ରାଜୀବ ଗାନ୍ଧୀଙ୍କ ଜନ୍ମଦିନରେ ରାହୁଳ, ପ୍ରିୟଙ୍କା ଓ ସୋନିଆଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ; ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାତୀୟ ରାଜଧାନୀ ଅନ୍ତର୍ଗତ ବୀରଭୂମୀ ଠାରେ ସେମାନେ ରାଜୀବ ଗାନ୍ଧୀଙ୍କ ସମାଧିପୀଠରେ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍‌ ଏବଂ ଅଶୋକ ଗେଲୋଟ୍‌ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ଏହା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି: ରାଜୀବ ଗାନ୍ଧୀ ଥିଲେ ଜଣେ ଦୟାଳୁ, ଭଦ୍ର ଓ ସ୍ନେହୀ ମଣିଷ। ବାପାଙ୍କର ଅକାଳ ବିୟୋଗ ମୋ ଜୀବନରେ ଗଭୀର ଶୂନ୍ୟତା ଛାଡ଼ି ଯାଇଛି। ଆମେ ଏକତ୍ର ଥିବା ବେଳର କଥା ମୋ ମନେପଡୁଛି। ସେ ବଞ୍ଚିଥିବା ବେଳେ ତାଙ୍କ ସହ ବହୁ ଜନ୍ମଦିନ ପାଳନ କରିଥିବାରୁ ଆମେ ବଡ଼ ଭାଗ୍ୟବାନ। ଆମେ ତାଙ୍କୁ ହରାଇଛୁ, କିନ୍ତୁ ତାଙ୍କର ସ୍ମୃତି ବଞ୍ଚି ରହିଛି।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟୁଇଟ କରି ପୂର୍ବତନ ପ୍ରଧାମନ୍ତ୍ରୀଙ୍କ ଦେଶ ପ୍ରତି ଥିବା ଉଦ୍ୟମକୁ ସ୍ମରଣ କରାଇଛନ୍ତି। ସେ କହିଛନ୍ତି: ଜନ୍ମବାର୍ଷିକୀରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ର ପ୍ରତି ତାଙ୍କର ଉଦ୍ୟମକୁ ଆମେ ମନେରଖିଛୁ।

୧୯୪୪ ମସିହା ଅଗଷ୍ଟ ୨୦ ତାରିଖ ଦିନ ରାଜୀବ ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ। ସଂସଦରେ ୧୯୮୧, ୧୯୮୪, ୧୯୮୯ ଏବଂ ୧୯୯୧ରେ ସେ ଆମେଥି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ।

ସମ୍ବନ୍ଧିତ ଖବର