ଆଇଏଲ୍‌ଏଫ୍‌ଏସ୍‌ ମାମଲା, ରାଜ ଥାକରେଙ୍କୁ ଇଡି ଜେରା

ମୁମ୍ବାଇରେ ଧାରା ୧୪୪ ଲାଗୁ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଥାକରେଙ୍କୁ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମାରାଥନ୍‌ ଜେରା କରିଛନ୍ତି। ତାଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଛି। ଏହି ସମୟରେ ଇଡି କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏମ୍‌ଏନ୍‌ଏସ୍‌ ସମର୍ଥକମାନଙ୍କ ଜୋର୍‌ଦାର ବିରୋଧ ପ୍ରଦର୍ଶନକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇ ମରିନ୍‌ ଡ୍ରାଇଭ, ଏମ୍‌ଆର୍‌ଏ ମାର୍ଗ, ଦାଦର ଏବଂ ଆଜାଦ ମୈଦାନ ପୁଲିସ ଷ୍ଟେସନ୍‌ ଅଂଚଳରେ ମଧ୍ୟ ଧାରା ୧୪୪ ଲାଗୁ ହୋଇଛି । ମୁମ୍ବାଇ ପୁଲିସ ସୁରକ୍ଷା ଦୃଷ୍ଟିରୁ ଅନେକ ଏମ୍‌ଏନ୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଟକ ରଖିଛି। ଥାକରେଙ୍କୁ ସମନ ପଠାଯିବା ପରେ ଦଳର ଜଣେ ଯୁବ କର୍ମୀ ଆତ୍ମଦାହ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ବ୍ୟାପକ ସତର୍କତା ଅବଲମ୍ବନ କରିଛି।

ଆଜି ପୂର୍ବାହ୍ନ ୧୧ଟା ବେଳେ ରାଜ ଥାକରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହିତ ପୁଅ ଅମିତ ଏବଂ ଝିଅ ଉର୍ବଶୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଥାକରେଙ୍କୁ କୋହିନୁର ସିଟିଏନ୍‌ଏଲ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନିରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଦ୍ବାରା ୪୫୦ କୋଟି ଟଙ୍କାର ଇକ୍ବିଟି ନିବେଶ ଏବଂ ଋଣ ମାମଲାରେ ଜେରା କରାଯାଉଛି। କୋହିନୁର ମିଲ୍ସ ନମ୍ବର ୩କୁ କିଣିବା ପାଇଁ ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ପୁଅ ଉନ୍ମେଶ ଯୋଶୀ, ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଥାକରେ ଏବଂ ତାଙ୍କର ଅନ୍ୟ ଜଣେ ବ୍ୟବସାୟୀ ସହଯୋଗୀ ମିଶି ଏକ କନ୍‌ସୋର୍ଟିୟମ ଗଠନ କରିଥିଲେ। ଏଥିରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଗ୍ରୁପ୍‌ ବହୁତ ବଡ଼ ପୁଂଜି ନିବେଶ କରିଥିଲା। ଏଥିରେ ବଡ଼ ଧରଣର ମନି ଲଣ୍ଡ୍ରିଂ ହୋଇଥିବା ପ୍ରମାଣ ମିଳିବା ପରେ ରାଜ ଥାକରେଙ୍କୁ ଜେରା ପାଇଁ ଇଡି ସମନ କରିଥିଲେ।

ସମ୍ବନ୍ଧିତ ଖବର