ସଙ୍କଟରେ ବିହାର ମହାମେଣ୍ଟ, ଦରଭଙ୍ଗା ଆସନକୁ ନେଇ ଅ‌ସନ୍ତୋଷ ତେଜିଲା

କଂଗ୍ରେସ ନେତାଙ୍କ ସହ ବୈଠକ କଲେ ରାହୁଲ

ପାଟନା: ବିହାର ମହାମେଣ୍ଟରେ ଏବେ ସଙ୍କଟ ଦେଖାଦେଇଛି। ଲୋକସଭା ନିର୍ବାଚନ ପାଇଁ ଆରଜେଡି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଆସନ ବୁଝାମଣାରେ ଅନେକ କଂଗ୍ରେସ ନେତା ଅସନ୍ତୋଷ ଜାହିର କରିଛନ୍ତି। କଂଗ୍ରେସ କର୍ମୀମାନେ ମଧ୍ୟ ଆର୍‌ଜେଡି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟର ୪୦ ଲୋକସଭା ଆସନରୁ ୨୦ଟିରେ ଆରଜେଡି ଲଢ଼ୁଥିବାବେଳେ କଂଗ୍ରେସକୁ ୯ଟି ଆସନ ମିଳିଛି। ଆରଏଲଏସପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି) କୁ ୫ଟି ଆସନ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚଏଏମ୍‌) ଏବଂ ବିକାଶଶୀଳ ଇନସାନ୍‌ ପାର୍ଟି (ଭିଆଇପି)କୁ ୩ଟି ଲେଖାଏଁ ଆସନ ଦିଆଯାଇଛି। ସିପିଏମ୍‌କୁ ଆରଜେଡି କୋଟାରେ ଗୋଟିଏ ଆସନ ମିଳିଛି। ତେବେ ସବୁବେଳେ କଂଗ୍ରେସର ଫୋକସ୍‌ରେ ରହୁଥିବା ବ୍ରାହ୍ମଣ ବହୁଳ ମିଥିଳାଞ୍ଚଳର ଦରଭଙ୍ଗା ଏବଂ ମଧୁବନୀକୁ ନେଇ ଏବେ କନ୍ଦଳ ବଢ଼ିଚାଲିଛି। ଏହି ଦୁଇ ଆସନରେ କଂଗ୍ରେସର ସ୍ଥିତି ଭଲ୍‌ ଥିଲେ ମଧ୍ୟ ଆରଜେଡି ଏହା କଂଗ୍ରେସକୁ ଛାଡ଼ିବାକୁ ପ୍ରସ୍ତୁତ ହେଉନଥିବାରୁ କଂଗ୍ରେସ କର୍ମୀମାନେ ଏହାର ଜୋର୍‌ଦାର ବିରୋଧ କରିଛନ୍ତି । ଆର‌ଜେଡି ଏହି ଦୁଇଟି ଆସନ ମଧ୍ୟରୁ କୌଣସି ଗୋଟିଏ ହେ‌ଲେ କଂଗ୍ରେସକୁ ଛାଡ଼ିବାକୁ ନାରାଜ ଥିବାରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟ ନେତାଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଦରଭଙ୍ଗାରୁ ଜଣେ ଟାଣୁ୍ଆ ମୁସଲମି ନେତା ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲ ବାରି ସିଦ୍ଦିକିଙ୍କୁ ଆରଜେଡି ଦରଭଙ୍ଗା ଆସନ ଦେବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ମଧୁବନୀ ଆସନକୁ ଭିଆଇପି (ବିକାଶଶୀଳ ଇନସାନ୍‌ ପାର୍ଟି)ର ମୁକେଶ ଶାହଣିଙ୍କୁ ଦେବାକୁ ସ୍ଥିର କରିଛି। ମହାମେଣ୍ଟକୁ ନେଇ ସମସ୍ୟା ବଢ଼ୁଥିବାରୁ ଆସନ୍ତାକାଲି ଆର୍‌ଜେଡି ଏବଂ କଂଗ୍ରେସର ରାଜ୍ୟ ନେତାମାନେ ଏକ ମିଳିତ ବୈଠକରେ ସମାଧାନ ପନ୍ଥା ବାହାର କରିବେ ବୋଲି ଆଜି ଘୋଷଣା କରିଛନ୍ତି।

ଲାଲୁ ପରିବାରରେ ସଙ୍କଟ: ଆର୍‌ଜେଡି ଛାତ୍ର ଶାଖା ମୁଖ୍ୟ ପଦରୁ ଇସ୍ତଫା ଦେଲେ ତେଜପ୍ରତାପ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର‌ରେ ଏବେ ସଙ୍କଟ ବଢ଼ିଯାଇଛି। ରାଜନୀତିକୁ ନେଇ ପରିବାରରେ ନୂଆ ସମସ୍ୟା ସୃଷ୍ଟି ହୋଇଛି। ନିକଟରେ ଘର ଛାଡ଼ି ବାହାରେ ରହୁଥିବା ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପଙ୍କୁ ନେଇ ଆରଜେଡିରେ ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି। ତେଜପ୍ରତାପ ଆଜି ଆରଜେଡିର ଛାତ୍ର ଶାଖା ମୁଖ୍ୟ ପଦରୁ ଇସ୍ତଫା ‌ଦେଇଛନ୍ତି। ତେଜପ୍ରତାପଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଟିକଟ ନମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଏଭଳି ପଦ‌କ୍ଷେପ ନେଇଛନ୍ତି। ତେବେ ଲାଲୁଙ୍କ ପରିବାରରେ ଏବେ ଦୁଇ ପୁଅ ‌ତେଜପ୍ରତାପ ଏବଂ ତେଜସ୍ବୀଙ୍କ ମଧ୍ୟ‌ରେ ବିବାଦ ବଢ଼ିବାରେ ଲାଗିଛି। ତେଜପ୍ରତାପ ଛାତ୍ର ଶାଖା ପଦରୁ ଇସ୍ତଫା ‌ଦେବା ଘଟଣାକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମ‌ନେ କରାଯାଉଛି। ତେଜସ୍ବୀ ନିଜକୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ରାଜ‌ନୈତିକ ଉତ୍ତରାଧିକାରୀ ବୋଲି ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧିତ ଖବର