ଅଧଘଣ୍ଟା ବର୍ଷାରେ ବେହାଲ ହେଲା ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା । ପାଖାପାଖି ଅଧଘଣ୍ଟା ବର୍ଷାରେ ଦିଲ୍ଲୀ ରାଜରାସ୍ତା ଉପରେ ଲହଡ଼ି ଭାଙ୍ଗିଲା ଆଣ୍ଠୁଏ ଉଚ୍ଚର ପାଣି । ଆଜି ଅପରାହ୍ନରେ ହଠାତ୍ ଦିଲ୍ଲୀର ଆକାଶକୁ କଳା ବାଦଲ ଢ଼ାଙ୍କି ଦେଇଥିଲା । ଦେଖୁ ଦେଖୁ ବଦଳି ଯାଇଥିବା ପାଣିପାଗର ମିଜାଜ୍ । ପ୍ରଥମେ କୁଆପଥର ମାଡ ତାପରେ ଅଳ୍ପ ସମୟ ହେଉ ପଛେ ନିର୍ଧୁମ ଛେଚି ଦେଇଥିଲା ବର୍ଷା । ରାସ୍ତାରେ ଯାଉଥିବା ଲୋକେ ଅଧା ବାଟରେ ଅଟକି ଯାଇଥିଲେ ।

ଦିଲ୍ଲୀ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ଠପ ହୋଇଯାଇଥିଲା । ଦୁଇ ଦିନ ହେବ ରାତିରେ ଦିଲ୍ଲୀରେ ବର୍ଷା ସାଙ୍ଗକୁ କୋହଲା ପବନ ବହୁଛି । ହେଲେ ଆଜି ସକାଳେ ପାଗ ଭଲ ଥିବା ବେଳେ ହଠାତ କଳା ବାଦଲ ଢ଼ାଙ୍ଗି ମାଡ଼ି ଆସିଥିଲା ବର୍ଷା ।

ବର୍ଷା ଛାଡ଼ିବା ପରେ ରାସ୍ତାରେ ଜମି ରହିଥିବା ଆଣ୍ଠୁଏ ଉଚ୍ଚର ପାଣି ଯୋଗୁଁ ପଥଚାରୀ ହଇରାଣ ହୋଇଥିଲେ । ଅଧଘଣ୍ଟା ଧରି ଦିଲ୍ଲୀ-ଏନସିଆର ବର୍ଷା ହୋଇଥିବାବେଳେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା ଏମ୍ସ ସମ୍ମୁଖ ରାସ୍ତା ଜଳମଗ୍ନ ହୋଇଯାଇଥିବାରୁ ବହୁ ଗାଡି ଅଟକି ରହିଥିଲା ।

ସମ୍ବନ୍ଧିତ ଖବର