ରେଳ ସୁରକ୍ଷା ବଳକୁ ଘାରିଲା ପାକିସ୍ତାନ ଭୟ, ଫୋନରେ ସେନା ସମ୍ପର୍କିତ କଥା ନ ହେବାକୁ ନିର୍ଦ୍ଦେଶ

ତିରୁଚି: ରେଳ ସୁରକ୍ଷା ବଳର ଗୁଇନ୍ଦା ବିଭାଗ ରେଳ ବିଭାଗର ଅଧିକାରୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି | ସେନାର ଅସ୍ତ୍ରଶସ୍ତ୍ର ସାମଗ୍ରୀ ପରିବହନ ସମ୍ବନ୍ଧୀୟ ତଥ୍ୟ ଫୋନ ଯୋଗେ ନ କରିବାକୁ କୁହାଯାଇଛି | ଏହି ନିର୍ଦ୍ଦେଶକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବାକୁ କୁହାଯାଇଛି |

ମିଳିଥିବା ସୂଚନା ମୁତାବକ ଆହ୍ଲାବାଦର ରେଳ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ, ଭାରତୀୟ ସେନାର ଗୁପ୍ତ ତଥ୍ୟ ଜାଣିବାକୁ ପ୍ରୟାସ କରୁଛନ୍ତି | ବିଶେଷ କରି ଟ୍ରେନରେ ପରିବହନ ହେଉଥିବା ଭାରତୀୟ ସେନାର ସାମଗ୍ରୀ ବାବଦରେ ତଥ୍ୟ ହାସଲରେ ଲାଗିପଡିଛନ୍ତି | ନିଜକୁ ଭାରତୀୟ ସେନାର ଅଧିକାରୀ ଭାବେ ପରିଚୟ ଦେଇ ତଥ୍ୟ ହାସଲ କରିବାକୁ ପ୍ରୟାସ କରିଥିଲେ | ବିଶେଷ କରି ଭାରତୀୟ ସେନାର ଯବାନ ମାନେ ଟ୍ରେନରେ କେଉଁ ସ୍ଥାନକୁ ଯାଉଛନ୍ତି ସେ ବାବଦରେ ନିରନ୍ତର ତଥ୍ୟ ପାଇଁ ଚେଷ୍ଟା କରୁଛନ୍ତି|

ଏହାକୁ ନେଇ ଆରପିଏଫର ଗୁଇନ୍ଦା ବିଭାଗ ଦେଶର ସବୁ ରେଳ ଅଧିକାରୀଙ୍କୁ ଏ ବାବଦରେ ପଚରାଉଚୁରା କରିଛି | ପୁଲବାମା ଆକ୍ରମଣ ପରେ ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ତାହା ପଛରେ କିଛି ପାକିସ୍ତାନୀ ସଂସ୍ଥାଙ୍କର ଭୂମିକା ରହିଥିଲା | ସେମାନେ ଯବାନଙ୍କର ଗତିବିଧି ବାବଦରେ ତଥ୍ୟ ଦେଇଥିବା ଜଣାପଡିଥିଲା|

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ବରିଷ୍ଠ ଅଧିକାରୀମାନେ ଷ୍ଟେସନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସ୍ୱୀକୃତିପ୍ରାପ୍ତ ଅଧିକାରୀଙ୍କ ଛଡା ଏହି ତଥ୍ୟ କାହାକୁ ଦେଇ ହେବ ନାହିଁ | ସେହିପରି ଅଧିକାରୀମାନେ ସେନାର ଏହି ଗୁପ୍ତ ତଥ୍ୟ ନିଜ ପରିବାର ସହ ମଧ୍ୟ ଆଲୋଚନା କରିପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି | କାରଣ ଅଧିକାରୀଙ୍କ ପରିବାର ପାଖରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥାମାନେ ଏସବୁ ତଥ୍ୟ ନେଇଯାଇପାରିବେ |

ସେହିପରି ଏହି ସମ୍ପର୍କିତ ତଥ୍ୟ ଫୋନରେ ଆଲୋଚନା ନ କରିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି | ଆରପିଏଫ ପକ୍ଷରୁ କୁହାଯାଇଛି ଯେ ଯଦି ଏହାକୁ କେହି ରେଳ କର୍ମଚାରୀ ନ ମାନନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ| କାରଣ ଏହି ରାଷ୍ଟ୍ରୀୟ ସୁରକ୍ଷାକୁ ଗୁରୁତ୍ୱ ଦେଉନଥିବା ଭାବେ ଗଣାଯିବ |

ସମ୍ବନ୍ଧିତ ଖବର