ଏୟାରଲାଇନ୍ସ, ହୋଟେଲ ପରି ରେଳ ଟିକେଟରେ ବି ମିଳିବ ରିହାତି

ନୂଆଦିଲ୍ଲୀ- ଏଣିକି ଏୟାରଲାଇନ ଓ ହୋଟେଲ ପରି ଟ୍ରେନ ଟିକେଟରେ ମଧ୍ୟ ରିହାତି ମିଳିବ । ଏ ନେଇ ରେଳବାଇ ପକ୍ଷରୁ ଯୋଜନା କରାଯାଉଛି ବୋଲି କହିଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋଏଲ ।

ସାଧାରଣତଃ ବିମାନସେବା ଓ ହୋଟେଲ ଆଦି ଖାଲି ରହିଲେ ତାହାର ଟିକେଟ୍‌ ବା ଦରରେ ରିହାତି ମିଳିଥାଏ । ଏହାକୁ ଡାଇନାମିକ ପ୍ରାଇସିଂ ବୋଲି କୁହାଯାଏ । ଏପରି ବ୍ୟବସ୍ଥା ଗତି କିଛି ବର୍ଷ ଧରି ରେଳ ଟିକେଟରେ ଲାଗୁ ହୋଇଛି । କିନ୍ତୁ ତାହା କେବଳ ଦର ବଢାଇବା ପାଇଁ । ଅର୍ଥାତ୍‌ ଯଦି ଟିକେଟର ଚାହିଦା ଅଧିକ ରହିଲା ତେବେ ଟିକେଟ୍‌ ଦର ବଢିଯାଉଛି ।  ଯଦି ଟ୍ରେନର ସବୁ ସିଟ୍‌ ପୂରଣ ହେଲା ନାହିଁ ,  ଯାତ୍ରୀ ମାନଙ୍କୁ ରିହାତି ମିଳିବା କଥା, କିନ୍ତୁ ତାହା ମିଳୁନାହିଁ । ଏହାକୁ ଦୂର କରିବାକୁ ସରକାର ଯୋଜନା କରୁଛନ୍ତି ।

“ଡାଇନାମିକ୍‌ ପ୍ରାଇସିଂର ଅର୍ଥ ଲୋକେ ନଭାବନ୍ତୁ ଯେ କେବଳ ଦର ବଢାଇବା । ଏହା ଦ୍ୱାରା ଦର ମଧ୍ୟ କମିପାରେ” ବୋଲି କହିଛନ୍ତି ଗୋଏଲ ।
ରେଳଯାତ୍ରୀ ମାନଙ୍କି କିଭଳି ଅଧିକ ସୁବିଧା ସୁଯୋଗ ଦେଇ ଆକର୍ଷିତ କରାଯାଇପାରିବ ସେ ନେଇ ରେଳ ବୋର୍ଡ ପକ୍ଷରୁ ଗତ ୧୧ ତାରିଖରେ ଏକ ୬ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ଗତ ବର୍ଷରୁ ଲାଗୁ ହୋଇଥିବା ଫ୍ଲେକ୍ସି ଫେୟାର ସ୍କିମରେ ପରିବର୍ତ୍ତନର ପରିକଳ୍ପନା କରୁଛି । ଆହୁରି ମଧ୍ୟ ଅଫ ସିଜନ, ପାର୍ବଣ ଋତୁ, ଛୁଟି ସିଜିନରେ ଟିକେଟ ଦର କିପରି ରହିବ ସେ ନେଇ ଯୋଜନା କରିବାକୁ କମିଟିକୁ କୁହାଯାଇଛି ।
ଗତ ୨୦୧୬ରେ ରେଲବାଇ ପକ୍ଷରୁ ଆରମ୍ଭ କରାଯାଇଥିବା ଫ୍ଲେକ୍ସି ଫେୟାର ସ୍କିମ ଦ୍ୱାରା ଟିକେଟ ଦର ବଢିଥିଲା ଫଳରେ ଯାତ୍ରୀ ସଂଖ୍ୟା କମିଥିଲା ।

ସମ୍ବନ୍ଧିତ ଖବର