କଂଗ୍ରେସରେ ରାହୁଲ ଯୁଗ ଆରମ୍ଭ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଆଜି ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୩୨ ବର୍ଷର ଏହି ସର୍ବପୁରାତନ ଦଳର ମୁଖ୍ୟ ଭାବେ ଦାୟିତ୍ୱ ନେବାରେ ସେ ହେଉଛନ୍ତି ନେହରୁ-ଗାନ୍ଧୀ ପରିବାରର ଷଷ୍ଠ ସଭ୍ୟ। ଏହାପୂର୍ବରୁ ମୋତିଲାଲ ନେହରୁ, ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏହି ଦାୟିତ୍ୱ ତୁଲାଇଛନ୍ତି। ତେବେ ତାଙ୍କ ମା ୭୧ ବର୍ଷୀୟା ସୋନିଆ ଗାନ୍ଧୀ ଦୀର୍ଘ ୧୯ ବର୍ଷ ଧରି ପାର୍ଟିର ସଭାନେତ୍ରୀ ଥିଲେ। ୪୭ ବର୍ଷୀୟ ରାହୁଲ ୨୦୧୩ରୁ ପାର୍ଟିର ଉପାଧ୍ୟକ୍ଷ ଥିଲେ। ଆଜି କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଯୁବରାଜ ରାହୁଲଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଆଉ ଦିନକ ପରେ ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସର ମଙ୍ଗ ସମ୍ଭାଳି ଥିବା ୪୭ ବର୍ଷୀୟ ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଦଳର ଯୁବଗୋଷ୍ଠୀଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ତାଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି। ଅପରପକ୍ଷେ, ଅଧ୍ୟକ୍ଷ ଆସନରେ ଅଧିଷ୍ଠିତ ହେବା ପରେ ପରେ ରାହୁଲ ତାଙ୍କ ପ୍ରାରମ୍ଭିକ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ୨୦୧୯ ନିର୍ବାଚନ ପାଇଁ ଭିତ୍ତିଭୂମି ପକାଇଲେ ବୋଲି ଚର୍ଚ୍ଚା ହେଉଛି।

ଆଜି ନୂଆଦିଲ୍ଲୀର ୨୪, ଆକବର ରୋଡ୍‌ ସ୍ଥିତ କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ ଠାରେ ଦଳର ବିଭିନ୍ନ ସ୍ତରର ନେତା ଏବଂ କର୍ମୀଙ୍କ ଗହଣରେ ଯୁବରାଜ ରାହୁଲଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦାୟୀ ଅଧ୍ୟକ୍ଷା ତଥା ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଭିଣୋଇ ରବର୍ଟ ଭଦ୍ରା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସମେତ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ(ସିଇଏ) ସଭାପତି ମୁଲାପାଲ୍ଲି ରାମଚନ୍ଦ୍ରନ୍‌ ରାହୁଲ୍‌ଙ୍କୁ ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନର ବିଜେତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ସୋନିଆ ବିଧିବଦ୍ଧ ଭାବେ ରାହୁଲ୍‌ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଭାର ହସ୍ତାନ୍ତର କରିଥିଲେ। ଏହି ଅବସରରେ ସୋନିଆଙ୍କ ଆବେଗଭରା ବିଦାୟୀ ଅଭିଭାଷଣ ସମସ୍ତଙ୍କୁ ଭାବବିହ୍ଵଳ ତଥା ମନ୍ତ୍ରମୁଗ୍ଧ କରିଦେଇଥିଲା। କାର୍ଯ୍ୟାଳୟ ବାହାରେ ଠୁଳ ହୋଇଥିବା ସହସ୍ରାଧିକ ସଂଖ୍ୟାର ରାହୁଲଙ୍କ ସମର୍ଥକ ଏବଂ ଶୁଭେଚ୍ଛୁ ବାଣ ଫୁଟାଇ ଏବଂ ପରସ୍ପର ମଧ୍ୟରେ ମିଠା ବାଣ୍ଟି ନାଚଗୀତ ମଧ୍ୟରେ ଅଭିଷେକ ଉତ୍ସବ ମନାଇଥିଲେ।

ଏହି ଅବସରରେ ନିଜ ଅଧ୍ୟକ୍ଷ ଜୀବନର ପ୍ରଥମ ଅଭିଭାଷଣରେ ଉପସ୍ଥିତ ନେତା ଏବଂ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ରାହୁଲ୍‌ ନିଜ ନମ୍ରତାର ପରିପ୍ରକାଶ କରିଥିଲେ। ଚାରିପାଖରେ ରାଜନୀତିର ବୃହତ୍‌ ହସ୍ତୀମାନଙ୍କ ଛାଇ ଭିତରେ ଚାଲିବାକୁ ହେବା ଜାଣି ସୁଦ୍ଧା ଏହି ଦାୟିତ୍ୱଭାର ସମ୍ଭାଳିବାକୁ ହେଉଛି ବୋଲି କହି ସେ ବୟୋଜ୍ୟଷ୍ଠଙ୍କ ପାଖରେ ନିଜକୁ ପରୋକ୍ଷରେ ବଶମ୍ବଦ ଘୋଷଣା କରିଥିଲେ। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିକୁ ସେ କଡ଼ା ସମାଲୋଚନା କରିଥିଲେ। ତାଙ୍କ କଂଗ୍ରେସ ଦଳ ଦେଶରେ ଭାଇଚାରା ଏବଂ ସଦ୍‌ଭାବ ସ୍ଥାପନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦେଶବ୍ୟାପୀ ନିଆଁ ଲଗାଇ ଦେଇଛନ୍ତି। କଂଗ୍ରେସ ଏହି ନିଆଁକୁ ଲିଭାଇବା ସହ ସବୁ କିଛି ଯୋଡ଼ି ଚାଲିଥିବା ବେଳେ ବିଜେପି ଭାଙ୍ଗିଚାଲିଛି ବୋଲି ରାହୁଲ୍‌ ଅଭିଯୋଗ କରିଥିଲେ।

ସେହିପରି କଂଗ୍ରେସ ଦେଶକୁ ଏକବିଂଶ ଶତାବ୍ଦୀର ପ୍ରଗତି ପଥକୁ ମୁହାଁଇ ନେଇଥିବା ବେଳେ ମୋଦି ଦେଶବାସୀଙ୍କୁ ଏକ ମଧ୍ୟଯୁଗୀୟ ଅନ୍ଧକାର ଭିତରେ ବଞ୍ଚି ରହିବାକୁ ବାଧ୍ୟ କରିଛନ୍ତି ବୋଲି ରାହୁଲ୍‌ ଆକ୍ଷେପ କରିଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ସେମାନଙ୍କ ପରିଚୟ ପାଇଁ ହତ୍ୟା କରାଯାଉଛି, ସେମାନଙ୍କ ଧର୍ମ ପାଇଁ ଆକ୍ରମଣ କରାଯାଉଛି ଏବଂ ସେମାନେ ଭକ୍ଷଣ କରୁଥିବା ଖାଦ୍ୟ ପାଇଁ ସେମାନଙ୍କୁ ନୃଶଂସତାର ଶିକାର ହେବାକୁ ପଡୁଛି। ଏଭଳି ସ୍ଥିତି ମଧ୍ୟଯୁଗୀୟ ବର୍ବରତା ବିନା ଆଉ କ’ଣ ହୋଇପାରେ ବୋଲି ରାହୁଲ୍‌ ପ୍ରଶ୍ନ କରିଛନ୍ତି। ରାହୁଲ୍‌ଙ୍କ ଏଭଳି ଅଗ୍ନିବର୍ଷର୍ା ଭାଷଣରେ ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସମବେତ ହୋଇଥିବା କର୍ମୀମାନେ ଢେର୍‌ ଉତ୍ସାହିତ ଓ ଉଲ୍ଲସିତ ହୋଇପଡୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର