କଂଗ୍ରେସରେ ରାହୁଲ୍‌ ଯୁଗ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଆଜି ବିଧିବଦ୍ଧ ଭାବେ ଦେଶର ୧୩୨ ବର୍ଷର ସର୍ବପୁରାତନ ଦଳ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଉ ଦିନକ ପରେ ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୪୭ ବର୍ଷୀୟ ରାହୁଲ୍‌ ଦଳର ମଙ୍ଗ ସମ୍ଭାଳି ନୂତନ ଦିଗଦର୍ଶନ ଦେବେ ବୋଲି ଦଳର ଯୁବଗୋଷ୍ଠୀଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଆଶାବାଦୀ ଅଛନ୍ତି। ତେବେ ଅଧ୍ୟକ୍ଷ ଆସନରେ ଅଧିଷ୍ଠିତ ହେବା ପରେ ପରେ ରାହୁଲ ତାଙ୍କ ପ୍ରାରମ୍ଭିକ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭିତ୍ତିଭୂମି ପକାଇଲେ ବୋଲି ଚର୍ଚ୍ଚା ହେଉଛି।

ଆଜି ନୂଆଦିଲ୍ଲୀର ୨୪, ଆକବର ରୋଡ୍‌ ସ୍ଥିତ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟାଳୟ ଠାରେ ଦଳର ବିଭିନ୍ନ ସ୍ତରର ନେତା ଏବଂ କର୍ମୀଙ୍କ ଗହଣରେ ଯୁବରାଜ ରାହୁଲଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦାୟୀ ଅଧ୍ୟକ୍ଷା ତଥା ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଭିଣୋଇ ରବର୍ଟ ଭଦ୍ରା ଏବଂ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସମେତ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ(ସିଇଏ) ସଭାପତି ମୁଲାପାଲ୍ଲି ରାମଚନ୍ଦ୍ରନ୍‌ ରାହୁଲ୍‌ଙ୍କୁ ଅଧ୍ୟକ୍ଷ ନିର୍ବାଚନ ପାଇଁ ହୋଇଥିବା ନିର୍ବାଚନର ବିଜେତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ସୋନିଆ ବିଧିବଦ୍ଧ ଭାବେ ରାହୁଲ୍‌ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଭାର ହସ୍ତାନ୍ତର କରିଥିଲେ। ଏହି ଅବସରରେ ସୋନିଆଙ୍କ ଆବେଗଭରା ବିଦାୟୀ ଅଭିଭାଷଣ ସମସ୍ତଙ୍କୁ ଅଶ୍ରୁଳ ତଥା ମନ୍ତ୍ରମୁଗ୍ଧ କରିଦେଇଥିଲା। କାର୍ଯ୍ୟାଳୟ ବାହାରେ ଠୁଳ ହୋଇଥିବା ସହସ୍ରାଧିକ ସଂଖ୍ୟାର ରାହୁଲ ସମର୍ଥକ ଏବଂ ଶୁଭେଚ୍ଛୁ ବାଣ ଫୁଟାଇ ଏବଂ ପରସ୍ପର ମଧ୍ୟରେ ମିଠା ବାଣ୍ଟି ନାଚଗୀତ ମଧ୍ୟରେ ଅଭିଷେକ ଉତ୍ସବ ମନାଇଥିଲେ।

ଏହି ଅବସରରେ ନିଜ ଅଧ୍ୟକ୍ଷ ଜୀବନର ପ୍ରଥମ ଅଭିଭାଷଣରେ ଉପସ୍ଥିତ ନେତା ଏବଂ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ରାହୁଲ୍‌ ନିଜ ନମ୍ରତାର ପରିପ୍ରକାଶ କରିଥିଲେ। ଚାରିପାଖରେ ରାଜନୀତିର ବୃହତ୍‌ ହସ୍ତୀମାନଙ୍କ ଛାଇଭିତରେ ଚାଲିବାକୁ ହେବା ଜାଣି ସୁଦ୍ଧା ମୋତେ ଏହି ଦାୟିତ୍ୱଭାର ସମ୍ଭାଳିବାକୁ ହେଉଛି। ଏପରି କହି ସେ ବୟୋଜ୍ୟଷ୍ଠଙ୍କ ପାଖରେ ବଶମ୍ବଦ ଘୋଷଣା କରିବା ସହ ସସମ୍ମାନ ନିଜର ମହନୀୟତାର ପରିଚୟ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିକୁ ସେ କଡ଼ା ସମାଲୋଚନା କରିଥିଲେ। ତାଙ୍କ କଂଗ୍ରେସ ଦଳ ଦେଶରେ ଭାଇଚାରା ଏବଂ ସଦ୍‌ଭାବ ସ୍ଥାପନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦେଶବ୍ୟାପୀ ନିଆଁ ଲଗାଇ ଦେଇଛନ୍ତି। କଂଗ୍ରେସ ଏହି ନିଆଁକୁ ଲିଭାଇବା ସହ ସବୁ କିଛି ଯୋଡ଼ି ଚାଲିଥିବା ବେଳେ ବିଜେପି ଭାଙ୍ଗିଚାଲିଛି ବୋଲି ରାହୁଲ୍‌ ଅଭିଯୋଗ କରିଥିଲେ।

