୮ରେ ରାହୁଲ-ନିରଞ୍ଜନ ଆଲୋଚନା

ପିସିସି ପୁନର୍ଗଠନ ପରେ ପ୍ରଥମ ସମୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ନୂଆଦିଲ୍ଲୀରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ୩ଜଣ କାର୍ଯ୍ୟକାରୀ ସଭାପତି, ରାଜ୍ୟ ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ପ୍ରମୁଖଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗତ ଏପ୍ରିଲ ୧୯ ତାରିଖରେ ଓଡ଼ିଶା କଂଗ୍ରେସର ପୁନର୍ଗଠନ ପରେ ଏହା ହେବ ପ୍ରଥମ ସମୀକ୍ଷା ଆଲୋଚନା।

ଏହି ବୈଠକରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ୩ଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ନବକିଶୋର ଦାସ ଓ ପ୍ରଦୀପ ମାଝୀ, ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ, ୩ଜଣ ସଂପାଦକ ଅନୀଲ ଚୌଧୁରୀ, ସେକ୍‌ ମସ୍ତାନ ଓ ରୂଦ୍ର ରାଜୁ ଓ ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମାଙ୍କ ସହିତ ଏଆଇସିସି କର୍ମକର୍ତାମାନଙ୍କ ଓଡ଼ିଶାର ରାଜନୈତିକ ସ୍ଥିତି ସଂପର୍କରେ ଆଲୋଚନା ହେବ। ବିଶେଷ କରି ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସର ସ୍ଥିତି ଓ ଆହ୍ଵାନ, ଦଳର ଜିଲ୍ଲାଓ୍ଵାରୀ ସଭାପତି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ, ୨୦୧୯ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି, ଏପରି କି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ, ବୁଥ୍‌ସ୍ତରର କାର୍ଯ୍ୟକ୍ରମ, ମହାନଦୀ ଜଳ ବିବାଦ ସଂପର୍କରେ ଆଭିମୁଖ୍ୟ, ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତ ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ। ରାଜ୍ୟରେ ଦଳୀୟ ପୁନର୍ଗଠନ ନେଇ ପ୍ରକ୍ରିୟା ଶେଷ ହେବା ପରେ ତା’ର ରୂପରେଖ ଚୂଡ଼ାନ୍ତ ପାଇଁ ଏଆଇସିସିକୁ ରିପୋର୍ଟ ପଠାଯାଇଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର