ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ଆରମ୍ଭ କଲା ଏକକ ହେଲପଲାଇନ ନମ୍ବର- ୧୩୯

ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ସୁବିଧା ପାଇଁ  ଭାରତୀୟ ରେଳ ନିଜର ବିଭିନ୍ନ ହେଲପଲାଇନ ନମ୍ବରକୁ ବନ୍ଦ କରି କେବଳ ଗୋଟିଏ ହେଲପଲାଇନ ନମ୍ବର ୧୩୯ ପ୍ରଣୟନ କରିଛି । ଯାତ୍ରୀମାନେ ଯାତ୍ରା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ, କୌଣସି ସୂଚନା ପାଇବାକୁ ଚାହୁଁଥିଲେ ଏହି ନମ୍ବରରେ ଫୋନ କଲେ ସହାୟତା ପହଞ୍ଚିବ ।

ଏହି ହେଲପଲାଇନ ନମ୍ବରଟି ୧୨ଟି ଭାଷାରେ ଉପଲବ୍ଧ ହେବ । ଯେକୌଣସି ପ୍ରକାରର ମୋବାଇଲ ଫୋନରୁ ଏହି ନମ୍ବରକୁ କଲ କରିହେବ । ଯାତ୍ରୀମାନେ ୧୩୯ରେ କଲ କରି ୧ ଚିପିଲେ ତାହା ସୁରକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କିତ ସହାୟତା ପାଇଁ ଉଦ୍ଦିଷ୍ଟ କଲ ସେଣ୍ଟର ସହ ଯୋଗାଯୋଗ କରିବ । ରେଳଯାତ୍ରା ସମ୍ପର୍କିତ ଅନୁସନ୍ଧାନ ପାଇଁ ୧୩୯ରେ କଲ କରି ୨ ଚିପିବାକୁ ହେବ । କ୍ୟାଟରିଂ ସଂପର୍କିତ ଅଭିଯୋଗ ପାଇଁ ୧୩୯ରେ କଲ କରି ୩ ଚିପିବାକୁ ହେବ ।

ଗୋଟିଏ ନମ୍ବର ପ୍ରଚଳନ ହେବା ଦ୍ୱାରା ଯାତ୍ରୀମାନେ ଏହାକୁ ସହଜରେ ମନେରଖିପାରିବେ । ଏହି ନମ୍ବର କାର୍ଯ୍ୟକ୍ଷମ ହେବା ପରେ ରେଳବାଇର ଅନ୍ୟସମସ୍ତ ହେଲପଲାଇନ ନମ୍ବର ଅକାମୀ ହୋଇଯିବ । ତେବେ ହେଲପଲାଇନ ନମ୍ବର ୧୮୨ଟି ଚାଲୁ ରହିବ । ଏହି ନମ୍ବରଟି ନିରାପତ୍ତା ସମ୍ପର୍କିତ ସମସ୍ୟା ଉପୁଜିଲେ ରେଳ ସୁରକ୍ଷା ବଳର ସହାୟତା ପାଇଁ ବ୍ୟବହାର କରାଯାଇଥାଏ ।

 

ସମ୍ବନ୍ଧିତ ଖବର