ରାଜସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ

ସୋସିଆଲ ମିଡିଆରେ ଭିଡିଓ

ନୂଆଦିଲ୍ଲୀ: ରାଜସ୍ଥାନର ବାରନ୍‌ ଜିଲ୍ଲାରେ ଜଣେ ମହିଳା ମାସକ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ଲୋକଲଜ୍ୟାକୁ ଭୟ କରି କାହା ଆଗରେ କିଛି କହିନଥିଲେ କି ପୁଲିସରେ ଅଭିଯୋଗ କରିନଥିଲେ। କିନ୍ତୁ ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ମହିଳା ଜଣକ ନିଜ ସହ ଘଟିଥିବା ବର୍ବର ଅପରାଧ ସଂପର୍କରେ ସବୁକଥା ପୁଲିସକୁ କହିଛନ୍ତି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି। ପ୍ରାୟ ମାସକ ତଳେ ପୀଡ଼ିତା ମହିଳା ୬ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। କୋଟାର ଏକ ରାସ୍ତାକଡ଼ ଢାବାରେ ଦିନ ମଜୁରିଆ ଭାବେ କାମ କରୁଥିବା ଉକ୍ତ ୪୦ ବର୍ଷୀୟା ମହିଳା ଘଟଣା ଘଟିବା ଦିନ ବାରନ୍‌ରେ ନିଜ ଶାଶୂ ଘରକୁ ବାହାରୁଥିଲେ। ତେବେ ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ସେଠାରେ ପହଞ୍ଚାଇଦେବେ ବୋଲି କହି ନିଜ ମୋଟରସାଇକେଲ୍‌ରେ ନେଇଥିଲେ। ଙ୍କୁ ସମସପୁରା ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ସେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତା’ର ଅନ୍ୟ ସାଥୀଙ୍କୁ ମଧ୍ୟ ସେଠାରେ ଫୋନ୍‌ କରି ପହଞ୍ଚିବାକୁ କହିଥିଲା। ଏହାପରେ ସେଠାରେ ଅନ୍ୟ ୫ ଜଣ ପହଞ୍ଚି ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଏହି ଜଘନ୍ୟ କାଣ୍ଡକୁ ମୋବାଇଲ୍‌ରେ ରେକର୍ଡିଂ କରାଇ ନେଇଥିଲେ। କାହା ଆଗରେ ଏହା ପ୍ରକାଶ କଲେ ସେମାନେ ପୀଡ଼ିତାଙ୍କୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଭୟରେ ପୀଡ଼ିତା ଜଣଙ୍କ କାହାକୁ କିଛି କହିନଥିଲେ। କିନ୍ତୁ ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜାଣିବାପରେ ସେ ବାରନ ଜିଲ୍ଲା ମହିଳା ପୁଲିସ ଷ୍ଟେସନ୍‌ରେ ଏତଲା ରୁଜୁ କରିଛନ୍ତି। ପୁଲିସ ଅଭିଯୁକ୍ତ ଚେତନ ମୀନା ସହ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ।

ସମ୍ବନ୍ଧିତ ଖବର