ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ ୯୦ ମିନିଟ୍‌ ଭାଷଣରେ ରାଫେଲ୍‌ ଡିଲ୍‌ କାହିଁକି ନାହିଁ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିରୋଧରେ ଦେଇଥିବା ବିସ୍ଫୋରକ ଭାଷଣକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସଂସଦ ବାହାରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି ଯେ ୪ ବର୍ଷ ହେଲା ମୋଦି ପ୍ରଧାନମନ୍ତ୍ରୀ ରହିଛନ୍ତି, ତେଣୁ ସେ କଂଗ୍ରେସକୁ ଦୋଷାରୋପ ନକରି ଇତିମଧ୍ୟରେ ନିଜେ କ’ଣ କ’ଣ କରିଛନ୍ତି ସେ ବିଷୟରେ କୁହନ୍ତୁ। ଗୋଟିଏ ପଟେ ମୋଦି କହୁଛନ୍ତି ସେ ଦୁର୍ନୀତିକୁ ବରଦାସ୍ତ କରୁନାହାନ୍ତି କିନ୍ତୁ ଅନ୍ୟପକ୍ଷରେ ସେ ରାଫେଲ୍‌ ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେଉଛନ୍ତି। ଦୀର୍ଘ ୯୦ ମିନିଟ୍‌ର ଭାଷଣରେ ମୋଦି କେବଳ କଂଗ୍ରେସ ବିରୋଧରେ ବର୍ଷିଛନ୍ତି, କିନ୍ତୁ ସେ ରାଫେଲ୍‌ ଦୁର୍ନୀତି ନେଇ କାହିଁକି କିଛି କହିଲେନି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ମୋଦି ଜାଣିବା ଦରକାର ଯେ ସେ ଦେଶର ପ୍ରଧାନମନ୍ତ୍ରୀ। ସେ ବିରୋଧୀ ଦଳର ନେତା ନୁହନ୍ତି। ଏହା ମଧ୍ୟ ଏକ ନିର୍ବାଚନୀ ଭାଷଣ ନୁହେଁ। ତେଣୁ ଆମକୁ ଦୋଷାରୋପ କରିବା ପରିବର୍ତ୍ତେ ସେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର କାହିଁକି ଦେଉନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ମୋଦି ନିଜେ ବ୍ୟକ୍ତିଗତ ଭାବେ ରାଫେଲ ଚୁକ୍ତିର ସମୟକାଳକୁ ବଦଳାଇ ଦେଇଛନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଦେଶର ଯୁବଗୋଷ୍ଠୀମାନଙ୍କ ନିଯୁକ୍ତି ପାଇଁ ମୋଦି କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଦେଶର କୃଷକମାନଙ୍କ ପାଇଁ ସେ କ’ଣ କରିଛନ୍ତି ସେ ବିଷୟରେ ମଧ୍ୟ ସେ କିଛି କହିନାହାନ୍ତି। ଏହାବାଦ୍‌ ପ୍ରତ୍ୟେକଟି ଭାଷଣକୁ ମୋଦି କଂଗ୍ରେସ ଏବଂ ଏହାର ନେତାମାନଙ୍କ ଉଦ୍ଦେଶ୍ୟରେ ନ କରିବାପାଇଁ ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର