ଟ୍ରେନ୍‌ରେ ଚଢ଼ିବା ବା ଓହ୍ଲାଇବା ସମୟରେ ଯଦି କୌଣସି ଯାତ୍ରୀଙ୍କର ମୁତ୍ୟୁ ଘଟେ ବା ସେ ଆଘାତପ୍ରାପ୍ତ ହୁଅନ୍ତି, ତେବେ ସେଥିପାଇଁ କ୍ଷତିପୂରଣ ଦେବ ରେଳବାଇ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଚଢ଼ିବା ବା ଓହ୍ଲାଇବା ସମୟରେ ଯଦି କୌଣସି ବି କାରଣ ପାଇଁ ଯାତ୍ରୀଙ୍କର ମୁତ୍ୟୁ ଘଟେ ବା ସେ ଆଘାତପ୍ରାପ୍ତ ହୁଅନ୍ତି, ତେବେ ସେକ୍ଷେତ୍ରରେ ରେଳବାଇ ସଂପୃକ୍ତ ଯାତ୍ରୀଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ଦେବା ପାଇଁ ବାଧ୍ୟ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟ।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏକେ ଗୋୟଲ ଓ ଜଷ୍ଟିସ୍‌ ରୋହିନ୍‌ଟନ୍‌ ଫାଲି ନରିମାନ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକ ମାମଲାର ବିଚାର କରି କହିଛନ୍ତି ଯେ ଯଦି ଜଣେ ଯାତ୍ରୀ ରେଳ ଯାତ୍ରା କରିବା ପାଇଁ ଟିକେଟ କରିଛନ୍ତି ଏବଂ ଟ୍ରେନ୍‌ରେ ଚଢ଼ିବା ବେଳେ ବା ଓହ୍ଲାଇବା ବେଳେ କୌଣସି କାରଣରୁ ତାଙ୍କର ମୁତ୍ୟୁ ଘଟୁଛି ବା ସେ ଆଘାତପ୍ରାପ୍ତ ହେଉଛନ୍ତି ତେବେ ସେ କ୍ଷେତ୍ରରେ ସଂପୃକ୍ତ ଯାତ୍ରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରେଳବାଇ ବାଧ୍ୟ। ଏକ୍ଷେତ୍ରରେ ଟ୍ରେନ୍‌ରେ ଚଢ଼ିବା ବା ଓହ୍ଲାଇବା ବେଳେ ଯେଉଁ ଯାତ୍ରୀଙ୍କର ମୁତ୍ୟୁ ଘଟିଛି ଅବା ସେ ଆଘାତପ୍ରାପ୍ତ ହୋଇଛନ୍ତି ସେଥିରେ ରେଳବାଇର ଦୋଷ ଅଛି ନା ନାହିଁ, ରେଳବାଇର ଅବହେଳା ସେଥିପାଇଁ ଦାୟୀ ନା ନାହିଁ ଏସବୁ କିଛି ବି ହେଲେ ବିଚାରକୁ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୦୨ ଜତୀନ୍‌ ଗୋପେ ନାମକ ଜନୈକ ବ୍ୟକ୍ତି ଏକ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଏକ ଦ୍ୱିତୀୟ ଶ୍ରେଣୀ ଟିକେଟ କିଣିଥିଲେ। ତେବେ, ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଅତ୍ୟଧିକ ଯାତ୍ରୀ ଭିଡ଼ଯୋଗୁଁ ଠେଲାପେଲାରେ ଟ୍ରେନ୍‌ ତଳକୁ ଖସିପଡ଼ି ତାଙ୍କର ମୁତ୍ୟୁ ଘଟିଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ରେଳବାଇ ଠାରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକରି ଏହି ମାମଲା ଆଗତ କରିଥିଲେ। ଏହି ମାମଲାର ବିଚାର କରି ସପ୍ରିମ୍‌ କୋର୍ଟର ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ମାମଲା ଆଗତ କରିଥିବା ମହିଳାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର