍କୁ ବିଦା କରିଥିଲେ ନା ଉପରୁ ଆସିଥିଲା ନିର୍ଦ୍ଦେଶ ?

ନୂଆଦିଲ୍ଲୀ : ବିଜୟ ମାଲ୍ୟାଙ୍କ ବିସ୍ଫୋରକ ବୟାନ ପରେ ରାଜନୀତି ଜୋର ଧରିଛି । ବିଦେଶକୁ ଯିବା ପୂର୍ବରୁ ମାଲ୍ୟା ପାର୍ଲାମେଣ୍ଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିବା ଖବର ପ୍ରକାଶ ପାଇବା ପରେ କଂଗ୍ରେସକୁ ମିଳିଯାଇଛି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି, ମାଲ୍ୟାକୁ ଅରୁଣ ଜେଟଲୀ ଫେରାର କରିଥିଲେ ନା ଉପରୁ ନିର୍ଦ୍ଦେଶ ଆସିଥିଲା । ଅରୁଣ ଜେଟଲୀ-ମାଲ୍ୟାଙ୍କ ଭେଟ ସମ୍ପର୍କରେ ସାଂସଦ ପି.ଏଲ ପୁନିଆ ଗଣମାଧ୍ୟମ ଆଗରେ ସବିଶେଷ କହିଥିଲେ । ପୁନିଆ କହିଥିଲେ, ୧ ମାର୍ଚ, ୨୦୧୬ରେ ପାର୍ଲାମେଣ୍ଟରେ କେନ୍ଦ୍ରୀୟ ହଲରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଅନ୍ୟ ପକ୍ଷରେ ଆଜି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି କହିଥିଲେ, ଜାଣିଶୁଣି ବିଜୟ ମାଲ୍ୟାଙ୍କ ବିରୋଧରେ ଥିବା ଲୁକଆଉଟ ନୋଟିସକୁ ଦୁର୍ବଳ କରାଯାଇଥିଲା ।

ସୂଚନାଯୋଗ୍ୟ ବିଜୟ ମାଲ୍ୟା ଗତକାଲି କହିଥିଲେ ଭାରତ ଛାଡ଼ିବା ପୂର୍ବରୁ ସେ ଅରୁଣ ଜେଟଲିଙ୍କୁ ସାକ୍ଷାତ କରିଥିଲେ । ଲଣ୍ଡନସ୍ଥିତ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର ହୋଇଥିବା ପଳାତକ ବିଜୟ ମାଲ୍ୟା କହିଥିଲେ ଯେ, ଦେଶ ଛାଡିବା ପୂର୍ବରୁ ସେଟଲମେଣ୍ଟ ପାଇଁ ସେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ସାକ୍ଷାତ କରିଥିଲେ । ତେବେ ଏ ନେଇ ବ୍ୟାଙ୍କ ଗୁଡିକ ଆପତ୍ତି ଜଣାଇବା ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରିନଥିଲା । ଦୁଇ ରାଜନୈତିକ ଦଳ ତାଙ୍କୁ ଫୁଟବଲ ପରି ବ୍ୟବହାର କରିଥିବା ସେ କହିଛନ୍ତି ଏବଂ ଶେଷରେ ତାଙ୍କୁ ହିଁ ବଳି ପକାଇ ଦିଆଗଲା ବୋଲି ସେ ଗଣମାଧ୍ୟମକୁ କହିଥିଲେ । ସେପଟେ ବିଜୟ ମାଲ୍ୟାଙ୍କୁ ସାକ୍ଷାତ କରିଥିବା କଥାକୁ ଖଣ୍ଡନ କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ କେବେ ବି ବିଜୟ ମାଲ୍ୟାଙ୍କୁ ସାକ୍ଷାତ କରିନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ।

ସମ୍ବନ୍ଧିତ ଖବର