ରାହୁଲଙ୍କ ସମ୍ପତ୍ତିର ପରିମାଣ ୧୫ କୋଟି ; ୫ ବର୍ଷ ମଧ୍ୟରେ ୪ କୋଟି ୮୫ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି

ୱାୟନାଡ଼ରୁ ପ୍ରାର୍ଥିପତ୍ର ଦାଖଲ କଲେ

ଥିରୁବନନ୍ତପୁରମ: ରାହୁଲ୍ ଗାନ୍ଧୀଙ୍କ ସମ୍ପତ୍ତି ୧୫ କୋଟି (୧୪ କୋଟି ୮୫ ଲକ୍ଷ) ଟଙ୍କା। ୨୦୧୪ ନିର୍ବାଚନରେ ରାହୁଲଙ୍କ ସମ୍ପତ୍ତି ୧୦ କୋଟି ଟଙ୍କା ଥିବାବେଳେ ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୪ କୋଟି ୮୫ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ୱାୟନାଡ଼ରେ ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲ ତାଙ୍କ ସମ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।

ରାହୁଲଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୫ କୋଟି ୮୦ ଲକ୍ଷ ୫୮ ହଜାର ୭୯୯ ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟି ୯୩ ଲକ୍ଷ ୩ ହଜାର ୯୭୭ ଟଙ୍କା ରହିଛି। ୨୦୧୭-୧୮ ବର୍ଷରେ ତାଙ୍କର ଆୟ ୧ କୋଟି ୧୧ ଲକ୍ଷ ୮୫ ହଜାର ୫୭୦ ଟଙ୍କା ରହିଛି। ମା ସୋନିଆ ଗାନ୍ଧୀଙ୍କ ଠାରୁ ସେ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣ ନେଇଥିବାବେଳେ ତାଙ୍କ ଉପରେ ୭୨ ଲକ୍ଷ ୧୯୦୪ ଟଙ୍କାର ଋଣ ରହିଛି। ସେ ନିଜେ ୮ କୋଟି ୭୫ ଲକ୍ଷ ୭୦ ହଜାର ଟଙ୍କାର ସମ୍ପତ୍ତି ସୃଷ୍ଟି କରିଥିବାବେଳେ ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ୯୩ ହଜାର ୬୯୩ ଟଙ୍କା ଜମା ରହିଛି। ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ନିକଟରେ ମାତ୍ର ନଗଦ ୪୦ ହଜାର ଟଙ୍କା ଅଛି। ତାଙ୍କ ନିକଟରେ ୨ ଲକ୍ଷ ୯୧ ହଜାର ୩୬୭ ଟଙ୍କା ମୂଲ୍ୟର ଗହଣା ରହିଛି ଯାହା ମଧ୍ୟରେ ୩୩୩.୩୦୦ ଗ୍ରାମର ସୁନା ରହିଛି। ଦିଲ୍ଲୀର ମେହରା‌ଳୌଠାରେ ଭଉଣୀ ପ୍ରିୟଙ୍କା ସହିତ ମିଳିତଭାବେ ତାଙ୍କର ୨.୩୪ ଏକରର ଚାଷଜମି ରହିଛି। ଉତ୍ତରାଧିକାର ସୂତ୍ରରେ ସେ ଏହି ସମ୍ପତ୍ତି ପାଇଛନ୍ତି। ଗୁରୁଗ୍ରାମର ସିଲୋଖେରାରେ ତାଙ୍କର ୫୮୩୮ ବର୍ଗଫୁଟର ଏକ ବାଣିଜ୍ୟିକ କୋଠ ରହିଛି ଯାହାର ମୂଲ୍ୟ ୮ କୋଟି ୭୫ ଲକ୍ଷ ୭୦ ହଜାର ଟଙ୍କା।

କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ ଆଜି କେରଳର ୱାୟନାଡ଼ ଲୋକସଭା ଆସନରୁ ପାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧ୍ରୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ର ଦାଖଲ କରିସାରିବା ପରେ ରାହୁଲ ଏକ ବିଶାଳ ରାଲି କରିଥିଲେ। ରାହୁଲ ତାଙ୍କ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଥି ସମେତ ଦ୍ବିତୀୟ ଆସନ ଭାବେ ୱାୟନାଡ଼ରୁ ଏଥର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ରାଲି ପରେ ସେ ୱାୟନାଡ଼ରୁ ନିର୍ବାଚନ ଲଢ଼ିବାର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ଏକତାର ବାର୍ତ୍ତା ଦେବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର