ମିଟର ଗଜ୍‌ ଲାଇନ୍‌ରେ ଚଳାଚଳ କରୁଥିବା ୭୩ଟି ରାତ୍ରିକାଳୀନ ଟ୍ରେନ୍‌କୁ ବନ୍ଦ କରିବ ରେଳ ବିଭାଗ

ଜଗୁଆଳୀ ବିହୀନ ଲେବଲ କ୍ରସିଂଗୁଡ଼ିକରେ ଦୁର୍ଘଟଣା ରୋକିବା ପାଇଁ ନେଲା ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଜଗୁଆଳୀ ବିହୀନ ଲେବଲ କ୍ରସିଂଗୁଡ଼ିକରେ ଘଟୁଥିବା ଦୁର୍ଘଟଣା ସବୁକୁ ରୋକିବା ପାଇଁ ମିଟର ଗଜ୍‌ ଲାଇନ୍‌ରେ ରାତ୍ରିକାଳରେ ଚଳାଚଳ କରୁଥିବା ୭୩ଟି ଟ୍ରେନ୍‌ର ଚଳାଚଳକୁ ବନ୍ଦ କରିବା ପାଇଁ ରେଳ ବିଭାଗ ଆଜି ନିଷ୍ପତ୍ତି ଗ୍ରହଣ କରିଛି। ତେବେ, କେଉଁ ତାରିଖ ଠାରୁ କେଉଁ କେଉଁ ମିଟର ଗଜ୍‌ ଲାଇନ୍‌ରେ ଚଳାଚଳ କରୁଥିବା କେଉଁ କେଉଁ ଟ୍ରେନ୍‌ର ରାତ୍ରକାଳୀନ ଯାତ୍ରାକୁ ବନ୍ଦ କରାଯିବ, ତାହାର ତାଲିକା ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗତ ଅପ୍ରେଲ ୨୬ ତାରିଖରେ ଉତ୍ତରପ୍ରଦେଶର କୁଶୀନଗର ଠାରେ ଏକ ମାନବ ଜଗୁଆଳୀ ଲେବୁଲ କ୍ରସିଂରେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୩ ଜଣ କମୋଳମତି ଛାତ୍ରଛାତ୍ରୀଙ୍କର ଜୀବନ ଦୀପ ଲିଭିଯିବା ପରେ ରେଳ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆ ଯାଇଥିବା ଜାଣିବାକୁ ମିଳିଛି।

ଦେଶର ୧୧ଟି ରେଳ ସେକ୍‌ସନ ଅଧୀନରେ ରହିଥିବା ୧୦୦୦ କିଲୋମିଟରର ମିଟର ଗଜ୍‌ ରେଳଲାଇନ୍‌ରେ ୧୧୩୫ଟି ଜଗୁଆଳୀ ବିହୀନ ଲେବଲ କ୍ରସିଂ ରହିଛି। ମିଟର ଗଜ୍‌ ଧାରଣା ଉପରେ ରେଳଗାଡ଼ିଗୁଡ଼ିକ ସାଧାରଣତଃ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଯାତାୟାତ କରିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଘଟଣ ଏଡ଼ାଇବା ପାଇଁ ଏବେ କେବଳ ଦିନ ସମୟରେ ଏହି ସମସ୍ତ ଲାଇନ୍‌ରେ ରେଳ ଚଳାଚଳ କରିବ ଏବଂ ରେଳର ବେଗକୁ ଆହୁରି କମାଯିବ ବୋଲି ରେଳ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ରେଳ ବିଭାଗର ଜନୈକ ବରିଷ୍ଠ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସମଗ୍ର ଦେଶରେ ସର୍ବମୋଟ ୫୭୯୨ଟି ଜଗୁଆଳୀ ବିହୀନ ଲେବଲ କ୍ରସିଂ ରହିଛି। ଏଥିମଧ୍ୟରୁ ବ୍ରଡ୍‌ଗଜ ଲାଇନ୍‌ରେ ୩୪୭୯ଟି ଜଗୁଆଳୀ ବିହୀନ ଲେବଲ କ୍ରସିଂ ରହିଥିବା ବେଳେ ମିଟର ଗଜ୍‌ ଲାଇନ୍‌ରେ ୧୧୩୫ ଏବଂ ନାରୋ ଗଜ୍‌ ଲାଇନ୍‌ରେ ୧୧୭୮ଟି ଜଗୁଆଳୀ ବିହୀନ ଲେବଲ କ୍ରସିଂ ରହିଛି। ୨୦୨୦ ସୁଦ୍ଧା ବ୍ରଡ୍‌ଗଜ୍‌ ଲାଇନ୍‌ରେ ଗୋଟିଏ ହେଲେ ଜଗୁଆଳୀ ବିହୀନ ଲେବୁଲ କ୍ରସିଂ ନ ରଖିବା ପାଇଁ ରେଳ ବିଭାଗ ଲକ୍ଷ୍ୟ ରଖିଛି ବୋଲି ରେଳବାଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର