ସାଂସାରିକ ମୋହ ଛାଡ଼ିଲେ ଡାକ୍ତରାଣୀ ସାଜିବେ ଜୈନ ଭିକ୍ଷୁ

ଅହମ୍ମଦାବାଦ : ରାଜସ୍ଥାନ ପାଲି ଜିଲ୍ଲାର ଅରବପତି ପରିବାରରୁ ଆସିଥିବା ଗୋଲ୍ଡ ମେଡାଲିଷ୍ଟ ଡାକ୍ତରାଣୀ ହିନାକୁମାରୀ ହିଙ୍ଗଡ଼ ସାଂସାରିକ ମୋହ ତ୍ୟାଗ କରି ଜୈନ ଦୀକ୍ଷା ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୮ ବର୍ଷୀୟା ହିନା ପେସାରେ ଜଣେ ଡାକ୍ତର। ସେ ପିଲାଦିନରୁ ସରଳ ଜୀବନଯାପନ କରୁଛନ୍ତି। ଏମିତି କି ଜୈନ ଧର୍ମରେ ଦୀକ୍ଷିତ ହେବା ପାଇଁ ନିଜ ପରିବାର ଲୋକଙ୍କୁ ସେ ୧୨ ବର୍ଷ ହେଲା ଅନୁରୋଧ କରିଆସିଛନ୍ତି। ଇତିମଧ୍ୟରେ ପରିବାର ତରଫରୁ ସବୁଜ ସଂକେତ ମିଳିଥିବାରୁ ଆସନ୍ତା ୧୮ ତାରିଖରେ ନିଜ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିବେ। ଡାକ୍ତର ହିନାକୁମାରୀ ହିଙ୍ଗଡ଼ଙ୍କ ପରିବାର ରାଜସ୍ଥାନ ପାଲି ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ ୫ ବର୍ଷ ହେବ ସେମାନେ ମୁମ୍ବାଇର ବୋରିଓ୍ଵଲି ଅଞ୍ଚଳରେ ରହୁଛନ୍ତି। କପଡ଼ା କ୍ଷେତ୍ରରେ ହିଙ୍ଗଡ଼ ପରିବାରର ବଡ଼ କାରବାର ରହିଛି। କିନ୍ତୁ ହିନାକୁମାରୀ ପାର୍ଥିବ ସୁଖକୁ ଆଡ଼େଇ ଦେଇ ଜୈନ ଭିକ୍ଷୁ ସାଜିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର