ସାଢ଼େ ତିନି ବର୍ଷ ପରେ ଠିକଣା ଜାଗାରେ ପହଞ୍ଚିଲା ରେଳବାଇ ପାର୍ସଲ୍‌

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ରୁ ଗୋଟିଏ ମାଲ୍‌ଗାଡ଼ିର ଓ୍ଵାଗନ୍‌କୁ ୧୪୦୦ କିଲୋମିଟର୍‌ ଦୂରରେ ଥିବା ଠିକଣା ସ୍ଥାନରେ ପହଞ୍ଚିବାକୁ ସାଢ଼େ ତିନି ବର୍ଷ ଲାଗିଛି। ୨୦୧୪ ମସିହାରେ ସେ ଓ୍ଵାଗନ୍‌ଟି ବୁକ୍‌ କରାଯାଇଥିଲା।

ଓ୍ଵାଗନ୍‌ ପହଞ୍ଚିବା ପରେ ରେଳବାଇ ଅଧିକାରୀମାନେ ମଧ୍ୟ କାବା ହୋଇ ଯାଇଥିଲେ।

ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡ୍‌ ନାମକ କମ୍ପାନି ଓ୍ଵାଗନ୍‌ ନମ୍ବର ୧୦୭୪୬୨ ବୁକ୍‌ କରିଥିଲା। ସେଥିରେ ଥିଲା ବିଶାଖାପଟନମ୍‌ ବନ୍ଦରରୁ ଆସିଥିବା କମ୍ପୋଷ୍ଟ୍‍ ପାର୍ସଲ୍‌। ତାହା ପହଞ୍ଚିବାର ଥିଲା ମେସର୍ସ ରାମଚନ୍ଦ୍ର ଗୁପ୍ତଙ୍କ ଦୋକାନରେ। କିନ୍ତୁ, ମାସ ପରେ ମାସ ବିତି ଚାଲିଲେ ମଧ୍ୟ ଓ୍ଵାଗନ୍‌ ଠିକଣା ଜାଗାରେ ପହଞ୍ଚିଲା ନାହିଁ। ରେଳବାଇକୁ ଡଜନ୍‌ ଡଜନ୍‌ ଚିଠି ଲେଖାଗଲା। ରେଳ କର୍ତ୍ତୃପକ୍ଷ ମଧ୍ୟ ଦୀର୍ଘ ସାଢ଼େ ତିନି ବର୍ଷ ଧରି ସେ ଓ୍ଵାଗନ୍‌କୁ ଠାବ କରି ପାରିଲେ ନାହିଁ।

୧୦ ଲକ୍ଷ ଟଙ୍କା ମୂଲ୍ୟର କମ୍ପୋଷ୍ଟ୍‍ ଭରା ଓ୍ଵାଗନ୍‌ଟି ଏଇ ସମୟ ମଧ୍ୟରେ ବିଭିନ୍ନ ଷ୍ଟେସନ୍‌ ଦେଇ ସମଗ୍ର ଦେଶ ଭ୍ରମଣ କରିଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷମାନେ ତାହାକୁ ଠାବ କରି ନ ପାରିବାରୁ ସେଥିରେ ଥିବା କମ୍ପୋଷ୍ଟ୍‍ କ୍ରମେ ନଷ୍ଟ ହୋଇଯାଇଥିଲା।

ଏବେ ଏକ ରେଳଷ୍ଟେସନ୍‌ର ପ୍ଲାଟ୍‌ଫର୍ମରେ ସେ କମ୍ପୋଷ୍ଟ୍‍ତକ ରଖାଯାଇଛି। ସେ ସବୁ ନଷ୍ଟ ହୋଇ ଯାଇଥିବାରୁ ଦୋକାନଦାର ତାହା ନେବାକୁ ରାଜି ହେଉନାହିଁ। କମ୍ପୋଷ୍ଟ୍‍ର ମାଲିକ କହୁଛନ୍ତି ଏଇଟା ରେଳବାଇର ଭୁଲ୍‌। ୧୦ ଲକ୍ଷ ଟଙ୍କା ମୂଲ୍ୟାୟନ ଆଧାରରେ ରେଳବାଇ ଠାରୁ ଆଦାୟ କରାଯିବ।

ସମ୍ବନ୍ଧିତ ଖବର