ପାଇଲଟ୍‌ ସମର୍ଥକଙ୍କ ଭଙ୍ଗାରୁଜା

ରାହୁଲଙ୍କ ପସନ୍ଦ ପାଇଲଟ୍‌, ସୋନିଆ-ପ୍ରିୟଙ୍କାଙ୍କ ପସନ୍ଦ ଗେହଲଟ୍‌

ଜୟପୁର: କଂଗ୍ରେସର ଯୁବନେତା ସଚିନ୍‌ ପାଇଲଟ୍‌ଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବାରେ ବିଳମ୍ବ ହେଉଥିବା ପ୍ରତିବାଦ କରି ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ୍‌ଙ୍କ ସମର୍ଥକଙ୍କ ସହ ମଧ୍ୟ ‌ପାଇଲଟ୍‌ଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି। ପାଇଲଟ୍‌ଙ୍କ ସମର୍ଥକମାନେ ଆଜି ସନ୍ଧ୍ୟାରେ ରାଜ୍ୟର କାରୁଆଲି ଏବଂ ଜୟପୁରକୁ ସଂଲଗ୍ନ କରୁଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାସ୍ତା ଅବରୋଧ କରିଛନ୍ତି। ଏହାବ୍ୟତୀତ ଉଗ୍ର ସମର୍ଥକମାନେ ଦୌସାରେ ବସ୍, ଟ୍ରକ୍‌ ଆଦି ଭଙ୍ଗାରୁଜା କରିଥିବା ରିପୋର୍ଟ ମିଳିଛି। ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ତାଙ୍କ ସମର୍ଥକଙ୍କ ଧମକ ରାଜ୍ୟ କଂଗ୍ରେସକୁ ଅଡୁଆରେ ପକାଇଛି। ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଚୂଡ଼ାନ୍ତ ଘୋଷଣା ପୂର୍ବରୁ କଂଗ୍ରେସର ଦୁଇ ଗୋଷ୍ଠୀ ଏଭଳି ମୁହାଁମୁହିଁ ହୋଇଥିବାରୁ ଆଗାମୀ ଦିନରେ କଂଗ୍ରେସ କନ୍ଦଳ ଉଗ୍ର ରୂପ ନେବା ଆଶଙ୍କା କରାଯାଉଛି। ରାଜ୍ୟ ରାଜପଥ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଥିବାରୁ ହଜାର ହଜାର ଟ୍ରକ୍‌, ବସ୍‌ ଅଟକିରହିଛି। ଯାତ୍ରୀସେବା ବ୍ୟାହତ ହୋଇଥିବାରୁ ଜନ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି।

ରାହୁଲଙ୍କ ପସନ୍ଦ ପାଇଲଟ୍‌, ସୋନିଆ-ପ୍ରିୟଙ୍କାଙ୍କ ପସନ୍ଦ ଗେହଲଟ୍‌

ନୂଆଦିଲ୍ଲୀ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ କ‌ାହାକୁ ମିଳିବ, ସେ ନେଇ ଦ୍ବନ୍ଦ୍ବ ଜାରି ରହିଥିବା ବେଳେ ଯୁବନେତା ସଚିନ୍‌ ପାଇଲଟ୍‌ଙ୍କ ହାତରେ ରାଜ୍ୟର କ୍ଷମତା ଡୋରି ଦେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚାହୁଥିବା ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ରାହୁଲଙ୍କ ମାଆ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଅଶୋକ ଗେହଲଟ୍‌ଙ୍କୁ ସମର୍ଥନ କରୁଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସମ୍ପର୍କିତ ନିଷ୍ପତ୍ତି ରାହୁଲ ହିଁ ନେବେ ବୋଲି ଦଳର ସବୁ ନେତା ଏକସ୍ବରରେ କହୁଥିଲେ ମଧ୍ୟ ବାସ୍ତବରେ ସ୍ଥିତି ଭିନ୍ନ ରହିଛି ଏବଂ ପାଇଲଟ୍‌ ଓ ଗେହଲଟ୍‌ଙ୍କ ସମର୍ଥକମାନେ ଦଳୀୟ ନେତୃତ୍ବ ଉପରେ ପ୍ରବଳ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି। ଗେହଲଟ୍‌ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚୟନରେ ସମୟ ଲାଗିଥାଏ ଏବଂ କର୍ମୀମାନେ ଏ ନେଇ ଧୈର୍ଯ୍ୟ ରକ୍ଷା କରିବା ଜରୁରି।

ସମ୍ବନ୍ଧିତ ଖବର