କୋଚ୍‌ ପାଲଟିଲା ପ୍ରସୂତି ପ୍ରକୋଷ୍ଠ : ଚଳନ୍ତା ଟ୍ରେନରେ ରେଳ କର୍ମଚାରୀଙ୍କ ସହାୟତାରେ ଶିଶୁ ପୁତ୍ର ଜନ୍ମ ଦେଲେ ଯାତ୍ରୀ

ସୀତାପୁର୍‌(ଉତ୍ତରପ୍ରଦେଶ) : ଜନ ନାୟକ ଏକ୍ସପ୍ରେସ ପାଲଟିଲା ପ୍ରସୂତି ପ୍ରକୋଷ୍ଠ । ସୋମବାର ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ମହିଳା ଜନ ନାୟକ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଟ୍ରେନରେ ଚିକିତ୍ସା ଲାଗି କୌଣସି ସୁବିଧା ଉପଲବ୍ଧ ନ ଥିବା ସତ୍ତ୍ୱେ ରେଳ କର୍ମଚାରୀଙ୍କ ସହାୟତାରେ ଯାତ୍ରୀ ଜଣକ କୋଚ୍‌ ମଧ୍ୟରେ ହିଁ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ପରେ ମା’ ଓ ନବଜାତକଙ୍କୁ ଆମ୍ଭୁଲାନ୍ସ ଯୋଗେ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି ।

ndtv.com

ସୂଚନା ମୁତାବକ, ସୁମନ ଦେବୀ ସନ୍ତାନ ପ୍ରସବ ପାଇଁ ତାଙ୍କ ସ୍ୱାମୀଙ୍କ ସହ ଜନ ନାୟକ ଏକ୍ସପ୍ରେସରେ ଉତ୍ତରପ୍ରଦେଶର ଗୋରଖ୍‌ପୁର୍‌କୁ ଯାତ୍ରା କରୁଥିଲେ । କିନ୍ତୁ ଟ୍ରେନଟି ସୀତାପୁର୍‌ରେ ହୋଇଥିବା ବେଳେ ସୁମନ ଦେବୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ସୁମନଙ୍କ ସ୍ୱାମୀ ଯାଇ ଷ୍ଟେସନ ଅଫିସର ସୁରେଶ ୟାଦବଙ୍କୁ ଏ ବିଷୟରେ ଜଣାଇଥିଲେ । ଏ ବିଷୟରେ ଜାଣିବା ପରେ ସୁରେଶ ତୁରନ୍ତ ଜଣେ ଡ଼ାକ୍ତର ଏବଂ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରି କୋଚ୍‌ ମଧ୍ୟରେ ହିଁ ପ୍ରସବ କରାଇବା ପାଇଁ କହିଥିଲେ । ଏହି କାମରେ କିଛି ମହିଳା ଯାତ୍ରୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥିଲେ । କିଛି ସମୟ ପରେ ସୁମନ ଜଣେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା । ଏହା ପରେ ଦୁଇ ଜଣଙ୍କୁ ଆମ୍ଭୁଲାନ୍ସ ଯୋଗେ ସୀତାପୁର ଡ଼ାକ୍ତରଖାନାକୁ ନିଆ ଯାଇଥିଲା । ଏଥିପାଇଁ ଜନ ନାୟକ ଏକ୍ସପ୍ରେସଟି ଷ୍ଟେସନରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର