କଂଗ୍ରେସ ଅଧ୍ୟକ୍ଷ ଭାବେ ନିଜର ପ୍ରଥମ ଅଭିଭାଷଣରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ୍‌

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରଥମ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ୍‌ ଗାନ୍ଧି। ଶନିବାର କଂଗ୍ରେସ୍‌ ଅଧ୍ୟକ୍ଷା ତଥା ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ଠାରୁ ଦାୟିତ୍ୱ ନେବା ପରେ ଦଳର ବରିଷ୍ଠ ନେତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ରାହୁଲ କହିଛନ୍ତି ଯେ କଂଗ୍ରେସ ଭାରତକୁ ଏକବିଂଶ ଶତାଦ୍ଦୀରେ ପହଞ୍ଚାଇ ସାରିଥିଲା ବେଳେ ପ୍ରଧାନମନ୍ତ୍ରୀ ଆମକୁ ମଧ୍ୟଯୁଗକୁ ଫେରାଇ ନେଇ ଯାଉଛନ୍ତି ।

ଭାରତୀୟ ଜନତା ପାର୍ଟିର କାର୍ଯ୍ୟଧାରାକୁ ସମାଲୋଚନା କରି ରାହୁଲ କହିଥିଲେ ଯେ, ବିଜେପି ଦେଶରେ ନିଆଁ ଲଗାଉଛିି । ଦେଶରେ ବିଭାଜନ ସୃଷ୍ଟି କରୁଛି ଏବଂ ହିଂସା ଲାଗି ଉସ୍‌କାଉଛି । ବର୍ତ୍ତମାନ ଏହି କାରଣ ପାଇଁ ଦେଶରେ ଯେଉଁ ନିଆଁ ଲାଗିଛି ତାହା ଲିଭାଇବା କଷ୍ଟକର ବ୍ୟାପାର । କେବଳ କଂଗ୍ରେସ ଦଳ ହିଁ ଏକମାତ୍ର ଶକ୍ତି ଯାହା ଏହି କାର୍ଯ୍ୟ କରିପାରିବ । ସେମାନେ ଭାଙ୍ଗୁଥିବା ବେଳେ କଂଗ୍ରେସ ଗଢିବାରେ ବିଶ୍ୱାସ କରେ । କଂଗ୍ରେସର କର୍ମୀ ଓ ନେତା ଚାହିଁଲେ ଏପରି କାର୍ଯ୍ୟର କଡା ଜବାବ ଦିଆଯାଇ ପାରିବ ।

ଶନିବାର ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ, ସାଂସଦ, ବରିଷ୍ଠ କଂଗ୍ରେସ ନେତା, ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଏବଂ ରାହୁଲଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଓ ଭିଣୋଇ ରବର୍ଟ ଭଦ୍ରା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର