ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ରାଜସ୍ଥାନ ଅପରାଧ ଆଇନ ଅଧ୍ୟାଦେଶ ମାମଲା

ଜୟପୁର(ରାଜସ୍ଥାନ): ରାଜସ୍ଥାନ ସରକାରଙ୍କ ଅପରାଧ ଆଇନ ସଂଶୋଧନ ଅଧ୍ୟାଦେଶ ବିରୋଧରେ ଆସିଥିବା ଆବେଦନର ଶୁଣାଣି କରି ଆଜି ରାଜସ୍ଥାନ ହାଇକୋର୍ଟ କେନ୍ଦ୍ର ଏବଂ ରାଜସ୍ଥାନ ସରକାରଙ୍କୁ ଏ ସମ୍ପର୍କରେ ୪ ସପ୍ତାହ ଭିତରେ ଜବାବ ରଖିବାକୁ ନୋଟିସ ଜାରି କରିଛନ୍ତି। ଏଥି ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ ହେବ ବୋଲି ଅଦାଲତ ଧାର୍ଯ୍ୟ କରିଛନ୍ତି।

ରାଜସ୍ଥାନ ସରକାର ଆଣିଥିବା ଏହି ଅପରାଧ ଆଇନ ଅଧ୍ୟାଦେଶରେ ସରକାରଙ୍କ ପୂର୍ବ ଅନୁମତି ବିନା ରାଜ୍ୟର କର୍ତ୍ତବ୍ୟରତ ଏବଂ ପ୍ରାକ୍ତନ ବିଚାରପତି, ମାଜିଷ୍ଟ୍ରେଟ୍‌ ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି। ଏପରିକି ସାମ୍ବାଦିକମାନେ ମଧ୍ୟ ବିନା ଅନୁମତିରେ ସେସବୁ ଅଭିଯୋଗର ବିବରଣୀ ପ୍ରକାଶ କରିବାକୁ ବାରଣ କରାଯାଇଛି। ତେବେ ଏହା ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଂଘନ କରୁଛି ଦର୍ଶାଇ ରାଜ୍ୟ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କ ସମେତ ଆପ୍‌ ନେତା ପୁନମ୍‌ ଚାନ୍ଦ ଭଣ୍ଡାରି, ଆଇନଜୀବୀ ଭଗବତ ଗୌର ଏବଂ ସମାଜସେବୀ ସୃଜନ ଶ୍ରେଷ୍ଠ ପ୍ରମୁଖ ଏହାକୁ ହଟାଇନେବା ପାଇଁ ଅଦାଲତର ଆଶ୍ରୟ ନେଇଛନ୍ତି। ସେମାନଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ହାଇକୋର୍ଟର ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଦୀପକ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏ ସମ୍ପର୍କରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର