ଟିକେଟ କଳାବଜାରୀଙ୍କ ଉପରେ ରେଳବାଇର ଗୁପ୍ତ ନଜର, ଗିରଫହେଲେ ୧୮୫ ଦଲାଲ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ଗତ ନଭେମ୍ବର ୨ ତାରିଖରେ ଦେଶବ୍ୟାପୀ ୧୦୦ରୁ ଅଧିକ ସହରରେ ଆରପିଏଫ୍ ଇ-ଟିକେଟ ଦଲାଲଙ୍କ ଉପରେ ଚଢ଼ାଉ କରିଛି । ବିଭିନ୍ନ ସୂତ୍ରରୁ ସୂଚନା ମିଳିବା ପରେ ରେଳବାଇର ସିକ୍ୟୁରିଟି ଡିରେକ୍ଟୋରେଟ ପକ୍ଷରୁ ଇ-ଟିକେଟ ସଂରକ୍ଷଣ ଢାଞ୍ଚାର ସମୀକ୍ଷା କରାଯାଇଥିଲା । ବେଆଇନ କିପରି କେତେକ ଦଲାଲ ନିଜସ୍ୱ ଆଇଡି ସୃଷ୍ଟି କରି ଇ-ଟିକେଟ ବିକ୍ରି କରୁଛନ୍ତି ସେ ସମ୍ପର୍କରେ ଆରପିଏଫ୍ ଅବଗତ ହୋଇଥିଲା । ନୂଆଦିଲ୍ଲୀସ୍ଥିତ ରେଲୱେ ବୋର୍ଡରେ ମୋଟ ୫ କୋଟି ଇ-ଟିକେଟ ସଂରକ୍ଷଣ ଆଇଡିକୁ ତନଖିବା ପରେ ସନ୍ଦିଗ୍ଧ ଆଇଡିଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା । ପରେ ଏହି ତାଲିକାକୁ ଆରପିଏଫର ବିଭିନ୍ନ ଜୋନାଲ କାର୍ଯ୍ୟାଳୟକୁ ଗୁପ୍ତ ଭାବେ ପଠାଯାଇଥିଲା । ସମ୍ପୂର୍ଣ୍ଣ ଅପରେସନକୁ ଗୁପ୍ତ ରଖିବାକୁ ଏହି ବ୍ୟବସ୍ଥା ହୋଇଥିଲା । ଏହାର ନାମ ରଖାଯାଇଥିଲା ‘ଅପରେସନ ଷ୍ଟର୍ମ’ । ସନ୍ଦିଗ୍ଧ ଆଇଡିଗୁଡ଼ିକ ଜରିଆରେ ଦଲାଲମାନେ କିପରି ନିଜ କାମ କରୁଛନ୍ତି ସେ ସମ୍ପର୍କରେ ସଠିକ୍ ଭାବେ ତଳସ୍ତରରୁ ଡିରେକ୍ଟର ଜେନରାଲ ଓ ଆରପିଏଫ୍ ତଥ୍ୟ ସଂଗ୍ରହ କରିଥିଲେ । ଏବେ ବି ତଦନ୍ତ ଜାରି ରହିଛି । ଇ-ଟିକେଟ ଦଲାଲିରେ ସଂପୃକ୍ତ ୧୮୫ ଜଣ ଦଲାଲଙ୍କୁ ଗିରଫ କରାଯାଇ ମାମଲା ରୁଜୁ ହୋଇଛି । ପଶ୍ଚିମ ରେଳବାଇରୁ ସର୍ବାଧିକ ୪୫ ଓ ପୂର୍ବ ରେଳବାଇରୁ ୩୨ ଜଣ ଦଲାଲ ଗିରଫ ହୋଇଛନ୍ତି । ୩୫.୬୮ ଲକ୍ଷ ଟଙ୍କାର ୧୮୭୫ ଟି ଇ-ଟିକେଟ ଜବତ କରି ବାତିଲ କରାଯାଇଥିଲା । ଏହାଛଡା ମୁମ୍ବାଇରେ ଏକ ବେଆଇନ ସଫ୍ଟୱେର ମଧ୍ୟ ଠାବ କରାଯାଇଛି । ଦଲାଲିରେ ବ୍ୟବହାର କରାଯାଉଥିବା ୧୨୬୮ଟି ୟୁଜର ଆଇଡିକୁ ତୁରନ୍ତ ନିଷ୍କ୍ରିୟ କରିବାକୁ ଆଇଆରସିଟିସିକୁ ସୂଚନା ଦିଆଯାଇଥିଲା । ବିଭିନ୍ନ ଆରପିଏଫ୍ ଥାନାରେ ରେଲୱେ ଆଇନର ଧାରା ୧୪୩ ଅନୁଯାୟୀ ୧୬୬ ଟି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପୂଜା ସମୟରେ ଯାତ୍ରୀଙ୍କ ଭିଡ଼ରୁ ଦଲାଲମାନେ ଫାଇଦା ଉଠାଇବାର ଆଶଙ୍କା ଥିବାରୁ ଅକ୍ଟୋବର ୭ ତାରିଖରୁ ସେମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା । ନଭେମ୍ବର ୨ତାରିଖ ସୁଦ୍ଧା ୮୯୧ ଜଣ ଦଲାଲ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ଭବିଷ୍ୟତର ୧.୫୦ କୋଟି ଟଙ୍କା ମୂଲ୍ୟର ଟିକେଟ ଏବଂ ମୋଟ ଉପରେ ୫.୭୫ କୋଟି ଟଙ୍କାର ଟିକେଟ ଜବତ ହୋଇଛି ।

ସମ୍ବନ୍ଧିତ ଖବର