ରାଫେଲ୍‌କୁ ନେଇ ଲମ୍ବା ଲଢ଼େଇ ଚାଲିବ, ବ୍ୟାଙ୍କ୍‌ ଏବଂ ଦକ୍ଷତା ଗ୍ୟାରେଣ୍ଟିକୁ ନେଇ ପ୍ରଶ୍ନବାଚୀ

ସରକାରଙ୍କ ମିଛ ଧରାପଡ଼ିଯାଇଛି: ରାହୁଲ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ନେଇ ସାର୍ବଜନୀନ ହୋଇଥିବା ସିଏଜି ରିପୋର୍ଟ ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ଏବଂ ଏ ବାବଦ ରାଜନୈତିକ ଲଢ଼େଇ ଆହୁରି ଲମ୍ବା ଚାଲିବ ବୋଲି ଜଣାପଡ଼ିଛି। ସିଏଜି ରିପୋର୍ଟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସରକାରଙ୍କୁ ପୁଣି ଟାର୍ଗେଟ୍‌ କରିଥିବା ବେଳେ ବିଜେପି ମଧ୍ୟ କଂଗ୍ରେସକୁ ଘେରିବାକୁ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ତେବେ ୟୁପିଏ ସରକାର ତୁଳନାରେ ଏନ୍‌ଡିଏ ସରକାରଙ୍କ ଚୁକ୍ତି ୨.୮୬ ପ୍ରତିଶତ ଶସ୍ତା ଥିବାରୁ ଏହାକୁ ନେଇ ସରକାର ସୁବିଧାଜନକ ସ୍ଥିତିରେ ଅଛନ୍ତି। ତେବେ କେତେକ ବରିଷ୍ଠ ମନ୍ତ୍ରୀ ପୂର୍ବରୁ ଏନ୍‌ଡିଏର ଚୁକ୍ତି ୯ ପ୍ରତିଶତ ଶସ୍ତା ବୋଲି କହିଥିବାରୁ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ସଂସଦରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଏଭଳି ତଥ୍ୟ ରଖିଥିବାରୁ ସରକାର ଏ ବାବଦରେ ସଫେଇ ଦେବାକୁ ରାହୁଲ ଦାବି କରିଛନ୍ତି। ସିଏଜି ରିପୋର୍ଟରେ କୁହାଯାଇଛି ଯେ ବ୍ୟାଙ୍କିଙ୍ଗ୍ ଏବଂ ଦକ୍ଷତା ଗ୍ୟାରେଣ୍ଟିକୁ ହଟାଇ ଏହି ଚୁକ୍ତିକୁ ଶସ୍ତା କରାଯାଇଛି। ବ୍ୟାଙ୍କ୍‌ ସଂପର୍କିତ ଶୁଳ୍କ୍‌ ହଟାଯାଇପାରିବ ବୋଲି ଭାରତୀୟ ପକ୍ଷ ସୁନିଶ୍ଚିତ ହେବାପରେ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ତେବେ ସରକାର କେଉଁ ଆଧାରରେ ଏବଂ କିଭଳି ସ୍ଥିତିରେ ଏହି ଚୁକ୍ତିରୁ ଦକ୍ଷତା ଗ୍ୟାରେଣ୍ଟିକୁ ହଟାଇଲେ ତାହାକୁ ନେଇ ବିସ୍ତୃତ ଖୋଳତାଡ଼ କରାଯିବାକୁ କଂଗ୍ରେସ ଦାବି କରିଛି। ତେବେ ବିମାନର ଦକ୍ଷତା, ବିନିଯୋଗ ଏବଂ ନିର୍ଦ୍ଧାରିତ ମାନଦଣ୍ଡ ଅନ୍ୟ ସବୁ ପ୍ରକ୍ରିୟାରେ ଆସିଯାଉଥିବାରୁ ଏ ବାବଦ ବ୍ୟାଙ୍କ୍‌ ଏବଂ ପରଫର୍ମାନ୍ସ ଗ୍ୟାରେଣ୍ଟି ବିଶେଷ ଉପଯୋଗୀ ନଥିଲା ବୋଲି ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର