ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କ ପରଲୋକ

ନୂଆଦିଲ୍ଲୀ: ବିଜେପିର ରାଜସ୍ଥାନର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ସେ ୭୫ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟା କରିଛନ୍ତି । ବେଶ୍ କିଛି ଦିନ ହେବ ସେ ଅସୁସ୍ଥ ଥିବା ଯୋଗୁଁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଥିଲେ। ସେହିଠାରେ ହିଁ ମଦନ ଲାଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି  ।

ମଦନଲାଲଙ୍କ ମୃତ୍ୟୁ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା , କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବହୁ ନେତା ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦୀ ନିଜ ଟୁଇଟରେ ଲେଖିଛନ୍ତି, ମଦନ ଲାଲ ସୈନୀଜୀଙ୍କ ପରଲୋକ ବିଜେପିକୁ ବଡ଼ କ୍ଷତି ପହଂଚାଇଛି । ସେ ରାଜସ୍ଥାନରେ ଦଳକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ତାଙ୍କର ସ୍ୱଭାବ ଓ ସାମାଜିକ ସେବା ଯୋଗୁଁ ଲୋକେ ତାଙ୍କୁ ସମ୍ମାନ ଜଣାଉଥିଲେ । ଶୋକାକୁଳ ପରିବାରକୁ ମୁଁ ସମବେଦନା ଜଣାଉଛି ବୋଲି ମୋଦୀ କହିଛନ୍ତି ।

ମଦନ ଲାଲ ୧୯୪୩ ଜୁଲାଇ ୧୩ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ କିଷାନ ମୋର୍ଚ୍ଚା ସହିତ ଜଡ଼ିତ ଥିଲେ । ୨୦୧୮ ଏପ୍ରିଲ ୪ରେ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । ଗତବର୍ଷ ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ମଦନ ଲାଲ । ତାଙ୍କର ବିଧବା ପତ୍ନୀ, ପୁଅ ଓ ୬ ଝିଅ ଅଛନ୍ତି ।

ସମ୍ବନ୍ଧିତ ଖବର