ସେହିପରି କଂଗ୍ରେସ ଦେଶକୁ ଏକବିଂଶ ଶତାବ୍ଦୀର ପ୍ରଗତି ପଥକୁ ମୁହାଁଇ ନେଇଥିବା ବେଳେ ମୋଦି ଦେଶବାସୀଙ୍କୁ ଏକ ମଧ୍ୟଯୁଗୀୟ ଅନ୍ଧକାର ଭିତରେ ବଞ୍ଚି ରହିବାକୁ ବାଧ୍ୟ କରିଛନ୍ତି ବୋଲି ରାହୁଲ୍‌ ଆକ୍ଷେପ କରିଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ସେମାନଙ୍କ ପରିଚୟ ପାଇଁ ହତ୍ୟା କରାଯାଉଛି, ସେମାନଙ୍କ ଧର୍ମ ପାଇଁ ସେମାନଙ୍କୁ ଆକ୍ରମଣ କରାଯାଉଛି ଏବଂ ସେମାନେ ଭକ୍ଷଣ କରୁଥିବା ଖାଦ୍ୟ ପାଇଁ ସେମାନଙ୍କୁ ନୃଶଂସତାର ଶିକାର ହେବାକୁ ପଡୁଛି। ଏଭଳି ସ୍ଥିତି ମଧ୍ୟଯୁଗୀୟ ବର୍ବରତା ବିନା ଆଉ କ’ଣ ହୋଇପାରେ ବୋଲି ରାହୁଲ୍‌ ପ୍ରଶ୍ନ କରିଛନ୍ତି। ଦଳର ମଙ୍ଗ ସମ୍ଭାଳିବା ଅବସରରେ ରାହୁଲ୍‌ଙ୍କ ଏଭଳି ଅଗ୍ନିବର୍ଷର୍ା ଭାଷଣରେ ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସମବେତ ହୋଇଥିବା କର୍ମୀମାନେ ଢେର୍‌ ଉତ୍ସାହିତ ଓ ଉଲ୍ଲସିତ ହୋଇପଡୁଥିବା ଦେଖାଯାଇଥିଲା।

