ରାହୁଲଙ୍କ ‘ଜୁମ୍‌ଲା ଷ୍ଟ୍ରାଇକ୍‌’

ନୂଆଦିଲ୍ଲୀ: ମୋଦୀ ସରକାର ନିଜ ନିର୍ବାଚନୀ ପ୍ରଚାର ବେଳର ଅଧିକାଂଶ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି, ଲୋକଙ୍କୁ କେବଳ ଭୁଅାଁ ବୁଲାଯାଇଛି। ପ୍ରଥମତଃ ପ୍ରତ୍ୟେକ ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଛାଡ଼ିବେ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ପୂରଣ ହୋଇପାରିଲା ନାହିଁ। ଏହାକୁ ସେ ‘ଜୁମ୍‌ଲା ଷ୍ଟ୍ରାଇକ୍‌ ୧’ ବୋଲି କହି କଟାକ୍ଷ କରିଥିଲେ। ସେହିଭଳି ପ୍ରତିବର୍ଷ ଯୁବପିଢ଼ିଙ୍କୁ ୨ କୋଟି ନିଯୁକ୍ତି ଦେବେ ବୋଲି ସରକାର କଥା ଦେଇଥିଲେ। କିନ୍ତୁ ଏଥିରେ ବି ବିଫଳ ହୋଇଛନ୍ତି। ଏହା ଜୁମ୍‌ଲା ଷ୍ଟ୍ରାଇକ୍‌ ୨ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚୀନ୍‌ ଗୋଟିଏ ଦିନରେ ୫୦,୦୦୦ ଲୋକଙ୍କୁ ଚାକିରି ଯୋଗାଉଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଦେଶରେ ଏକକ ଜିଏସ୍‌ଟି କାର୍ଯ୍ୟକାରୀ ପାଇଁ ଯୋଜନା କରିଥିଲା ବେଳେ ଏଥିରେ ପେଟ୍ରୋଲ ଓ ଡିଜେଲକୁ ସାମିଲ କରିବାକୁ ଚାହିଥିଲା। କିନ୍ତୁ ମୋଦୀ ସରକାର ଏଥିରେ ବିଫଳ ହୋଇଛନ୍ତି। ମୋଦୀଙ୍କ ଜିଏସ୍‌ଟିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାମିଲ କରାଯାଇଛି। ଫଳରେ ବ୍ୟବସାୟିକ କାରବାର ବାଧାପ୍ରାପ୍ତ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଦେଶର କେବଳ ୧୦ରୁ ୨୦ ବଡ଼ ବ୍ୟବସାୟୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଆସିଛନ୍ତି। ଅନ୍ୟପକ୍ଷରେ ଗରିବ ଲୋକଙ୍କ ପ୍ରତି ତାଙ୍କ ହୃଦୟରେ କୌଣସି ସ୍ଥାନ ନାହିଁ ବୋଲି ରାହୁଲ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅର ସମ୍ପତ୍ତି ୧୬୦୦ ଗୁଣ ବୃଦ୍ଧି ପାଇବା ଦେଶବାସୀଙ୍କୁ ଚକିତ କରିଛି।

ପ୍ରଧାନମନ୍ତ୍ରୀ ତାଙ୍କର କିଛି ବନ୍ଧୁଙ୍କୁ ଧରି ଫ୍ରାନ୍ସ ଯାଇ ଫେରିବା ପରେ ରାଫେଲ ମୂଲ୍ୟ ବୃଦ୍ଧି ପାଇବା ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି। ତେଣୁ ରାଫେଲ୍‌ ଚୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରଧାନମନ୍ତ୍ରୀ ରାଷ୍ଟ୍ରବାସୀଙ୍କୁ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ରାହୁଲ କହିଛନ୍ତି। କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରକୁ ମିଛ କହିଛନ୍ତି।

ଗୁଜରାଟରେ ମୋଦୀ ଚୀନ୍‌ ରାଷ୍ଟ୍ରପତିଙ୍କ ସହିତ ଥିବା ସମୟରେ ଡୋକଲାମରେ ୧,୦୦୦ ଚାଇନା ସୈନିକ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ଏମ୍‌ଏସ୍‌ପି ବାବଦରେ ରାହୁଲ କହିଛନ୍ତି, ଚାଷୀମାନଙ୍କୁ ବି ସରକାର ଭୁଅାଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି।

ଦେଶରେ ଦଳିତ ଓ ଆଦିବାସୀମାନଙ୍କୁ ପ୍ରତି ହିଂସା ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ଚୁପ୍‌ ରହିଛନ୍ତି। ବରଂ ତାଙ୍କ ମନ୍ତ୍ରୀ ଭିଡ଼ ହିଂସା ଘଟାଇ ଲୋକଙ୍କ ଜୀବନ ନେଇଥିବା ଲୋକଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ଆପଣମାନଙ୍କ ମନରେ ମୋ ପାଇଁ ଘୃଣାଭାବ ରହିଥିବ। କିନ୍ତୁ ମୋ ଭିତରେ ଆପଣମାନଙ୍କ ପାଇଁ ଆଦୌ ଘୃଣାଭାବ ନାହିଁ। ଆର୍‌ଏସ୍‌ଏସ୍‌ ଓ ବିଜେପି ଯାହା କୁହନ୍ତୁ ପଛେ, ଆମେ ପ୍ରେମର ବାର୍ତ୍ତା ସବୁଠି ପହଞ୍ଚାଇବୁ।

ସମ୍ବନ୍ଧିତ ଖବର