ରାହୁଲଙ୍କ ଜର୍ମାନୀ ଭାଷଣକୁ ନେଇ ଝଡ଼

ଆତଙ୍କବାଦକୁ ଯଥାର୍ଥ ବୋଲି ଦର୍ଶାଇବା ଅନୁଚିତ: ବିଜେପି

ନୂଆଦିଲ୍ଲୀ: ଜର୍ମାନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆତଙ୍କବାଦ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ଏହାକୁ ନେଇ ଶାସକ ଦଳ ବିଜେପି ରାହୁଲଙ୍କୁ ତୀବ୍ର ଭର୍ତ୍ସନା କରିଛି। ଏମିତି କି ମୋଦୀ ସରକାରଙ୍କ ଉପରେ ଅଯଥା ଦୋଷ ଲଦି ରାହୁଲ ବିଦେଶରେ ଯେଉଁ ମିଥ୍ୟାରୋପ ଲଗାଇଛନ୍ତି, ତାହାକୁ ନେଇ ବିଜେପି ନିନ୍ଦା କରିବା ସହିତ ଏ ନେଇ ସ୍ପଷ୍ଟୀକରଣ ମାଗିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିଦେଶ ଗସ୍ତ ବେଳେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ କାର୍ଯ୍ୟକ୍ରମରେ ପୂର୍ବ କଂଗ୍ରେସ ସରକାରଙ୍କ ବିରୋଧରେ ବିଭିନ୍ନ ଟିପ୍ପଣୀ ଦେଉଥିଲେ। ପ୍ରଧାନମନ୍ତ୍ରୀ ମୁଖ୍ୟତଃ କଂଗ୍ରେସର ଦୁର୍ନୀତି ଓ ସ୍ଥାଣୁତା ପ୍ରସଙ୍ଗ ଉଠାଉଥିବା ବେଳେ ଏହାକୁ କଂଗ୍ରେସ ନାପସନ୍ଦ କରିବା ସହିତ ମୋଦୀଙ୍କୁ ସମାଲୋଚନା କରିଥିଲା। ଏବେ ରାହୁଲଙ୍କ କ୍ଷେତ୍ରରେ ତାହାର ପୁନରାବୃତ୍ତି ଘଟିଛି।

ଆଜି ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲ ଜାଣିଶୁଣି ବିଦେଶରେ ଭାରତକୁ ଖରାପ ଅର୍ଥରେ ଚିତ୍ରିତ କରୁଛନ୍ତି। ଦେଶର ସଂସ୍କୃତି ଓ ପରଂପରା ସଂକ୍ରାନ୍ତରେ ସେ ଭୁଲ ତଥ୍ୟ ଦେଇ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏମିତି କି ଦେଶରେ ମହିଳାମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ସେ ଦର୍ଶାଉଛନ୍ତି। ତାଙ୍କ କଥାରେ ଆଦୌ ସତ୍ୟତା ନାହିଁ। ବିଜେପି ଉପରେ ରାଗ ଶୁଝାଇବା ଲାଗି ସେ ଭାରତର ଭାବମୂର୍ତ୍ତି ଉପରେ ଅଙ୍ଗୁଳି ଉଠାଉଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଜର୍ମାନୀରେ ରାହୁଲ ଯେଉଁସବୁ ମିଥ୍ୟାରୋପ ଲଗାଇଛନ୍ତି, ତାହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ପାତ୍ର କହିଛନ୍ତି। ଜର୍ମାନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାହୁଲ ଗତକାଲି କହିଥିଲେ, ଦେଶର ବିକାଶରେ ଆଦିବାସୀ ଓ ଦଳିତ ଲୋକଙ୍କୁ ସାମିଲ କରାଯିବା ଦରକାର। ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ଅନୁଚିତ। ସେମାନଙ୍କୁ ଯଦି ବିକାଶରୁ ଦୂରେଇ ରଖାଯାଏ, ତେବେ ସେମାନେ ଅବହେଳିତ ଅନୁଭବ କରିବେ ଏବଂ ପ୍ରତିଶୋଧପରାୟଣ ହୋଇ ବିଶୃଙ୍ଖଳା ଘଟାଇବେ। ଏଇଥିପାଇଁ ଆଇଏସ୍‌ ଭଳି ଆତଙ୍କବାଦୀ ଗୋଷ୍ଠୀର ସୃଷ୍ଟି ହେଉଛି ବୋଲି ସେ କହିଥିଲେ। ଆଜି ରାହୁଲଙ୍କୁ ଏହି ବୟାନ ପାଇଁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଭାଷଣ ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିବାକୁ ପ୍ରୟାସ କରିଛନ୍ତି।

ସମ୍ବନ୍ଧିତ ଖବର