ଲଣ୍ଡନରେ ରାହୁଲ: ମୋଦୀଙ୍କୁ ଘେରିଲେ

ରାହୁଲ ଦେଶକୁ ବଦନାମ କରିବାକୁ ସୁପାରି ନେଇଛନ୍ତି: ବିଜେପି

ନୂଆଦିଲ୍ଲୀ: ଏବେ ବିଦେଶ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଲଣ୍ଡନର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି। ଗୋଟିଏ ପଟେ ରାହୁଲ ସୀମା ପାର ସର୍ଜିକାଲ ଷ୍ଟ୍ରାଇକ୍‌କୁ ସମର୍ଥନ କରିଥିବା ବେଳେ ଅନ୍ୟପଟେ ଡୋକଲାମକୁ ନେଇ ଏନ୍‌୍‌ଡିଏ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଡୋକଲାମ ବିବାଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ଥିଲା ବୋଲି ସେ କହିଛନ୍ତି। ଡୋକଲାମରେ ଏବେ ମଧ୍ୟ ଚୀନ୍‌ ସୈନିକ ଠୁଳ ହୋଇଛନ୍ତି ଏବଂ ଏହି ମାମଲାକୁ ଠିକ୍‌ ଢ଼ଙ୍ଗରେ ସମାଧାନ କରାଯାଇ ନାହିଁ ବୋଲି ସେ କହିଛନ୍ତି। ରାହୁଲ କହିଥିଲେ ଯେ ବିଗତ ୪ ବର୍ଷ ମଧ୍ୟରେ କେନ୍ଦ୍ରରେ କ୍ଷମତା କେନ୍ଦ୍ରୀଭୂତ ହୋଇଛି ଏବଂ କ୍ଷମତାର ବିକେନ୍ଦ୍ରୀକରଣ ହେଉନଥିବାରୁ ସମସ୍ୟା ବଢ଼ିଚାଲିଛି। ୧୩୦ କୋଟି ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରବାକୁ ସର୍ବଦା ଷଡ଼ଯନ୍ତ୍ର ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତିକୁ ସମାଲୋଚନା କରି ସେ କହିଥିଲେ, ବିଦେଶ ମନ୍ତ୍ରାଳୟ ମନମୁଖୀ ଭାବେ କାର୍ଯ୍ୟ କରୁଛି ଏବଂ ବିଦେଶ ମନ୍ତ୍ରୀଙ୍କ ପାଖରେ କିଛି କାମ ନାହିଁ, ତେଣୁ ସେ ଲୋକଙ୍କୁ ଭିସା ଦେବାରେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସବୁ କ୍ଷମତା ନିଜ ପାଖରେ ରଖିବାକୁ ଚାହୁଥିବାରୁ ବିକାଶ ଦିଗହରା ହୋଇପଡ଼ିଛି ବୋଲି ସେ କହିଥିଲେ। ଆର୍‌୍‌ଏସ୍‌ଏସ୍‌କୁ ସମାଲୋଚନା କରି ରାହୁଲ ଏହାକୁ ଆରବ ଦେଶରେ ସକ୍ରିୟ ଥିବା ଇସ୍‌୍‌ଲାମିକ କଠୋରପନ୍ଥୀ ସଂଗଠନ ‘ବ୍ରଦରହୁଡ୍‌’ ସହିତ ତୁଳନା କରିଥିଲେ। ଆରଏସ୍‌୍‌ଏସ୍‌ର ବିଚାରଧାରା ‘ବ୍ରଦୁରହୁଡ୍‌’ଠାରୁ କିଛି ଭିନ୍ନ ନୁହେଁ ବୋଲିସେ କହିଥିଲେ। ଲଣ୍ଡନ ଗସ୍ତ ପୂର୍ବରୁ ବର୍ଲିନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ବିଜେପି ଏବଂ ଆର୍‌ଏସ୍‌ଏସ୍‌କୁ ସମାଲୋଚନା କରି କହିଥିଲେ ଯେ ଉଭୟ ସଂଗଠନ ମହିଳା ବିରୋଧୀ। ଆର୍‌ଏସ୍‌ଏସ୍‌ ମହିଳାମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖୁଛି ବୋଲି ସେ କହିଥିଲେ। ବିମୁଦ୍ରାକରଣ ଚିନ୍ତାଧାରା ମଧ୍ୟ ଆରଏସ୍‌ଏସ୍‌ର ଥିଲା ବୋଲି ରାହୁଲ କହିଥିଲେ।

ଡୋକଲାମ ସ୍ଥିତି ଏବେ ବି ସଙ୍ଗୀନ୍‌
ଆର୍‌ଏସ୍‌ଏସ୍‌କୁ ‘ବ୍ରଦରହୁଡ୍‌’ ସହ ତୁଳନା

ଅନ୍ୟପକ୍ଷରେ ରାହୁଲଙ୍କ ଏଭଳି ବୟାନକୁ ନେଇ ବିଜେପି-ଆର୍‌ଏସ୍‌ଏସ୍‌ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାହୁଲ ଦେଶକୁ ବଦନାମ କରିବା ପାଇଁ ସୁପାରି ନେଇଛନ୍ତି ଏବଂ ବେପରୁଆ ଓ ଅନର୍ଥ ସୃଷ୍ଟିକାରୀ ବୟାନ ଦେଇ ଦେଶର କ୍ଷତି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଅବ୍ଦାସ ନକଭୀ କହିଛନ୍ତି। ଆରଏସ୍‌ଏସ୍‌ କହିଛି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏବେ ଯେଭଳି ଦୟନୀୟ ସ୍ଥିତିର ସମ୍ମୁଖୀନ ହୋଇଛି, ଦେଶରେ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି କରବାକୁ ରାହୁଲ ଚାହୁଛନ୍ତି। ରାହୁଲଙ୍କ ଅଜ୍ଞାନତା ଏବଂ ଅପାରଗତା ପାଇଁ ଏବେ ଦେଶବାସୀଙ୍କୁ ଅଯଥା ବଦନାମ ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର