ମୁମ୍ବାଇ: ମୁମ୍ବାଇଠାରେ ପ୍ରାୟ ୨୦ ବର୍ଷ ମଧ୍ୟରେ ଅନେକ ଜୀବନ କେବଳ ଯତ୍ନହୀନତା ଓ ଖାମଖିଆଲି ହେତୁ ଯାଇଛି। ଏଥିମଧ୍ୟରୁ ଅଧିକାଂଶ ଜୀବନ ରେଳ ଧାରଣାରେ ଯାଇଥିବା ଦେଖିବାକୁ ମିଳିଛି। ୨୦୧୭ରେ ଏକ ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ସେହି ବର୍ଷ ପ୍ରାୟ ୩,୨୦୨ ଯାତ୍ରୀ ରେଳଧାରଣାରେ ନିଜ ଜୀବନ ହରାଇଛନ୍ତି। ଏହି ସବୁ ଘଟଣା ହେତୁ ମୁମ୍ବାଇ ପ୍ଲାଟଫର୍ମ ଏବେ ‘କିଲର୍ ପ୍ଲାଟଫମ’ ନାମରେ ଦେଶରେ ପରିଚିତ ହୋଇଗଲାଣି।
ମାତ୍ର ନିକଟରେ ଇଣ୍ଟର୍ନେଟ୍ରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ଦେଖିବା ପରେ ଆପଣ ଏକଦମ ଖୁସି ହୋଇଯିବେ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ରେଲୱେ ପୁଲିସ୍ ଫୋର୍ସ(ଆର୍ପିଏଫ୍) ଯବାନ ନିଜ ଜୀବନକୁ ବାଜି ଲଗାଇ ରେଳଧାରଣାରୁ ଖସି ଚଳନ୍ତା ରେଳ ତଳକୁ ଚାଲି ଯାଉଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି।
ଓହ୍ଲାଇବା ସମୟରେ ମହିଳା ଜଣଙ୍କର ଶାଢ଼ି ଟ୍ରେନ୍ରେ ଲାଗିଯିବାରୁ ସେ ଚଳନ୍ତା ଟ୍ରେନ୍ ଅାଡ଼କୁ ଭିଡି ହୋଇ ଚାଲି ଯାଉଥିଲେ । ଏଣେ ଶାଢ଼ିଟି ଟ୍ରେନ୍ରେ ଲାଗିଥିବାରୁ ସେ ଘୋଷାରି ହୋଇ ହୋଇ ଯାଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। ମାତ୍ର ସେହି ସମୟରେ ଆର୍ପିଏଫ୍ କର୍ମୀ ଜଣକ ଦୌଡ଼ି ଦୌଡ଼ି ମହିଳାଙ୍କୁ ଭିଡି ନେଇ ସେହି ବିପଦକୁ ମୁକ୍ତ କରି ତାଙ୍କୁ ବାହାରକୁ ଟାଣି ଆଣୁଥିବାର ଦେଖିବାକୁ ମିଳୁଛି।