ସୋନିଆଙ୍କ ଅଶ୍ରୁଳ ଅବସର

ନୂଆଦିଲ୍ଲୀ: ପୁଅ ରାହୁଲ ଗାନ୍ଧୀଙ୍କୁ ଆଜି କଂଗ୍ରେସର ଅଧ୍ୟକ୍ଷ ଭାର ହସ୍ତାନ୍ତର କରିବା ଅବସରରେ ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ଅବସର ଅଭିଭାଷଣରେ ଉପସ୍ଥିତ ଦଳୀୟ କର୍ମୀ ଏବଂ ନେତୃମଣ୍ଡଳୀଙ୍କୁ ଭାବବିହ୍ଵଳ କରିଦେଇଥିଲେ। ଦଳର ଦୀର୍ଘତମ ସମୟ ଧରି ସଫଳତାର ସହ ଅଧ୍ୟକ୍ଷ ଭାର ସମ୍ଭାଳିଥିବା ସୋନିଆ ତାଙ୍କ ୧୯ ବର୍ଷର ଅନୁଭୂତିକୁ ଚୁମ୍ବକରେ ପରିପ୍ରକାଶ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଉଲ୍ଲେଖ ଥାଉ କି, ୧୯୯୮ ମସିହାରେ ସୋନିଆ ଦଳର ମଙ୍ଗ ଧରିବା ପରେ କଂଗ୍ରେସ ଦୁଇ ଦୁଇ ଥର ଦେଶର ଶାସନ କ୍ଷମତା ହାସଲ କରିଛି। ତେବେ ନିଜର ତଥା ଦଳର ଏହି ବିରଳ ସଫଳତାର ଶ୍ରେୟ ସେ ତାଙ୍କ ଶାଶୂ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଅର୍ପଣ କରିଛନ୍ତି। ଇନ୍ଦିରା ତାଙ୍କୁ ନିଜ ଝିଅ ଭଳି ପାଳିବା ସହ ପ୍ରତି କ୍ଷଣରେ ଭାରତର ଅନନ୍ୟ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷିତ କରିଥିଲେ। ୧୯୮୪ରେ ଯେତେବେଳେ ଇନ୍ଦିରାଜୀଙ୍କୁ ହତ୍ୟା କରାଗଲା, ସତେ ଯେପରି ମୋ’ ମା’ଙ୍କୁ ମୋ’ଠାରୁ କେହି ଛଡ଼େଇନେଲା ଭଳି ଲାଗିଲା ବୋଲି ସୋନିଆ ଆଜି କହିଲା ବେଳେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ସେହିପରି ୧୯୯୧ ମସିହାରେ ତାଙ୍କ ସ୍ୱାମୀ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସୋନିଆଙ୍କୁ ଦଳର ମୁଖ୍ୟ ହେବାକୁ କୁହାଗଲା ବେଳେ ସେ ବିଚଳିତ ହେବା ସହ ଉତ୍କଣ୍ଠା ପ୍ରକାଶ କରିଥିଲେ। ତେବେ ପରେ ଦେଶବାସୀଙ୍କ ଅବର୍ଣ୍ଣନୀୟ ସ୍ନେହଶ୍ରଦ୍ଧା ତାଙ୍କୁ ୧୯୯୮ରେ ଅଧ୍ୟକ୍ଷା ହେବାକୁ ବାଧ୍ୟ କରିଥିଲା। ଏଭଳି ଗୁରୁ ଦାୟିତ୍ୱ ପ୍ରତି ସେ ଅନଭିଜ୍ଞ ଥିଲେ ସୁଦ୍ଧା ଅନ୍ୟମାନଙ୍କ ବଳିଷ୍ଠ ସହଯୋଗ ତାଙ୍କୁ ଜଣେ ସଫଳ ନେତ୍ରୀ କରାଇପାରିଥିଲା ବୋଲି ସେ କହିଛନ୍ତି।

ସେହିପରି ତାଙ୍କ ଦାୟିତ୍ୱ କାଳ ଭିତରେ କଂଗ୍ରେସ ଅନେକ କ୍ଷେତ୍ରରେ ନିର୍ବାଚନ ହାରି ବହୁ କଠିନ ସମୟର ମୁକାବିଲା କରିଛି। ବିଶେଷ କରି ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦଳ ବିରୋଧୀ ଭୂମିକାର ଦାୟିତ୍ୱ ନିଭାଇ ଅନେକ ପରିହାସର ଶିକାର ହୋଇଥିଲେ ହେଁ କଂଗ୍ରେସ କେବେ ମୁଣ୍ଡ ନୁଆଁଇ ନାହିଁ। ଆମର କେବେ କୌଣସିଥିରେ ଡରିବାର ନାହିଁ କି ମଥା ଝୁଙ୍କାଇବାର ନାହିଁ। କାରଣ ଆମର ସଂଘର୍ଷ ଏହି ଦେଶର ସମ୍ମାନ ଏବଂ ଆତ୍ମପରିଚିତି ପାଇଁ ବୋଲି ସୋନିଆ କହିଛନ୍ତି। ସେହିପରି ପୁଅ ରାହୁଲଙ୍କ ଅଧିଷ୍ଠାନ ସମ୍ପର୍କରେ ସୋନିଆ କହିଛନ୍ତି ଯେ ନିଜ ପୁଅକୁ ପ୍ରଶଂସା କରିବା ଠିକ୍‌ ନୁହେଁ। ତେବେ ବାଲ୍ୟ କାଳରୁ ହିଂସାକୁ ଦେଖି ଆସିଥିବା ରାହୁଲ ରାଜନୀତିରେ ପଶିଲା ପରେ ବ୍ୟକ୍ତିଗତ ଆକ୍ରମଣକୁ ମଧ୍ୟ ସାମନା କରିଛନ୍ତି। ତେଣୁ ଅତୀତର ଅଭିଜ୍ଞତାକୁ ପାଥେୟ କରି ସେ ଜଣେ ପରିପକ୍ୱ ସୁଦକ୍ଷ ତଥା ସଫଳ ରାଜନେତା ଭାବେ ଉଭା ହେବେ ବୋଲି ସୋନିଆ ଆଶା ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର