ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି : ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ : ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବଢିବାକୁ ନେଇ ଅକଳରେ ପଡିଯାଇଛନ୍ତି ସରକାର । ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ଏକ ନୂଆ ଅସ୍ତ୍ର ପାଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ଯେ ୨୦୧୪ରେ ମୋଦି କହିଥିଲେ ଯେ ବିଦେଶରୁ କଳାଧନ ଆଣି ସମସ୍ତଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଭରି ଦିଆଯିବ । ପୁଣି ୨୦୧୬ରେ କହିଲେ ଯେ ବିମୁଦ୍ରାୟନ ଯୋଗୁଁ କଳାଧନ ନିର୍ମୁଳ ହୋଇଯିବ । ଏବେ କହୁଛନ୍ତି ଯେ ସ୍ୱିସ ବ୍ୟାଙ୍କରେ ଯେଉଁ ଟଙ୍କା ବଢିଯାଇଛି, ତାହା ସଂପୂର୍ଣ୍ଣଭାବେ କଳାଧନ ନୁହେଁ । ସୂଚନାଯୋଗ୍ୟ ଯେ ଗତକାଲି ରିପୋର୍ଟ ଆସିଥିଲା ଯେ ୨୦୧୭ରେ ଆଶ୍ଚର୍ଯ୍ୟଜନକଭାବେ ୫୦ ପ୍ରତିଶତ ବୃଦ୍ଧି ପାଇ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସ୍ୱିଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସ୍ୱିସ ନାସନାଲ ବ୍ୟାଙ୍କ ପକ୍ଷରୁ ଜାରି ୨୦୧୭ର ବାର୍ଷିକ ରିପୋର୍ଟରୁ ଏହା ଜଣାଯାଇଛି । ସ୍ୱିଜରଲାଣ୍ଡରେ ଅର୍ଥ ରଖିଥିବା ବିଭିନ୍ନ ବିଦେଶୀ ବ୍ୟକ୍ତିଙ୍କ ଜମା ପରିମାଣ ହାରାହାରି ୩ ପ୍ରତିଶତ ବଢିଥିବାବେଳେ ଭାରତୀୟଙ୍କ ଜମାଅର୍ଥ ୫୦ ପ୍ରତିଶତ ହାରରେ ବଢିଛି । ସ୍ୱିଜରଲାଣ୍ଡର ବ୍ୟାଙ୍କଗୁଡ଼ିକରେ ଏବେ ବିଭିନ୍ନ ଦେଶର ଲୋକମାନେ ୧.୪୬ ଟ୍ରିଲିୟନ ସ୍ୱିସ ଫ୍ରାଙ୍କ ବା ମୋଟ ୧୦୦ ଲକ୍ଷ କୋଟି ଟଙ୍କା ଜମା ରଖିଛନ୍ତି । ୨୦୧୬ରେ ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଜମା ପରିମାଣ ୪୫ ପ୍ରତିଶତ ହ୍ରାସ ପାଇ ୪୫୦୦ କୋଟି ଟଙ୍କାକୁ କମିଯାଇଥିଲା ।

ସମ୍ବନ୍ଧିତ ଖବର